Toll Gate: ବେଗୁନିଆରେ ଟୋଲ୍ ଗେଟ୍କୁ ନେଇ ବଢୁଛି ଅସନ୍ତୋଷ
ବେଗୁନିଆ ନିକଟ NH-57ରେ ନୂଆ ଟୋଲ୍ ଗେଟ୍ ନିର୍ମାଣକୁ ନେଇ ଅସନ୍ତୋଷ। ରାଜପଥର ଅବସ୍ଥା ଓ ଅସମ୍ପୂର୍ଣ୍ଣ ବାଇପାସ୍ କାମକୁ ନେଇ ପ୍ରଶ୍ନ।
ବେଗୁନିଆ: ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବେଗୁନିଆ ନିକଟରେ ନିର୍ମାଣ ହେଉଛି ନୂଆ ଟୋଲ୍ ଗେଟ୍। ନିର୍ମାଣ କାମ ଏବେ ଶେଷ ପର୍ଯ୍ୟାୟରେ ଥିବା ବେଳେ, ଖୁବଶୀଘ୍ର ଏଠାରେ ଟୋଲ୍ ଆଦାୟ ଆରମ୍ଭ ହେବାର ସମ୍ଭାବନା ରହିଛି। ତେବେ ଟୋଲ୍ ଗେଟ୍ ନିର୍ମାଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏବେଠାରୁ ଅସନ୍ତୋଷ ପ୍ରକାଶ ପାଇଛି। ବେଗୁନିଆ ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ବେଗୁନିଆ ଓ ବୋଲଗଡ଼ ଉଭୟ ବ୍ଲକର ଜନସାଧାରଣ ଏହି ଟୋଲ୍ ଗେଟ୍ର ପ୍ରଭାବରେ ପଡ଼ିବେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଦୈନନ୍ଦିନ ଯାତାୟାତ କରୁଥିବା ସ୍ଥାନୀୟ ଲୋକଙ୍କ ଉପରେ ଏହା ଅତିରିକ୍ତ ଆର୍ଥିକ ବୋଝ ସୃଷ୍ଟି କରିପାରେ ବୋଲି ବିଭିନ୍ନ ମହଲରୁ ମତପ୍ରକାଶ ପାଇଛି। ଅନ୍ୟପଟେ, ରାଜପଥର ଅବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ସଂପ୍ରସାରଣ କାମ ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ହୋଇଥିବା ବେଳେ, ଏବେ ମେଣ୍ଟେନାନ୍ସ ପିରିୟଡ୍ ମଧ୍ୟ ଶେଷ ହୋଇଛି। ତଥାପି ରାଜପଥର ଅନେକ ସ୍ଥାନରେ ରାସ୍ତାର ଅବସ୍ଥା ଶୋଚନୀୟ ଥିବା ଅଭିଯୋଗ ହୋଇଛି।
ବିଶେଷକରି ସାରୁଅଠାରୁ ବାଘମାରୀ ବାଇପାସ୍ର କାମ ଏଯାବତ୍ ଅସମ୍ପୂର୍ଣ୍ଣ ରହିଛି। ଏଭଳି ସ୍ଥିତିରେ କେଉଁ ଆଧାରରେ ଟୋଲ୍ ଗେଟ୍ ନିର୍ମାଣ କରାଯାଉଛି ଏବଂ ଟୋଲ୍ ଆଦାୟ ଆରମ୍ଭ କରିବାର ଆବଶ୍ୟକତା କ’ଣ, ତାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି। ଟୋଲ୍ ଗେଟ୍ କାର୍ଯ୍ୟକାରୀ ହେଲେ ଦୃଢ଼ ପ୍ରତିବାଦ କରାଯିବ ବୋଲି ବେଗୁନିଆ ବିଧାୟକ କହିଥିବା ବେଳେ, ଏହି ପ୍ରସଙ୍ଗରେ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ସମାଜସେବୀ ମୀରା ପରିଡ଼ା। ଟୋଲ୍ ଆଦାୟ ପୂର୍ବରୁ ରାଜପଥର ଅବସ୍ଥା ସୁଧାରିବା ସହ ଏହାର ଆବଶ୍ୟକତା ଓ ଯୁକ୍ତିଯୁକ୍ତତା ନେଇ ସରକାର ସ୍ପଷ୍ଟତା ଦେବାକୁ ଦାବି ହୋଇଛି।
