Dhanu Yatra Audition: କିଏ ହେବେ ମହାରାଜ କଂସ ? ମଥୁରା ସିଂହାସନ ପାଇଁ ବରଗଡ଼ରେ ଅଡିସନ
ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ ମହାରାଜ କଂସ ଭୂମିକା ପାଇଁ ବରଗଡ଼ ଟାଉନ ହଲ୍ ରେ ଚାଲିଛି କଳାକାର ଚୟନ ଓ ଅଡିସନ୍। କିଏ ହେବେ ଚଳିତ ବର୍ଷର ମଥୁରା ନରେଶ?
ବରଗଡ଼: କିଏ ହେବେ ମଥୁରାର ମହାରାଜା ? କାହା ମୁଣ୍ଡରେ ଶୋଭା ପାଇବ ରାଜମୁକୁଟ ? କାହା ଉପରେ ହାତୀ ସୁନକଳସି ଢାଳିବ ? ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ମହାନାୟକ ମହାରାଜ କଂସଙ୍କ ଚୟନକୁ ନେଇ ଏବେ ସବୁଠି ଉତ୍କଣ୍ଠା। ଏଥିପାଇଁ ବରଗଡ଼ ଟାଉନ ହଲ୍ରେ ଆରମ୍ଭ ହୋଇଛି କଳାକାର ଚୟନ ପ୍ରକ୍ରିୟା। ଆଗାମୀ ଧନୁଯାତ୍ରାରେ କଂସ ଚରିତ୍ରରେ ଅଭିନୟ କରିବା ପାଇଁ ଅନେକ କଳାକାର ଅଡିସନ୍ରେ ଭାଗ ନେଉଛନ୍ତି। ପାରମ୍ପରିକ ବେଶଭୂଷାରେ ସଜ୍ଜିତ ହୋଇ କଳାକାରମାନେ ଟାଉନ ହଲ୍ରେ ପହଞ୍ଚି ନିଜ ନିଜର ଅଭିନୟ ପ୍ରତିଭା ପ୍ରଦର୍ଶନ କରୁଛନ୍ତି। ଜଣକ ପରେ ଜଣେ ମଞ୍ଚକୁ ଆସି କଂସଙ୍କ ଗର୍ଜନ, ଅଟ୍ଟହାସ୍ୟ, ରାଜକୀୟ ଠାଣି ଓ ଦମଦାର ସଂଳାପ ମାଧ୍ୟମରେ ବିଚାରକମଣ୍ଡଳୀଙ୍କୁ ପ୍ରଭାବିତ କରିବାକୁ ପ୍ରୟାସ କରୁଛନ୍ତି। କଂସ ଚରିତ୍ର କେବଳ ଏକ ଅଭିନୟ ନୁହେଁ, ବରଂ ବରଗଡ଼ ଧନୁଯାତ୍ରାର ମୁଖ୍ୟ ଆକର୍ଷଣ ଓ ଗୌରବର ପ୍ରତୀକ। ତେଣୁ ଏହି ଚରିତ୍ର ପାଇଁ ଉପଯୁକ୍ତ କଳାକାର ଚୟନ କରିବା ଏକ ବଡ଼ ଦାୟିତ୍ୱ। ନିଜର ଅଭିନୟ ଦକ୍ଷତା, ଶାରୀରିକ ଗଠନ, କଣ୍ଠସ୍ୱର ଓ ମଞ୍ଚ ଉପସ୍ଥାପନା ମାଧ୍ୟମରେ ପ୍ରତ୍ୟେକ ପ୍ରତିଯୋଗୀ ମହାରାଜ କଂସ ହେବାର ସ୍ୱପ୍ନ ନେଇ ଅଡିସନ୍ ଦେଉଛନ୍ତି। ବାହାରେ କଂସ, ଭିତରେ କଂସ, ଚାରିଆଡ଼େ କଂସଙ୍କ ଅଟ୍ଟହାସ୍ୟ। ଟାଉନ ହଲ୍ର ପରିବେଶ ଏବେ କଂସମୟ ହୋଇଉଠିଛି। ତେବେ ଏହି କଡ଼ା ପ୍ରତିଯୋଗିତାରେ କିଏ ବାଜି ମାରିବେ ଏବଂ କିଏ ଆରୋହଣ କରିବେ ମଥୁରାର ସିଂହାସନ, ତାହା ଜାଣିବାକୁ ଧନୁଯାତ୍ରାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି। ସମସ୍ତଙ୍କ ନଜର ଏବେ ଚୟନ ପ୍ରକ୍ରିୟାର ଫଳାଫଳ ଉପରେ।
