Farmer Registration: ରେକର୍ଡ ସଂଖ୍ୟକ ଚାଷୀଙ୍କ ପଞ୍ଜୀକରଣ
ରାଜ୍ୟରେ ରେକର୍ଡ ସଂଖ୍ୟକ ଚାଷୀ ପଞ୍ଜୀକରଣ, ଆଜି ରାତି ୧ଟା ପର୍ଯ୍ୟନ୍ତ ପଞ୍ଜୀକରଣର ସୁଯୋଗ । ଚାଷୀଙ୍କ ହିତରେ ସରକାର କାମ କରୁଛି: ସମବାୟ ମନ୍ତ୍ରୀ ।
ଭୁବନେଶ୍ୱର: ରାଜ୍ୟରେ ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଚାଷୀ ପଞ୍ଜୀକରଣ କରିଛନ୍ତି। ଗତକାଲି ସୁଦ୍ଧା ରାଜ୍ୟରେ ୨୧ ଲକ୍ଷ ୪୨ ହଜାର ଚାଷୀ ପଞ୍ଜୀକରଣ କରିଥିବା ସୂଚନା ମିଳିଛି। ଗତବର୍ଷ ଏହି ସଂଖ୍ୟା ୧୯ ଲକ୍ଷ ୬୭ ହଜାର ଥିଲା। ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପଞ୍ଜୀକରଣ ସମୟସୀମା ଆଉ ୭ ଦିନ ବୃଦ୍ଧି କରିଥିଲେ। ଆଜି ରାତି ୧ଟା ପର୍ଯ୍ୟନ୍ତ ଚାଷୀମାନେ ପଞ୍ଜୀକରଣ କରିପାରିବେ। ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି ଯେ, ସରକାର ସବୁବେଳେ ଚାଷୀଙ୍କ ହିତକୁ ପ୍ରାଥମିକତା ଦେଇ ଆସୁଛନ୍ତି। ତେଣୁ ପଞ୍ଜୀକରଣକୁ ନେଇ ବିରୋଧୀ କାହିଁକି ଆନ୍ଦୋଳନର ଧମକ ଦେଉଛନ୍ତି, ତାହାର ଉତ୍ତର ସେମାନଙ୍କ ପାଖରେ ରହିଛି ବୋଲି ସେ କହିଛନ୍ତି। କେବଳ ଧାନ କିଣା ନୁହେଁ, ଚାଷୀଙ୍କୁ ସାର ଯୋଗାଣ କ୍ଷେତ୍ରରେ ମଧ୍ୟ ସରକାର କୌଣସି ଅବହେଳା କରୁନାହାନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ଏବେ ମଧ୍ୟ ରାଜ୍ୟରେ ୨୪ ହଜାର ୪୦୦ ଟନ୍ ସାର ଗଚ୍ଛିତ ରହିଛି। ସାର ଯୋଗାଣରେ ଅବହେଳା କଲେ ଡିଲରଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯାଉଛି। ଅବହେଳା ପାଇଁ ଡିଲରଙ୍କୁ ନିଲମ୍ବନ କରାଯିବା ସହ ଆବଶ୍ୟକ ପଡ଼ିଲେ ଲାଇସେନ୍ସ ମଧ୍ୟ ରଦ୍ଦ କରାଯାଉଛି ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି।
