ବାଙ୍କିପୁରରେ ବଦଳିଲେ ବିଜେପି ପ୍ରାର୍ଥୀ - ସାମ୍ନାକୁ ଆସିଲା ଲାଲୁ ଲିଂକ୍ !
ନାମାଙ୍କନ ଦାଖଲ କରିବାର ପର ଦିନ ହିଁ ବିଜେପି ଅଭିଷେକ ବଣ୍ଟିଙ୍କୁ ହଟାଇ ନୀରଜ କୁମାର ସିହ୍ନାଙ୍କୁ ମୈଦାନକୁ ଓହ୍ଲାଇଛି। ବଣ୍ଟିଙ୍କ ବାପା ରବୀନ୍ଦ୍ର ପ୍ରସାଦ ଯାଦବ ଚାରା ଘୋଟାଲାରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସହ ସିବିଆଇ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇସାରିଛନ୍ତି

ବାଙ୍କିପୁର ଉପନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା। ବିଜେପି ପ୍ରାର୍ଥୀ ଅଭିଷେକ କୁମାର ସିହ୍ନା ନିଜର ନାମାଙ୍କନ ପ୍ରତ୍ୟାହାର କରିନେଇଛନ୍ତି। ଏହା ପରେ ଦଳ ପକ୍ଷରୁ ନୀରଜ କୁମାର ସିହ୍ନାଙ୍କୁ ପ୍ରାର୍ଥୀ କରାଯାଇଛି। ଏହାକୁ ନେଇ ଜନସୁରାଜ ଦଳର ମୁଖ୍ୟ ପ୍ରଶାନ୍ତ କିଶୋର ବା ପିକେ କହିଛନ୍ତି ଯେ, ଜନବଳ ଆଗରେ କୌଣସି ବଳ କାଟୁ କରେନା। ବିଜେପିର ଡରରେ ଅଲଗା ଦଳର ପ୍ରାର୍ଥୀ ମୈଦାନକୁ ଆସିବାକୁ ଡରୁଥିଲେ। କାରଣ ପ୍ରତିପକ୍ଷ ଦଳର ପ୍ରାର୍ଥୀଙ୍କୁ ଇଡି, ସିବିଆଇ ଡର ଦେଖାଉଥିଲା ବିଜେପି। କାହାକୁ କିଣିବା ବା କାହାର ନାମାଙ୍କନ ରଦ୍ଦ କରି ଏମାନେ ପ୍ରାର୍ଥୀ ବଦଳାଉଥିଲେ। ଶେଷରେ ଭଗବାନ ଏମାନଙ୍କ ଉପରେ ସମାନ ନ୍ୟାୟ କରିଦେଲେ। ପ୍ରାରମ୍ଭିକ ଲଢ଼େଇରୁ ହିଁ ବିଜେପିର ପ୍ରାର୍ଥୀ ପଳାୟନପଂଥୀ ସାଜିଲେ। ଲୋକଙ୍କ କହିବା କଥା, ବାଙ୍କିପୁର ବିଜେପିର ମଝଭୁତ ଗଡ଼ ଅଟେ। ହେଲେ ଏଠାରୁ କାହାକୁ ଲଢ଼ାଇବ, ତାକୁ ନେଇ ବିଜେପି ନିଜେ ଦ୍ୱନ୍ଦ୍ୱରେ। ତେବେ ବାଙ୍କିପୁରରେ କାହିଁକି ବିଜେପି ବଦଳାଇଲା ପ୍ରାର୍ଥୀ। ଲାଲୁ ଯାଦବଙ୍କ ଲିଂକ କୁହାଯାଉଛି। ନାମାଙ୍କନ ଦାଖଲ କରିବାର ପର