Amla Navami:ଅଁଳା ନବମୀରେ ରାଧାରାଣୀଙ୍କ ପାଦ ଦର୍ଶନ
ବର୍ଷକର ଅପେକ୍ଷା ପରେ ଆସିଛି ସେହି ପବିତ୍ର ଦିନ। ମା’ ରାଧାରାଣୀଙ୍କ ଦୁର୍ଲଭ ପାଦ ଦର୍ଶନ ପାଇଁ ସାକ୍ଷୀଗୋପାଳରେ ଶ୍ରଦ୍ଧାଳୁଙ୍କ ସମାଗମ। ଭକ୍ତି, ଆସ୍ଥା ଓ ପରମ୍ପରାର ଅପୂର୍ବ ମିଳନରେ ମୁଖରିତ ହୋଇଛି ସମଗ୍ର ମନ୍ଦିର ପରିସର।
ପୁରୀ:ପବିତ୍ର ଅଁଳା ନବମୀ ଅବସରରେ ଭକ୍ତି ଓ ଆଧ୍ୟାତ୍ମିକତାରେ ମୁଖରିତ ହୋଇଉଠିଛି ପୁରୀ ଜିଲ୍ଲାର ପ୍ରସିଦ୍ଧ ସାକ୍ଷୀଗୋପାଳ ମନ୍ଦିର। ବର୍ଷକରେ ମାତ୍ର ଗୋଟିଏ ଦିନ ମା’ ରାଧାରାଣୀଙ୍କ ପାଦ ଦର୍ଶନର ସୁଯୋଗ ମିଳୁଥିବାରୁ ଏହି ଦିନକୁ ଅପେକ୍ଷା କରି ରହିଥାନ୍ତି ଅଗଣିତ ଶ୍ରଦ୍ଧାଳୁ। ଆଜି ସେହି ପବିତ୍ର ଦିନ ହୋଇଥିବାରୁ ଭୋରରୁ ମନ୍ଦିରରେ ଲାଗିଛି ଭକ୍ତଙ୍କ ଭିଡ଼। ସାକ୍ଷୀଗୋପାଳ ମନ୍ଦିର ଓଡ଼ିଶାର ଏକ ପ୍ରମୁଖ ଧାର୍ମିକ ପୀଠ। ଏଠାରେ ପୂଜା ପାଉଛନ୍ତି ଶ୍ରୀକୃଷ୍ଣ ଓ ମା’ ରାଧାରାଣୀ। ତେବେ ଏହି ମନ୍ଦିରର ସବୁଠାରୁ ଆକର୍ଷଣୀୟ ଧାର୍ମିକ ପରମ୍ପରା ହେଉଛି ଅଁଳା ନବମୀରେ ମା’ ରାଧାରାଣୀଙ୍କ ପାଦ ଦର୍ଶନ। ସାଧାରଣ ଦିନରେ ମା’ଙ୍କ ପାଦ ଆବୃତ ରହୁଥିବା ବେଳେ ଏହି ଦିନ ଶ୍ରଦ୍ଧାଳୁଙ୍କୁ ଦୁର୍ଲଭ ପାଦ ଦର୍ଶନର ସୁଯୋଗ ମିଳିଥାଏ। ଏହି ଦର୍ଶନକୁ ରାଧାପାଦ ଦର୍ଶନ କୁହାଯାଏ। କେବଳ ପୁରୀ ଜିଲ୍ଲା ନୁହେଁ, ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁମାନେ ଏହି ଦିନ ସାକ୍ଷୀଗୋପାଳ ଆସିଥାନ୍ତି। ମା’ଙ୍କ ପାଦ ଦର୍ଶନ କରିବା ସହ ନିଜ ପରିବାରର ମଙ୍ଗଳ ଓ ସୁଖଶାନ୍ତି କାମନା କରିଥାନ୍ତି। ଏଥିପାଇଁ ମନ୍ଦିର ପରିସରରେ ଦେଖିବାକୁ ମିଳିଛି ଭକ୍ତିମୟ ପରିବେଶ।ଅନ୍ୟପଟେ ଶ୍ରଦ୍ଧାଳୁଙ୍କ ସୁବିଧା ଓ ସୁରକ୍ଷିତ ଦର୍ଶନକୁ ଦୃଷ୍ଟିରେ ରଖି ସେବାୟତ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଛି ବ୍ୟାପକ ବ୍ୟବସ୍ଥା। ଲମ୍ବା ଧାଡ଼ିରେ ଆସି ଶୃଙ୍ଖଳିତ ଭାବେ ମା’ଙ୍କ ଦର୍ଶନ କରୁଛନ୍ତି ଭକ୍ତ। ବର୍ଷକର ଅପେକ୍ଷା ପରେ ମା’ଙ୍କ ପାଦ ଦର୍ଶନ କରି ଭାବବିହ୍ୱଳ ହୋଇପଡ଼ୁଛନ୍ତି ଶ୍ରଦ୍ଧାଳୁ।
