ଆଣ୍ଡି ବର୍ଣ୍ଣହାମ ହେଲେ ୟୁକେର ୫୯ତମ ପ୍ରଧାନମନ୍ତ୍ରୀ
ଆଣ୍ଡି ବର୍ଣ୍ଣହାମ ହେଲେ ୟୁକେର ୫୯ତମ ପ୍ରଧାନମନ୍ତ୍ରୀ। କିଙ୍ଗ ଚାର୍ଲସଙ୍କ ଦ୍ୱାରା ସରକାର ଗଠନ ଲାଗି ପାଇଥିଲେ ନିମନ୍ତ୍ରଣ। କିର୍ ଷ୍ଟାରମରଙ୍କ ଜାଗା ନେଲେ ଆଣ୍ଡି। ଜୁନରେ ଇସ୍ତଫା ଦେଇଥିଲେ ଷ୍ଟାରମର।
ଆଣ୍ଡି ବର୍ଣ୍ଣହାମ ହେଲେ ୟୁକେର ୫୯ତମ ପ୍ରଧାନମନ୍ତ୍ରୀ। ଆଣ୍ଡି ବର୍ଣ୍ଣହାମ ଆଧିକାରିକ ଭାବେ ବ୍ରିଟେନର ୫୯ତମ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସୋମବାର ପୂର୍ବାହ୍ନରେ ବକିଂହାମ ପ୍ୟାଲେସରେ କିଙ୍ଗ ଚାର୍ଲସ ତୃତୀୟଙ୍କ ସହ ଏକ ବ୍ୟକ୍ତିଗତ ସାକ୍ଷାତ୍କାର ସମୟରେ ତାଙ୍କୁ ନୂତନ ସରକାର ଗଠନ ପାଇଁ ଆମନ୍ତ୍ରଣ ଦିଆଯାଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମରଙ୍କ ଇସ୍ତଫା ପରେ ବର୍ଣ୍ଣହାମଙ୍କୁ ସରକାର ଗଠନର ଦାୟିତ୍ୱ ଦିଆଯାଇଥିଲା। ଷ୍ଟାର୍ମରଙ୍କ ନେତୃତ୍ୱ ଉପରେ ବଢ଼ୁଥିବା ଅସନ୍ତୋଷ ଏବଂ ଲେବର ପାର୍ଟିର ନିର୍ବାଚନୀ ବିଫଳତା ତାଙ୍କ ଇସ୍ତଫାର ପ୍ରମୁଖ କାରଣ ହୋଇଥିଲା। ମେ ମାସରେ ହୋଇଥିବା ସ୍ଥାନୀୟ ନିର୍ବାଚନରେ ଲେବର ପାର୍ଟି ବଡ଼ କ୍ଷତି ସହିଥିଲା। ଦଳ ପ୍ରାୟ ୧,୭୦୦ଟି କାଉନ୍ସିଲ୍ ଆସନ ହରାଇବା ସହ ୪୦ଟି ସ୍ଥାନୀୟ କାଉନ୍ସିଲ୍ର ନିୟନ୍ତ୍ରଣ ହାରାଇଥିଲା। ୱେଲ୍ସ ଓ ସ୍କଟଲ୍ୟାଣ୍ଡରେ ମଧ୍ୟ ଦଳର ପ୍ରଦର୍ଶନ ଦୁର୍ବଳ ରହିଥିଲା। ଏହା ସହିତ ରିଫର୍ମ ୟୁକେର ବଢ଼ୁଥିବା ଲୋକପ୍ରିୟତା ଲେବର ପାର୍ଟି ଉପରେ ଅଧିକ ଚାପ ସୃଷ୍ଟି କରିଥିଲା। ନିର୍ବାଚନୀ ପରାଜୟ ପରେ ସରକାରରେ ମନ୍ତ୍ରୀସ୍ତରୀୟ ଇସ୍ତଫା ଆରମ୍ଭ ହୋଇଥିଲା। ଏହା ସହ ଦଳ ଭିତରେ ଷ୍ଟାର୍ମରଙ୍କ ବିରୋଧରେ ଅସନ୍ତୋଷ ବଢ଼ିଥିଲା। ଶେଷରେ ଜୁନରେ ଷ୍ଟାରମର ଲେବର ପାର୍ଟି ନେତା ଓ ପ୍ରଧାନମନ୍ତ୍ରୀ ପଦରୁ ହଟିବାକୁ ନିଷ୍ପତ୍ତି ନେଇଥିଲେ।

ଲେବର ପାର୍ଟିର ନେତୃତ୍ୱ ନିର୍ବାଚନରେ ଆଣ୍ଡି ବର୍ଣ୍ଣହାମ ଏକମାତ୍ର ପ୍ରାର୍ଥୀ ଥିଲେ। ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ପ୍ରଥମ ଭାଷଣରେ ବର୍ଣ୍ଣହାମ କହିଛନ୍ତି, “ଆମେ ଏହି ମୁହୂର୍ତ୍ତକୁ ବ୍ରିଟେନ ପାଇଁ ଏକ ବଡ଼ ପରିବର୍ତ୍ତନର ସୁଯୋଗରେ ପରିଣତ କରିବୁ। ଆମେ ଏକ ନୂତନ ରାଜନୈତିକ ମଡେଲ୍ ଏବଂ ଏକ ନୂତନ ଆର୍ଥିକ ମଡେଲ୍ ଆଣିବୁ।” ସେ ଆହୁରି କହିଛନ୍ତି, “ଆମେ ଏକ ନୂତନ ଅର୍ଥନୀତି ଗଢ଼ିବୁ, ଯେଉଁଠାରେ ଜୀବନର ଆବଶ୍ୟକୀୟ ସାମଗ୍ରୀ ଉପରେ ପୁଣି ଅଧିକ ଜନସାଧାରଣଙ୍କ ନିୟନ୍ତ୍ରଣ ରହିବ, ଯାହା ଫଳରେ ସେଗୁଡ଼ିକ ପୁଣି ସୁଲଭ ହୋଇପାରିବ। ସରକାରୀ କ୍ରୟ ନୀତି ମାଧ୍ୟମରେ ବ୍ରିଟିଶ ଶିଳ୍ପକୁ ସମର୍ଥନ ଦେଇ ଦେଶର ଶିଳ୍ପକୁ ପୁନର୍ଜୀବିତ କରାଯିବ।”
ଅନ୍ଯପଟେ, ଆଣ୍ଡିଙ୍କୁ ଭାରତର ପ୍ରଧାନମନ୍ତ୍ରୀ ମୋଦି ଶୁଭେଛା ଦେବା ସହ ଦୁଇ ଦେଶ ଭିତରେ ସମ୍ପର୍କକୁ ଅଧିକ ମଝଭୁତ କରିବାକୁ ନିଜର ପ୍ରତିବଦ୍ଧତା ଦର୍ଶାଇଛନ୍ତି।