ଦିନ ହିଁ ବିଜେପି ଅଭିଷେକ ବଣ୍ଟିଙ୍କୁ ହଟାଇ ନୀରଜ କୁମାର ସିହ୍ନାଙ୍କୁ ମୈଦାନକୁ ଓହ୍ଲାଇଛି। ବଣ୍ଟିଙ୍କ ବାପା ରବୀନ୍ଦ୍ର ପ୍ରସାଦ ଯାଦବ ଚାରା ଘୋଟାଲାରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସହ ସିବିଆଇ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇସାରିଛନ୍ତି। ୨୦୨୨ରେ ସିବିଆଇର ସ୍ୱତନ୍ତ୍ର ଅଦାଲତ ୧୩୯ କୋଟି ଟଙ୍କାର ଚାରା ଘୋଟାଲାରେ ବେଆଇନ ଭାବେ ରାଜକୋଷକୁ କ୍ଷତି ପହଞ୍ଚାଇଥିବା ମାମଲାରେ ଲାଲୁଙ୍କ ସହ ୭୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ବଣ୍ଟିଙ୍କ ପିତା ବି ଏଥିରେ ଥିଲେ। ଯିଏ କେଳେଙ୍କାରୀ ସମୟରେ ମଗଧ କେମିକାଲ କର୍ପୋରେସନର ମ୍ୟାନେଜର ଥିଲେ। ତାଙ୍କୁ ଏ ମାମଲାରେ ୩ବର୍ଷର ସଜ୍ଜା ଶୁଣାଇଥିଲେ ସିବିଆଇ ଅଦାଲତ। ଏ ମାମଲାରେ ୨୦୦୧ରୁ ୨୦୦୩ ଭିତରେ ସିବିଆଇ ୩ଟି ଚାର୍ଜସିଟ୍ ଦାଖଲ କରିଥିଲା। ୫୭୫ ସାକ୍ଷୀ ଓ ୪ହଜାର୨ଶହରୁ ଅଧିକ ଦସ୍ତାବିଜ୍ ଯାଞ୍ଚ ପରେ ରବୀନ୍ଦ୍ରଙ୍କୁ ଦୋଷୀସାବ୍ୟସ୍ତ କରିଥିଲେ। ଜନସୁରାଜ ଦଳର ସୁପ୍ରିମୋ ପିକେ ଏ ଗମ୍ଭୀର ମୁଦ୍ଦାକୁ ଜୋରସୋର ଉଠାଇବାକୁ ପ୍ରସ୍ତୁତ ହେଉଥିଲେ। ଆଉ ସମସ୍ତ ଆଇନଗତ ଦସ୍ତାବିଜ ବି ପୂର୍ବରୁ ରଖିଥିଲେ। ଆଉ ଭ୍ରଷ୍ଟାଚାର ମୁଦ୍ଦାରେ ଘେରିବା ପୂର୍ବରୁ ବିଜେପି ଡ୍ୟାମେଜ୍ କଣ୍ଟ୍ରୋଲ କରି ନୀରଜ ସିହ୍ନାଙ୍କୁ ଟିକଟ ଦେଲା। ଶୁକ୍ରବାର ବିଜେପି ରାଜ୍ୟ ସଭାପତି ସଞ୍ଜୟ ସରବଗିଙ୍କୁ ଚିଠି ଲେଖି ବ୍ୟକ୍ତିଗତ କାରଣରୁ ନିର୍ବାଚନ ଲଢ଼ିବାକୁ ଅସମର୍ଥ ବୋଲି ଦର୍ଶାଇଥିଲେ ବଣ୍ଟି।