Ratna Bhandar Inventory:୧୯ ଦିନରେ ପହଞ୍ଚିଲା ରତ୍ନଭଣ୍ଡାର ଗଣତି
ଷ୍ଟାଣ୍ଡଫ୍ରେ: ମହାପ୍ରଭୁଙ୍କ ଅମୂଲ୍ୟ ରତ୍ନଅଳଙ୍କାରର ହିସାବ ପାଇଁ ଚାଲିଛି ଦୀର୍ଘ ପ୍ରକ୍ରିୟା। ଚଳନ୍ତି ଓ ବାହାର ଭଣ୍ଡାରର ଗଣତି ସରିଥିବା ବେଳେ ଏବେ ଭିତର ଭଣ୍ଡାରର ଅଳଙ୍କାର ଗଣନା ଜାରି ରହିଛି। ନୂଆ ସିନ୍ଦୁକ ମଧ୍ୟ ପ୍ରସ୍ତୁତ ହୋଇ ରହିଛି।

ପୁରୀ: ମହାପ୍ରଭୁଙ୍କ ରତ୍ନଅଳଙ୍କାରର ହିସାବ ନିକାଶ ଜାରି। ଦିନ ପରେ ଦିନ ଗଡୁଛି, ହେଲେ ଏବେ ବି ଶେଷ ହୋଇନାହିଁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଗଣତିମଣତି ପ୍ରକ୍ରିୟା। ଆଜି ୧୯ ଦିନରେ ପହଞ୍ଚିଛି ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। ଦୀର୍ଘ ଦୁଇ ମାସର ବ୍ୟବଧାନ ପରେ ପୁଣି ଆରମ୍ଭ ହୋଇଥିବା ଗଣତିମଣତିରେ ଗତକାଲି ଅଷ୍ଟାଦଶ ଦିନରେ ଭିତର ରତ୍ନଭଣ୍ଡାରର ଅଳଙ୍କାର ଗଣନା କରାଯାଇଥିଲା। ରାଜ୍ୟ ସରକାରଙ୍କ ଅନୁମୋଦିତ ଏସଓପି ଅନୁଯାୟୀ, ଅଧିକୃତ ସଦସ୍ୟଙ୍କ ଉପସ୍ଥିତିରେ ସମସ୍ତ ପ୍ରକ୍ରିୟା ସମ୍ପାଦନ ହେଉଛି। ପ୍ରତ୍ୟେକ ପର୍ଯ୍ୟାୟରେ ନିର୍ଦ୍ଧାରିତ ନିୟମ ଓ ସତର୍କତା ଅବଲମ୍ବନ କରାଯାଉଛି। ପୂର୍ବରୁ ୧୭ ଦିନରେ ମୋଟ ୯୩ ଘଣ୍ଟା ୫୧ ମିନିଟ୍ ଧରି ଗଣତିମଣତି କାର୍ଯ୍ୟ ହୋଇଥିବା ବେଳେ ଚଳନ୍ତି ଭଣ୍ଡାର ଓ ବାହାର ରତ୍ନଭଣ୍ଡାରର ଗଣନା ଶେଷ ହୋଇଛି। ଏବେ ଭିତର ରତ୍ନଭଣ୍ଡାରର ଅଳଙ୍କାର ଗଣତି ଉପରେ ରହିଛି ଫୋକସ୍। ଏହି କ୍ରମରେ ଗତକାଲି ପୂର୍ବାହ୍ନ ୧୧ଟା ୨୬ ମିନିଟ୍ରୁ ଗଣତି ଆରମ୍ଭ ହୋଇ ଅପରାହ୍ନ ୨ଟା ୩୬ ମିନିଟ୍ରେ ଶେଷ ହୋଇଥିଲା। ମୋଟ ୩ ଘଣ୍ଟା ୧୦ ମିନିଟ୍ ଧରି ଚାଲିଥିଲା ଏହି ପ୍ରକ୍ରିୟା। ଭଣ୍ଡାର ମେକାପଙ୍କ ପାରିବାରିକ କାର୍ଯ୍ୟକ୍ରମ ଥିବାରୁ ସେମାନଙ୍କ ଅନୁରୋଧ କ୍ରମେ ଗତକାଲି କମ୍ ସମୟ ପାଇଁ ଗଣତି କରାଯାଇଥିଲା। ଏହା ପରେ ଆଜି ସକାଳ ଧୂପ ନୀତି ଶେଷ ହେବା ପରେ ପୁଣି ଗଣତିମଣତି ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଅନ୍ୟପଟେ ଭିତର ରତ୍ନଭଣ୍ଡାରରେ ଥିବା ତିନୋଟି କାସ୍କେଡ୍ ବା କାଠ ସିନ୍ଦୁକର ମାପ ନିଆଯାଇଛି। ଏହାରି ମଧ୍ୟରେ ତିନୋଟି ନୂଆ କାଠ ସିନ୍ଦୁକ ପ୍ରସ୍ତୁତ ହୋଇ ରହିଛି। ଭିତର ଭଣ୍ଡାରର ଅନ୍ୟ ସମସ୍ତ ଅଳଙ୍କାରର ଗଣତି ଶେଷ ହେବା ପରେ ପୁରୁଣା କାସ୍କେଡ୍ ଖୋଲାଯାଇ ସେଥିରେ ଥିବା ଅଳଙ୍କାରର ଗଣନା କରାଯିବ। ଏହି ପ୍ରକ୍ରିୟା ପୂର୍ବରୁ ଏସଓପିକୁ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ ହେବା ପରେ ଗଣତିମଣତି ଟିମ୍ ମନ୍ଦିରକୁ ପ୍ରବେଶ କରୁଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସୂଚନା ଅନୁଯାୟୀ, ପ୍ରତିଦିନର ଗଣତିମଣତି କାର୍ଯ୍ୟ ନିର୍ଦ୍ଧାରିତ ଏସଓପି ଅନୁସାରେ ସ୍ୱଚ୍ଛତା ଓ ସତର୍କତାର ସହ କରାଯାଉଛି। ଦିନର କାର୍ଯ୍ୟ ଶେଷ ହେବା ପରେ ପରବର୍ତ୍ତୀ ଦିନ ସକାଳ ଧୂପ ନୀତି ପରେ ପୁଣି ପ୍ରକ୍ରିୟା ଆରମ୍ଭ ହେଉଛି। ତେବେ ରତ୍ନଭଣ୍ଡାରରେ ଥିବା ସମସ୍ତ ଅଳଙ୍କାରର ଗଣତିମଣତି ଶେଷ ହେବା ପରେ ହିଁ ସମ୍ପୂର୍ଣ୍ଣ ଚିତ୍ର ସାମ୍ନାକୁ ଆସିବ।
