୧୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ବ୍ରହ୍ମପୁର ଜିଲ୍ଲା କୃଷି ଅଧିକାରୀ
ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହେଲେ ବ୍ରହ୍ମପୁର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ବ୍ୟୋମକେଶ ମିଶ୍ର । ୫୦ ପ୍ରତିଶତ ସବସିଡି ଟଙ୍କା ଛାଡ଼ିବା ପାଇଁ ଜଣେ ହିତାଧିକାରୀଙ୍କଠାରୁ ଲାଞ୍ଚ ନେଉଥିଲେ ୧୫ ହଜାର ଟଙ୍କା।
ବ୍ରହ୍ମପୁର: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି ବ୍ରହ୍ମପୁର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ବ୍ୟୋମକେଶ ମିଶ୍ର। ଜଣେ ହିତାଧିକାରୀଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଛି। ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ମିଶ୍ରିତ କୃଷି ପ୍ରଣାଳୀ ଅଧୀନରେ ଥିବା ଏକ ଫାଇଲ୍ ପ୍ରସେସ୍ କରିବା ସହ ୫୦ ପ୍ରତିଶତ ସବସିଡି ଟଙ୍କା ଛାଡ଼ିବା ପାଇଁ ହିତାଧିକାରୀଙ୍କୁ ୧୫ ହଜାର ଟଙ୍କା ଲାଞ୍ଚ ଦାବି କରାଯାଇଥିଲା। ଅଭିଯୋଗ ଅନୁସାରେ, ପ୍ରାୟ ଦୁଇ ମାସ ଧରି ହିତାଧିକାରୀ ଅନୁରୋଧ କରିଥିଲେ ମଧ୍ୟ ତାଙ୍କ କାମ କରାଯାଇନଥିଲା। ଏହା ସହିତ ଅଗ୍ରୀମ ୧୫ ହଜାର ଟଙ୍କା ଦେବା ସହ ପରବର୍ତ୍ତୀ ସମୟରେ କମିଶନ ଦେବାକୁ ମଧ୍ୟ ଦାବି କରାଯାଉଥିବା ଅଭିଯୋଗ ହୋଇଥିଲା। ଏନେଇ ଅଭିଯୋଗକାରୀ ବ୍ରହ୍ମପୁର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ପରେ ଯୋଜନାବଦ୍ଧ ଭାବେ ଭିଜିଲାନ୍ସ ଟିମ୍ ଜାଲ ବିଛାଇଥିଲା। ଲାଞ୍ଚ ଟଙ୍କା ନେଉଥିବା ବେଳେ ବ୍ୟୋମକେଶ ମିଶ୍ରଙ୍କୁ ଧରିଥିଲା ଭିଜିଲାନ୍ସ। ତାଙ୍କ ଠାରୁ ସମ୍ପୂର୍ଣ୍ଣ ୧୫ ହଜାର ଟଙ୍କା ଜବତ କରାଯାଇଥିବା ଜଣାପଡ଼ିଛି। ଏହାପରେ ଆୟବହିର୍ଭୂତ ସମ୍ପତ୍ତି ଠାବ ପାଇଁ ମିଶ୍ରଙ୍କ ପୈତୃକ ବାସଭବନ, କାର୍ଯ୍ୟାଳୟ ଏବଂ ଭୁବନେଶ୍ୱରସ୍ଥିତ ବାସଭବନ ସମେତ ମୋଟ ୩ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ଚଢ଼ାଉରୁ କେତେ ପରିମାଣର ଆୟବହିର୍ଭୂତ ସମ୍ପତ୍ତି ଠାବ ହୋଇଛି, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ। ତଦନ୍ତ ଜାରି ରହିଥିବା ବ୍ରହ୍ମପୁର ଭିଜିଲାନ୍ସ ଏସ୍ପି ପ୍ରଦୀପ କୁମାର ପ୍ରଧାନ ସୂଚନା ଦେଇଛନ୍ତି। ଏହାସହ ବ୍ୟୋମକେଶ ମିଶ୍ର ୨୦୨୯ ମସିହାରେ ଅବସର ଗ୍ରହଣ କରିଥାନ୍ତେ ବୋଲି ଭିଜିଲାନ୍ସ ଏସ୍ପି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