ବିହାରର ବାଙ୍କିପୁର ବିଧାନସଭା ଉପ-ନିର୍ବାଚନ ଏବେ କେବଳ ଏକ ବିଧାନସଭା ସିଟ ଲାଗି ଲଢେଇରେ ସୀମିତ ରହିନି। ବରଂ ବିହାରରେ ସମ୍ରାଟ ଚୌଧୁରୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାର ଲାଗି ପ୍ରଥମ ବଡ଼ ରାଜନୀତିକ ଅଗ୍ନିପରୀକ୍ଷା ରୂପରେ ଦେଖାଯାଉଛି। ବାଙ୍କିପୁରରେ ପିକେଙ୍କ ଏଣ୍ଟ୍ରିରେ କଅଣ ଗେମ୍ ବଦଳିବ କି ବୋଲି ଚର୍ଚ୍ଚା ହେଉଛି। ବିହାରର ସତ୍ତା ସମ୍ଭାଳିଥିବା ସମ୍ରାଟଙ୍କ ଲାଗି ଏହା କୌଣସି ଅଗ୍ନିପରୀକ୍ଷାରୁ କମ୍ ନୁହେଁ। ବିଜେପିର ରାଷ୍ଟ୍ରୀୟ ସଭାପତି ନୀତିନ ନବୀନ ରାଜ୍ୟସଭାକୁ ଯିବା ପରେ ଏହି ସିଟ୍ ଖାଲି ପଡ଼ିଛି। ଜୁଲାଇ ୩୦ରେ ଏଠାରେ ନିର୍ବାଚନ ହେବ। ଜନସୁରାଜ ଦଳର ମୁଖ୍ୟ ପ୍ରଶାନ୍ତ କିଶୋର ଏଠାରୁ ଲଢିବାକୁ ଘୋଷଣା କରିବା ପରେ ରାଜନୀତିକ ଘମାସାନ ତେଜିଲାଣି। କଂଗ୍ରେସ ବି ପ୍ରଶାନ୍ତଙ୍କ ସମର୍ଥନରେ ବାହାରିଛି। କଂଗ୍ରେସ ସଙ୍କେତ ଦେଇଛି ଯେ, ଦଳ କୌଣସି ପ୍ରାର୍ଥୀ ପ୍ରଶାନ୍ତଙ୍କ ବିରୁଦ୍ଧରେ ଛିଡ଼ା କରିବନି। ହେଲେ ଆରଜେଡି ଓ ବିଜେପି କିନ୍ତୁ ପିକେଙ୍କ ବିରୁଦ୍ଧରେ ପୁରା ଲଢ଼ିବାକୁ ପ୍ରସ୍ତୁତ। ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇ ଜୁଲାଇ ୧୩ରେ ସରିବ। ଏମିତିରେ ବାଙ୍କିପୁର ବିଧାନସଭା ଆସନ ବିଜେପିର ସବୁଠୁ ମଝଭୁତ ଗଡ଼ ବୋଲି କୁହାଯାଏ। ଗଲା ୩ ଦଶନ୍ଧି ଧରି ଏହି ଆସନରେ ବିଜେପିର ଦବଦବା ରହିଆସିଛି। ବାଙ୍କିପୁର ସିଟ୍ ୨୦୧୦ରେ ହେଲା। କିନ୍ତୁ ଏହା ପୂର୍ବରୁ ପାଟନା ପଶ୍ଚିମ ସିଟ୍ ଥିଲା। ୧୯୯୫ରୁ ଏହି ସିଟ୍ ବିଜେପି ଜିତିକି ଆସୁଛି। ନୀତିନଙ୍କ ପୂର୍ବରୁ ତାଙ୍କ ପିତା ନବୀନ କିଶୋର ପ୍ରସାଦ ସିହ୍ନା ୧୯୯୫ରୁ ୨୦୦୫ ଅକ୍ଟୋବର ଯାଏ ଜିତିଆସୁଛନ୍ତି। ୨୦୦୬ରେ ନବୀନ କିଶୋରଙ୍କ ପରଲୋକ ପରେ ୨୦୦୬ରେ ନବୀନଙ୍କ ପରଲୋକ ପରେ ୨୦୦୬ରେ ନୀତିନ ବିଧାୟକ ଭାବେ ଜିତିଥିଲେ। ନୀତିନ ଏହି ଆସନରେ ଲଗାତାର ୫ଥରର ବିଧାୟକ। ଆଗ ପଶ୍ଚିମ ପାଟନା ସିଟରୁ ୨୦୦୬ ଉପନିର୍ବାଚନରେ ଜିତିଥିଲେ। ଏହା ପରେ ବାଙ୍କିପୁର ହେବା ପରେ ୪ଥର ନିର୍ବାଚନ ଜିତିଛନ୍ତି। ବିହାରର ସବୁଠୁ ମଝଭୁତ୍ ସିଟ୍। ୨୦୧୫, ୨୦୨୦ ଓ ୨୦୨୫ରେ ନିତିନ ନବୀନ ଏକତରଫା ଜିତିଆସୁଥିଲେ। ପ୍ରତିପକ୍ଷଙ୍କୁ ବିପୁଳ ଭୋଟ ବ୍ୟବଧାନରେ ହରାଇଥିଲେ। ୨୦୨୫ରେ ୯୮ହଜାରରୁ ଉର୍ଦ୍ଧ୍ୱ ଭୋଟ ପାଇବା ସହ ଆରଜେଡିର ରେଖା କୁମାରୀଙ୍କୁ ୫୧,୯୩୬ ଭୋଟ ବ୍ୟବଧାନରେ ହରାଇଥିଲେ। ବାଙ୍କିପୁର ଆସନରେ ନିତିନଙ୍କୁ ଚେକମେଟ୍ ଦେବାକୁ ୨୦୨୦ରେ କଂଗ୍ରେସ ଶତୃଘ୍ନ ସିହ୍ନାଙ୍କ ପୁଅ ୟଶ ସିହ୍ନାଙ୍କୁ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିଲା। ଯିଏ ଆରଜେଡି ଓ ବାମପଂଥୀ ଦଳର ସମର୍ଥନ ପାଇଥିଲେ। ହେଲେ ଜିତିପାରିନଥିଲେ। କେବଳ ଏତିକି ନୁହେଁ। ୨୦୧୫ରେ ଆରଜେଡି-ଜେଡିୟୁ ଓ କଂଗ୍ରେସ ମିଶିକି ବି ବାଙ୍କିପୁର ସିଟ୍ ହାସଲ କରିପାରିଲେନି। ଏହି ଆସନରେ ମୁସଲିମ, ଯାଦବ ଓ ଦଳିତ ଭୋଟରଙ୍କୁ ନେଇ ସମୀକରଣ ହୁଏ। ମୁସଲିମ ଓ ଯାଦବ ଆରଜେଡିର କୋର୍ ଭୋଟବ୍ୟାଙ୍କ ଅଟେ। ବାଙ୍କିପୁର ଆସନରେ କୁର୍ମି, ଚନ୍ଦ୍ରବଂଶୀ ଓ କୋଇରି ମତଦାତାଙ୍କ ବି ଭଲ ସଂଖ୍ୟା ଅଛି। ପିକେ ଏହି ଆସନରେ ଲଢ଼ିବାକୁ ଘୋଷଣା କରିବା ପରେ କିଛି ଦିନ ହେଲା ବିହାରର ଜ୍ୱଳନ୍ତ ମୁଦ୍ଦା ଯେମିତିକି, ଭୋଜପୁର ଏନକାଉଣ୍ଟର, ନିଟ୍ ଛାତ୍ର ମାମଲା, ଟେଣ୍ଡର ଘୋଟାଲା, ବେରୋଜଗାର, ଭ୍ରଷ୍ଟାଟାର ଓ ଶାସନ ଭଳି ମୁଦ୍ଦା ଉଠାଇଆସୁଛନ୍ତି। ସମ୍ରାଟ ସରକାରର ୨ ମାସର କାର୍ଯ୍ୟଶୈଳୀକୁ ନେଇ ଟାର୍ଗେଟ କରିଆସୁଛନ୍ତି। ପାର୍ଟି ଗଠନ ପରେ ପ୍ରଶାନ୍ତଙ୍କ ଏହା ହେଉଛି ପ୍ରଥମ ପ୍ରତ୍ୟକ୍ଷ ମୁକାବିଲା।
