Father Sexual Harassment:ବ୍ରହ୍ମପୁରରେ ଚାଞ୍ଚଲ୍ୟ: ତିନି ଝିଅଙ୍କୁ ବାପାଙ୍କ ଯୌନ ନିର୍ଯାତନା ଅଭିଯୋଗ
ବ୍ରହ୍ମପୁରର ଗୋଷାଣୀ ନୂଆଗାଁରେ ଚାଞ୍ଚଲ୍ୟ, ତିନି ଝିଅଙ୍କୁ ଦୁଷ୍କର୍ମ କରିବା ସହ ନିର୍ଦ୍ଧୁମ ମାଡ଼ ମାରୁଛନ୍ତି ତାଙ୍କ ବାପା । ବାପାଙ୍କ ଏଭଳି ନିର୍ଯ୍ୟାତନାକୁ ମା ମଧ୍ୟ କରୁନାହାଁନ୍ତି ବିରୋଧ । କାନ୍ଦି କାନ୍ଦି ଦୁଇ ଭଉଣୀ ନିଜ ବାପାଙ୍କ ବିରୋଧରେ ଭିଡ଼ିଓ ଜାରି କରିଛନ୍ତି । ସେପଟେ ଭାଇରାଲ ଭିଡିଓ ପରେ ସ୍ପଷ୍ଟୀକରଣ ରଖିଲା ବ୍ରହ୍ମପୁର ପୋଲିସ।
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ଗୋଷାଣୀ ନୂଆଗାଁ ଥାନା ଅଞ୍ଚଳରୁ ଏକ ଅତ୍ୟନ୍ତ ସମ୍ବେଦନଶୀଳ ଓ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ନିଜର ତିନି ଝିଅଙ୍କୁ ବାପା ଦୁଷ୍କର୍ମ କରିବା ସହ ମାରପିଟ୍ ଓ ନିର୍ଯାତନା ଦେଉଥିବା ଗୁରୁତର ଅଭିଯୋଗ ହୋଇଛି। ଏନେଇ ଦୁଇ ଭଉଣୀ କାନ୍ଦି କାନ୍ଦି ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି ନ୍ୟାୟ ଭିକ୍ଷା କରିଛନ୍ତି। ଅଭିଯୋଗ ଅନୁଯାୟୀ, ବାପାଙ୍କ ଅତ୍ୟାଚାରକୁ ମା' ମଧ୍ୟ ବିରୋଧ କରୁନାହାନ୍ତି। କିଛି ମାସ ପୂର୍ବରୁ ଏନେଇ ଗୋଷାଣୀ ନୂଆଗାଁ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତ ବାପାଙ୍କୁ ଗିରଫ କରିଥିଲା। ତେବେ ଜାମିନରେ ମୁକୁଳିବା ପରେ ସେ ପୁଣି ଦୁଇ ଝିଅଙ୍କୁ ମାରପିଟ୍ କରୁଥିବା ଅଭିଯୋଗ ହୋଇଛି। ଦୁଇ ଭଉଣୀଙ୍କ ଅଭିଯୋଗ ଅନୁସାରେ, ଥାନାକୁ ଯାଇ ଅଭିଯୋଗ କରିଥିଲେ ମଧ୍ୟ ସେମାନଙ୍କ କଥା ଶୁଣାଯାଉନାହିଁ। ବାପାଙ୍କ ନିର୍ଯାତନା ସହି ନପାରି ବଡ଼ ଝିଅ ତିନିଥର ଆତ୍ମହତ୍ୟା ଉଦ୍ୟମ କରିଥିବା ମଧ୍ୟ ଭିଡିଓରେ କହିଛନ୍ତି। ବର୍ତ୍ତମାନ ସାନ ଝିଅ ଉତ୍କଳ ବାଳାଶ୍ରମରେ ରହୁଥିବା ବେଳେ ଅନ୍ୟ ଦୁଇ ଭଉଣୀ ଘରେ ରହୁଛନ୍ତି। ନ୍ୟାୟ ନମିଳିଲେ ଆତ୍ମହତ୍ୟା କରିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଅନ୍ୟପଟେ, ଭିଡିଓ ଭାଇରାଲ ହେବା ପରେ ବ୍ରହ୍ମପୁର ପୋଲିସ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ପୋଲିସର ସୂଚନା ଅନୁସାରେ, ପ୍ରଥମ ଅଭିଯୋଗ ଆଧାରରେ ଅଭିଯୁକ୍ତ ବାପାଙ୍କୁ ଗିରଫ କରାଯାଇଥିଲା। ଦ୍ୱିତୀୟ ଅଭିଯୋଗରେ ତିନିଜଣଙ୍କୁ ବିଏନଏସ୍ ଧାରା ୩୫(୩) ଅନୁଯାୟୀ ନୋଟିସ୍ ଜାରି କରାଯାଇଛି। ତଦନ୍ତର ତଦାରଖ ଦାୟିତ୍ୱ ଟାଉନ୍ ଏସଡିପିଓଙ୍କୁ ଦିଆଯାଇଛି। ପୀଡ଼ିତାଙ୍କ ସୁରକ୍ଷା, ପରାମର୍ଶ ଓ ଆଇନଗତ ସହାୟତା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଥିବା ପୋଲିସ କହିଛି। ପୀଡ଼ିତାଙ୍କୁ ଧମକ କିମ୍ବା ଚାପ ପକାଇବାକୁ ଉଦ୍ୟମ କଲେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ବ୍ରହ୍ମପୁର ଏସପି ସ୍ପଷ୍ଟ କରିଛନ୍ତି।
