Odisha’s New Focus : ପୁଷ୍ଟିହୀନତାକୁ ବାଏ ବାଏ, ଶିଶୁଙ୍କ ଭବିଷ୍ୟତ ହେବ ଉଜ୍ଜ୍ୱଳ
ପୁଷ୍ଟିହୀନତା ମୁକ୍ତ ଶୈଶବ ଲକ୍ଷ୍ୟ ! ଅଙ୍ଗନବାଡ଼ି ସେବାରେ ସୁଧାର ଓ ଶିଶୁଙ୍କ ସାମଗ୍ରିକ ବିକାଶ ପାଇଁ ସରକାରଙ୍କ ବଡ଼ ପଦକ୍ଷେପ।

ଶିଶୁଙ୍କ ମୁହଁରେ ଫୁଟିବ ହସ, ପୁଷ୍ଟିହୀନତା ହେବ ଦୂର! ରାଜ୍ୟରେ ଶିଶୁଙ୍କ ସୁସ୍ଥ ଓ ସାମଗ୍ରିକ ବିକାଶକୁ ନେଇ ଆକ୍ସନ ମୋଡ୍ରେ ସରକାର। ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗର ଉଚ୍ଚସ୍ତରୀୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଅଙ୍ଗନବାଡ଼ି କେନ୍ଦ୍ରର କାର୍ଯ୍ୟଧାରା, କର୍ମୀଙ୍କ ସମସ୍ୟା, ପୋଷଣ କାର୍ଯ୍ୟକ୍ରମ ଏବଂ ଶିଶୁଙ୍କ ବିକାଶ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି।
ବୈଠକରେ ଶିଶୁଙ୍କ ଠାରେ ଦେଖାଯାଉଥିବା ଷ୍ଟଣ୍ଟିଂ ଓ ୱେଷ୍ଟିଂ ହାର କମାଇବା ପାଇଁ ବିଭାଗକୁ ସ୍ୱତନ୍ତ୍ର ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଓ ଜିଲ୍ଲା ସ୍ତରରୁ ସ୍ୱତନ୍ତ୍ର ଟିମ୍ ପଠାଇ ଅଙ୍ଗନବାଡ଼ି କେନ୍ଦ୍ରର ବାସ୍ତବ ସ୍ଥିତି ଯାଞ୍ଚ କରାଯିବ। ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ର ନିୟମିତ ଖୋଲିବା ସହ ସେଠାରେ ଶିଶୁଙ୍କୁ ଠିକ୍ ଭାବେ ସେବା ମିଳୁଛି କି ନାହିଁ, ତାହା ଉପରେ ନଜର ରଖାଯିବ। ସୁପରଭାଇଜର ଓ ସିଡିପିଓମାନେ ଦୈନିକ ସ୍ଥିତି ସମୀକ୍ଷା କରି ରିପୋର୍ଟ ଦେବେ। ଏଥିସହ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିଜେ କ୍ଷେତ୍ର ପରିଦର୍ଶନ କରି ତୃଣମୂଳ ସ୍ତରର ସ୍ଥିତି ଅନୁଧ୍ୟାନ କରିବେ।
ସେହିପରି ଅଙ୍ଗନବାଡ଼ି କର୍ମୀଙ୍କୁ ଶିଶୁଙ୍କ ଶିକ୍ଷାଦାନ ଶୈଳୀରେ ଉନ୍ନତି ଆଣିବା ସହ ନିଜର ସାକ୍ଷରତା ଓ ଦକ୍ଷତା ବୃଦ୍ଧି କରିବାକୁ ପରାମର୍ଶ ଦିଆଯାଇଛି। ପୋଷଣ ଟ୍ରାକର ଓ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (NFHS) ରିପୋର୍ଟକୁ ଗୁରୁତ୍ୱ ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି। ଅଙ୍ଗନବାଡ଼ି କର୍ମୀମାନେ ନିଜର ମୂଳ କାର୍ଯ୍ୟକୁ ପ୍ରାଧାନ୍ୟ ଦେବା ସହ ସେବା ରେକର୍ଡ ନିୟମିତ ଯାଞ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଅନ୍ୟପଟେ ଅଙ୍ଗନବାଡ଼ି କେନ୍ଦ୍ରର ଭିତ୍ତିଭୂମି ସୁଧାରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ନିଜସ୍ୱ ଗୃହ ନଥିବା କେନ୍ଦ୍ରଗୁଡ଼ିକ ପାଇଁ ‘ସମୃଦ୍ଧ ଅଙ୍ଗନବାଡ଼ି କେନ୍ଦ୍ର’ ଯୋଜନାରେ ନୂତନ ଗୃହ ନିର୍ମାଣ କରାଯିବ। ଏଥିସହ ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ ମାଧ୍ୟମରେ ଶିଶୁଙ୍କୁ ଅତିରିକ୍ତ ପୋଷଣ ସହାୟତା ଯୋଗାଇ ଦିଆଯିବ। ଅଙ୍ଗନବାଡ଼ି କର୍ମୀଙ୍କ ସମସ୍ୟାର ସମାଧାନ ଓ କାର୍ଯ୍ୟର ସୁପରିଚାଳନା ପାଇଁ ସରକାର ସମସ୍ତ ସମ୍ଭାବ୍ୟ ସୁବିଧା ଯୋଗାଇଦେବେ ବୋଲି ବୈଠକରେ ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି।
