HISTORY HERITAGE: ମାଟି ତଳେ ଦୁଇ ହଜାର ବର୍ଷର ଇତିହାସ
କଳା, ସଂସ୍କୃତି ଓ ଐତିହ୍ୟର ଗନ୍ତାଘର ବରଗଡ଼। ଅସୁରଗଡ଼ରେ ଖନନରୁ ମିଳିଛି ପ୍ରାଚୀନ ମୁଦ୍ରା, ମାଟିପାତ୍ର, ଅସ୍ତ୍ରଶସ୍ତ୍ର ସହ ବହୁ କୀର୍ତ୍ତିରାଜି। ଦୁଇ ହଜାର ବର୍ଷର ଏହି ପ୍ରାଚୀନ କୀର୍ତ୍ତିରାଜି ଏବେ ସଂରକ୍ଷଣ ଅପେକ୍ଷାରେ ।
ବରଗଡ଼: କଳା, ସଂସ୍କୃତି ଓ ଐତିହ୍ୟର ଗନ୍ତାଘର ବରଗଡ଼ । ଏହି ମାଟିରେ ହଜାର ହଜାର ବର୍ଷ ପୂର୍ବରୁ ମାନବ ସଭ୍ୟତା ଗଢ଼ି ଉଠିଥିବାର ଅନେକ ପ୍ରମାଣ ମିଳିଛି । ବରଗଡ଼ ଜିଲ୍ଲା ବରପାଲି ବ୍ଲକ୍ର ଗୋପେଇପାଲି ପଞ୍ଚାୟତ ଅନ୍ତର୍ଗତ ବଡ଼ଗାଁର ଅସୁରଗଡ଼ ଏବେ ଐତିହାସିକ ଗବେଷଣାର ନୂଆ କେନ୍ଦ୍ର ପାଲଟିଛି । ମାଟି ତଳୁ ମିଳିଥିବା ପ୍ରାୟ ଦୁଇ ହଜାର ବର୍ଷ ପୁରୁଣା କୀର୍ତ୍ତିରାଜି ଅସୁରଗଡ଼ର ପ୍ରାଚୀନ ଇତିହାସର ମୂକସାକ୍ଷୀ ହୋଇ ଠିଆ ହୋଇଛି । ଏହି ଐତିହାସିକ ସ୍ଥଳକୁ ଆଜି ପରିଦର୍ଶନ କରିଛନ୍ତି ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅସୁରଗଡ଼ର ଐତିହାସିକ ଗୁରୁତ୍ୱ ସାମ୍ନାକୁ ଆସିବା ପରେ ଏଠାରେ ପ୍ରତ୍ନତାତ୍ତ୍ୱିକ ଖନନ ଆରମ୍ଭ ହୋଇଥିଲା । ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ପକ୍ଷରୁ ଏହି ଖନନ କାର୍ଯ୍ୟ କରାଯାଇଥିଲା । ଖନନ ନିର୍ଦ୍ଦେଶକ ତଥା ଇତିହାସ ବିଭାଗର ପ୍ରଫେସର ଡ. ଅତୁଳ କୁମାର ପ୍ରଧାନଙ୍କ ନେତୃତ୍ୱରେ ଚାରିଟି ସ୍ତରରେ ଖନନ କରାଯାଇଥିଲା । ଖନନ ସମୟରେ ମାଟି ତଳୁ ମିଳିଥିଲା ପ୍ରାୟ ଦୁଇ ହଜାର ବର୍ଷ ପୁରୁଣା ବିଭିନ୍ନ କୀର୍ତ୍ତିରାଜି ।
ଖନନରୁ ମୁଦ୍ରା, ମାଟିପାତ୍ର, ଅସ୍ତ୍ରଶସ୍ତ୍ର ସମେତ ବହୁ ପୁରାତନ ସାମଗ୍ରୀ ଉଦ୍ଧାର ହୋଇଛି । ଏହି ସାମଗ୍ରୀଗୁଡ଼ିକ ଅସୁରଗଡ଼ ଅଞ୍ଚଳର ପ୍ରାଚୀନ ସଭ୍ୟତା, ଜୀବନଶୈଳୀ ଓ ଐତିହ୍ୟ ସମ୍ପର୍କରେ ନୂଆ ତଥ୍ୟ ଦେଉଛି । ଖନନରୁ ମିଳିଥିବା ପ୍ରାଚୀନ ସାମଗ୍ରୀ ସମ୍ପର୍କରେ ଧର୍ମେନ୍ଦ୍ର ପ୍ରଧାନ ତଥ୍ୟ ନେବା ସହ ଅସୁରଗଡ଼ର ଐତିହାସିକ ଗୁରୁତ୍ୱ ବିଷୟରେ ଅବଗତ ହୋଇଥିଲେ । ଅସୁରଗଡ଼କୁ ପ୍ରଥମେ ଚିହ୍ନଟ କରିଥିଲେ ପ୍ରଖ୍ୟାତ ଇତିହାସକାର ତଥା ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ସ୍ୱର୍ଗତ ଡ. ନବୀନ କୁମାର ସାହୁ । ପରବର୍ତ୍ତୀ ସମୟରେ ଏଠାରେ ହୋଇଥିବା ଖନନରୁ ମିଳିଥିବା ସାମଗ୍ରୀ ପ୍ରାଚୀନ ସଭ୍ୟତାର ବିକାଶ ଉପରେ ଅନେକ ନୂଆ ତଥ୍ୟ ଦେଇଛି । କେତେକ ସାମଗ୍ରୀର ଗ୍ରୀକ୍ ସଭ୍ୟତା ସହ ସମ୍ପର୍କ ଥିବା ନେଇ ମଧ୍ୟ ଅନୁମାନ କରାଯାଉଛି । ପୁରାତନ କାଳରେ ଅସୁରଗଡ଼ରେ ଏକ ଛୋଟ ସହର ଗଢ଼ି ଉଠିଥିବାର ମଧ୍ୟ ଆଶଙ୍କା କରାଯାଉଛି । ଏଠାକାର ଲୋକମାନେ ମିଳିଥିବା ସାମଗ୍ରୀକୁ ନିଜର ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ନେଇ ମଧ୍ୟ ଗବେଷକମାନେ ଅନୁମାନ କରୁଛନ୍ତି । ଅସୁରଗଡ଼ର ମାଟି ତଳେ ଏବେ ବି ଅନେକ ଐତିହାସିକ ରହସ୍ୟ ଲୁଚି ରହିଥିବା ଆଶା କରାଯାଉଛି । ଆଗକୁ ଆହୁରି ବ୍ୟାପକ ଖନନ ଓ ଗବେଷଣା କରାଗଲେ ଏଠାରୁ ମାନବ ସଭ୍ୟତାର ଅନେକ ଅଜଣା ଅଧ୍ୟାୟ ସାମ୍ନାକୁ ଆସିପାରେ । ତେଣୁ ଦୁଇ ହଜାର ବର୍ଷ ପୁରୁଣା ଏହି କୀର୍ତ୍ତିରାଜିର ସଂରକ୍ଷଣ ସହ ଅସୁରଗଡ଼ରେ ଆହୁରି ଖନନ କରିବା ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ । ଏହା ହେଲେ ବରଗଡ଼ ସମେତ ପଶ୍ଚିମ ଓଡ଼ିଶାର ପ୍ରାଚୀନ ଇତିହାସର ଅନେକ ଅଜଣା ଦିଗ ଉନ୍ମୋଚିତ ହୋଇପାରିବ ।
