ବାଙ୍ଗିରିପୋଷିରେ ବନ୍ୟା ଆତଙ୍କ, ଘରବାରିରେ ପଶିଲା ବନ୍ୟାଜଳ
ଲଗାଣ ବର୍ଷା ଓ ଶିମିଳିପାଳରୁ ଆସୁଥିବା ବନ୍ୟାଜଳ ଯୋଗୁଁ ବାଙ୍ଗିରିପୋଷିରେ ପରିସ୍ଥିତି ଗମ୍ଭୀର ହୋଇଛି। କଳିଆମୀ ପୋଲ ଉପରେ ପ୍ରାୟ ୧ ଫୁଟ୍ ପାଣି ପ୍ରବାହିତ ହେବାରୁ ଅନେକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ, ଘରବାରିରେ ପଶିଛି ବନ୍ୟାଜଳ।
ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇପଡ଼ିଛି। ଗତ ଦୁଇ ଦିନ ଧରି ଅଞ୍ଚଳରେ ଅବିରତ ବର୍ଷା ହେଉଥିବା ବେଳେ ଗତକାଲି ରାତିଠାରୁ ବର୍ଷାର ପରିମାଣ ଆହୁରି ବଢ଼ିଛି। ଏହା ସହିତ ଶିମିଳିପାଳର ଉପରମୁଣ୍ଡରୁ ବନ୍ୟାଜଳ ଆସିବାରୁ ବିଭିନ୍ନ ନଦୀନାଳର ଜଳସ୍ତର ବୃଦ୍ଧି ପାଇଛି। ବାଙ୍ଗିରିପୋଷିରୁ ଓଳାଗୁଞ୍ଜା, ଶ୍ୟାମସୁନ୍ଦରପୁର, ଭୁଆସୁଣୀ, ଚାକଡ଼ି ଓ ସୋରିଷପାଳ ଆଦି ଅଞ୍ଚଳକୁ ସଂଯୋଗ କରୁଥିବା କଳିଆମୀ ପୋଲ ଉପରେ ପ୍ରାୟ ଏକ ଫୁଟ୍ ଉଚ୍ଚତାରେ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ଏହି ଅଞ୍ଚଳଗୁଡ଼ିକ ସହ ବାଙ୍ଗିରିପୋଷିର ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି। ପୋଲ ଉପରେ ପାଣି ଚାଲୁଥିବାରୁ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଛି। ଏପଟେ ବନ୍ୟାଜଳ ନିକଟସ୍ଥ ଗାଁଗୁଡ଼ିକରେ ଘରବାରି ମଧ୍ୟରେ ପଶିଯାଇଛି। ଏଥିପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଆଶଙ୍କା ବଢ଼ିଛି। ଲଗାଣ ବର୍ଷା ଜାରି ରହିଲେ ପରିସ୍ଥିତି ଆହୁରି ଗମ୍ଭୀର ହେବାର ଆଶଙ୍କା ରହିଛି। ବନ୍ୟା ପରିସ୍ଥିତି ଉପରେ ସ୍ଥାନୀୟ ପ୍ରଶାସନ ନଜର ରଖିଥିବା ବେଳେ ପ୍ରଭାବିତ ଅଞ୍ଚଳର ଲୋକେ ଚିନ୍ତାରେ ଅଛନ୍ତି।ଲଗାଣ ବର୍ଷା ଓ ଶିମିଳିପାଳରୁ ଆସୁଥିବା ବନ୍ୟାଜଳ ଯୋଗୁଁ ବାଙ୍ଗିରିପୋଷିରେ ପରିସ୍ଥିତି ଗମ୍ଭୀର ହୋଇଛି।

