ଅବହେଳାର ଅନ୍ତ, ବିକାଶ ପଥରେ ଜୁମଡାଙ୍ଗ: ଗାଁରେ ପହଞ୍ଚିଲା ପାଣି ଓ ବିଦ୍ୟୁତ୍
ମାଲକାନଗିରି ଚିତ୍ରକୋଣ୍ଡାର ଜୁମଡାଙ୍ଗ ଗାଁରେ ପହଞ୍ଚିଲା ପାନୀୟ ଜଳ ଓ ବିଦ୍ୟୁତ୍ ସେବା। ଆଧାର, ରାସନ କାର୍ଡ ଓ ଜମି ପଟ୍ଟା ପାଇବା ପରେ ବିକାଶର ନୂଆ ଆଶା ଦେଖୁଛନ୍ତି ଗ୍ରାମବାସୀ।
ମାଲକାନଗିରି: ଦୀର୍ଘଦିନର ଅବହେଳାର ଅନ୍ତ ହେବାକୁ ଯାଉଛି। ମୌଳିକ ସୁବିଧାରୁ ବଞ୍ଚିତ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ଜୁମଡାଙ୍ଗ ଗାଁରେ ଏବେ ଦେଖାଦେଇଛି ବିକାଶର ନୂଆ ଆଶା। ଦିନେ ଗାଁରେ ନା ଥିଲା ପିଇବା ପାଣି, ନା ଥିଲା ଠିକ୍ ବିଦ୍ୟୁତ୍ ସେବା। ସରକାରୀ ଯୋଜନାରୁ ବଞ୍ଚିତ ହୋଇ ଅନେକ ସମସ୍ୟାରେ ଜୀବନ କାଟୁଥିଲେ ଗ୍ରାମବାସୀ। ଏହାକୁ ନେଇ ଓଡ଼ିଶା ଛାଡ଼ି ଆନ୍ଧ୍ରପ୍ରଦେଶ ମୁହାଁ ହେବା ଚର୍ଚ୍ଚା ଜୋର ଧରିଥିଲା। ଏପରିକି ଆନ୍ଧ୍ରର ପଞ୍ଚାୟତ ନିର୍ବାଚନରେ ସାମିଲ ହେବା ପ୍ରସଙ୍ଗକୁ ନେଇ ଗାଁରେ ଉତ୍ତେଜନା ମଧ୍ୟ ଦେଖାଦେଇଥିଲା। ତେବେ ଏବେ ବଦଳିଛି ସ୍ଥିତି। ଗ୍ରାମବାସୀଙ୍କ ସମସ୍ୟା ବୁଝିବାକୁ ନିଜେ ଜୁମଡାଙ୍ଗରେ ପହଞ୍ଚିଥିଲେ ଜିଲ୍ଲାପାଳ। ଲୋକଙ୍କ ସହ ସିଧାସଳଖ ଆଲୋଚନା କରି ସମାଧାନ ଦିଗରେ ପଦକ୍ଷେପ ନେଇଥିଲେ। ଏବେ ଗାଁରେ ପହଞ୍ଚିଛି ପାନୀୟ ଜଳ ଓ ବିଦ୍ୟୁତ୍ ସେବା। ଗ୍ରାମବାସୀଙ୍କୁ ଆଧାର କାର୍ଡ, ରାସନ କାର୍ଡ ଓ ଜବ୍ କାର୍ଡ ପ୍ରଦାନ କରାଯାଇଛି। ଏଥିସହ ଜମି ପଟ୍ଟା ବଣ୍ଟନ ସହ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କାମ ଆରମ୍ଭ ହୋଇଛି। ଆଗାମୀ ଦିନରେ ଗାଁରେ ସ୍କୁଲ ଓ ଆବାସ ଗୃହ ନିର୍ମାଣ ପାଇଁ ମଧ୍ୟ ପଦକ୍ଷେପ ନିଆଯିବ। ଗାଁରେ ମୌଳିକ ସୁବିଧା ପହଞ୍ଚୁଥିବାରୁ ଖୁସି ପ୍ରକାଶ କରିଛନ୍ତି ଜୁମଡାଙ୍ଗବାସୀ। ଓଡ଼ିଶାରେ ରହି ନିଜ ଅଞ୍ଚଳର ବିକାଶ ଚାହୁଁଥିବା କହିଛନ୍ତି ସେମାନେ। ପ୍ରଶାସନର ଏହି ପଦକ୍ଷେପ ଗ୍ରାମବାସୀଙ୍କ ମନରେ ନୂଆ ଭରସା ସୃଷ୍ଟି କରିଥିବା ବେଳେ ଏବେ ବିକାଶର ନୂଆ ସ୍ୱପ୍ନ ଦେଖୁଛି ଜୁମଡାଙ୍ଗ।
