Kataka Group Clash:କଟକରେ ଭୟଙ୍କର ଗୋଷ୍ଠୀ ସଂଘର୍ଷ: ଢେଲାପଥର ମାଡ଼ରେ ଜଣେ ମୃତ, ଚାପା ଉତ୍ତେଜନା
କଟକ ପୁରୀଘାଟ ସନ୍ସାଇନ୍ ଗ୍ରାଉଣ୍ଡ ଛକରେ ଦୁଇ ସାହି ମଧ୍ୟରେ ଭୟଙ୍କର ସଂଘର୍ଷ। ଢେଲାପଥର ମାଡ଼ ଓ ହଣାକଟାରେ ଅମରେନ୍ଦ୍ର ସାମଲଙ୍କ ମୃତ୍ୟୁ, ଅନ୍ୟ ଜଣେ ଗୁରୁତର।
କଟକ: କଟକ ସହରର ପୁରୀଘାଟ ଥାନା ଅନ୍ତର୍ଗତ ସନ୍ସାଇନ୍ ଗ୍ରାଉଣ୍ଡ ଛକ ନିକଟରେ ଦୁଇ ସାହି ମଧ୍ୟରେ ଭୟଙ୍କର ଗୋଷ୍ଠୀ ସଂଘର୍ଷ ଘଟିଛି। ଏହି ସଂଘର୍ଷରେ ଢେଲାପଥର ମାଡ଼ ଓ ହଣାକଟା ଯୋଗୁଁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଉଛନ୍ତି ବୁଲୁ ଓରଫ ଅମରେନ୍ଦ୍ର ସାମଲ। ଗୁରୁତର ଅବସ୍ଥାରେ ତାଙ୍କୁ ଏସ୍ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଅମରେନ୍ଦ୍ରଙ୍କ ମୃତ୍ୟୁ ଘଟିଛି। ଅନ୍ୟପଟେ ନିଲୁଆ ଓରଫ ନିରଞ୍ଜନ ସାମଲ ଗୁରୁତର ଥିବା ସୂଚନା ମିଳିଛି। ଏହି ଘଟଣାରେ ମୋଟ ୬ ଜଣଙ୍କୁ ଏସ୍ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସୂଚନା ଅନୁଯାୟୀ, ଜଣଙ୍କ ବ୍ୟକ୍ତିଗତ ଦୋକାନ ସମ୍ମୁଖରେ ଗାଡ଼ି ପାର୍କିଂ କରିବାକୁ କେନ୍ଦ୍ର କରି ବିବାଦ ଆରମ୍ଭ ହୋଇଥିଲା। ଏହା ସହ ପୂର୍ବ ଶତ୍ରୁତା ମଧ୍ୟ ସଂଘର୍ଷର ଅନ୍ୟତମ କାରଣ ହୋଇଥାଇପାରେ ବୋଲି କୁହାଯାଉଛି। ଧୀରେ ଧୀରେ ଏହି ବିବାଦ ଉଗ୍ର ରୂପ ନେଇ ଦୁଇ ସାହି ମଧ୍ୟରେ ହଣାକଟା ଓ ଢେଲାପଥର ମାଡ଼ରେ ପରିଣତ ହୋଇଥିଲା। ସଂଘର୍ଷ ଯୋଗୁଁ ହାଇକୋର୍ଟ ରୋଡ୍ରେ ଦୀର୍ଘ ସମୟ ଧରି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ରାସ୍ତାରେ ଢେଲାପଥର, ଭଙ୍ଗା କାଚ ଓ ରକ୍ତଛିଟା ପଡ଼ିଥିବା ଦେଖିବାକୁ ମିଳିଥିଲା। ଘଟଣାର ଖବର ପାଇ ଡିସିପିଙ୍କ ସମେତ ବ୍ୟାପକ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ମୁତୟନ ହୋଇଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ପୋଲିସ ପକ୍ଷରୁ ସ୍ଥିତି ଉପରେ ନଜର ରଖାଯାଇଛି। ଘଟଣାର ପ୍ରକୃତ କାରଣ ଓ ସଂଘର୍ଷରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ପୋଲିସ ତଦନ୍ତ ଜାରି ରଖିଛି। ଘଟଣାକୁ ନେଇ କଟକ ସହରରେ ଚାଞ୍ଚଲ୍ୟ ଖେଳିଯାଇଛି। ପୁଲିସ ଏ ଘଟଣାରେ ୨୧ ଜଣଙ୍କୁ ଉଠାଇନେଇଛି। ଅଟକ ରଖି ପଚରାଉଚୁରା କରୁଛି।
