Asika Relief Protest:ରିଲିଫ ଦାବିରେ ରାଜପଥ ଅବରୋଧ
ବନ୍ୟା ଦୁର୍ଦ୍ଦଶାରୁ ମୁକୁଳିନାହାନ୍ତି ଗ୍ରାମବାସୀ, ଏପଟେ ରିଲିଫ ନମିଳିବା ଅଭିଯୋଗକୁ ନେଇ ବଢ଼ିଛି ଅସନ୍ତୋଷ। ଶେଷରେ ନ୍ୟାୟ ପାଇଁ ଜାତୀୟ ରାଜପଥକୁ ଓହ୍ଲାଇଛନ୍ତି ନଳବଣ୍ଟା ଗ୍ରାମବାସୀ। ଅଟକିଛି ଆସିକା-ବ୍ରହ୍ମପୁର ରାସ୍ତାର ଯାତାୟାତ।
ଗଞ୍ଜାମ :ବନ୍ୟାର ଦୁର୍ଦ୍ଦଶା ପରେ ଏବେ ରିଲିଫକୁ ନେଇ ଫୁଟିଛି ଅସନ୍ତୋଷ। ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ନଳବଣ୍ଟା ଗ୍ରାମରେ ରିଲିଫ ନମିଳିବା ଅଭିଯୋଗରେ ଗ୍ରାମବାସୀ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ଆସିକା-ବ୍ରହ୍ମପୁର ରାସ୍ତାରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ବାତ୍ୟା ଅର୍ଣ୍ଣବ ପ୍ରଭାବରେ ହୋଇଥିବା ବନ୍ୟାରେ ନଳବଣ୍ଟା ଗ୍ରାମରେ ବନ୍ୟାଜଳ ପଶି ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ସହ ଅନ୍ୟାନ୍ୟ ସମ୍ପତ୍ତି ନଷ୍ଟ ହେବାରୁ ଗ୍ରାମବାସୀ ଦୁର୍ଦ୍ଦଶା ଭୋଗୁଛନ୍ତି। ଏଭଳି ସ୍ଥିତିରେ ବହୁବାର ପ୍ରଶାସନକୁ ନିବେଦନ କରିଥିଲେ ମଧ୍ୟ ଏଯାଏଁ ରିଲିଫ ମିଳିନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ରିଲିଫ ଦାବିରେ କ୍ଷୁବ୍ଧ ଲୋକେ ଜାତୀୟ ରାଜପଥ ଉପରେ ବସି ରାସ୍ତାରୋକ କରିଥିଲେ। ଫଳରେ ଆସିକା-ବ୍ରହ୍ମପୁର ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ିମୋଟରର ଲମ୍ବା ଧାଡ଼ି ଲାଗିଥିଲା। ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହେବାରୁ ଯାତ୍ରୀମାନେ ମଧ୍ୟ ହଇରାଣ ହୋଇଥିଲେ।
ଖବର ପାଇ ପ୍ରଶାସନ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ତେବେ ରିଲିଫ ପ୍ରଦାନ ଦାବି ପୂରଣ ନହେବା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
