AI crocodile lands man in jail :AI କୁମ୍ଭୀର ପହଞ୍ଚାଇଦେଲା ସିଙ୍ଗାପୁର ଜେଲ୍
ଭାବନ୍ତୁ ତ, ଜଣେ ଘରେ ବସି କୋଡିଏ ସେକେଣ୍ଡରେ ଗୋଟେ କୁମ୍ଭୀରର AI ଫଟୋ ତିଆରି କଲେ, ଆଉ ସେଇଟାକୁ ଦେଖି ପୂରା ଦେଶର ନୌକା ଚାଳନା ବନ୍ଦ! ପୋଲିସ, ବନ ବିଭାଗ ଆଉ ଜଳ ସଂସ୍ଥା ସବୁ ଜାଲ ଧରି ପାଣିରେ କୁମ୍ଭୀର ଖୋଜିଲେ । ଶେଷରେ କୁମ୍ଭୀର ତ ମିଳିଲାନି, ହେଲେ ଫଟୋ ବନେଇଥିବା କଳାକାର ବାବୁଙ୍କୁ ସିଧା ଜେଲ୍ର ବାଟ ଦେଖାଇଛି ସିଙ୍ଗାପୁର ପୋଲିସ | ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସହ ଏମିତି ମଜାକ୍ କରି ଏବେ ୧୦ ବର୍ଷ ପାଇଁ ଜେଲ୍ରେ ଚକି ପେଶିପାରନ୍ତି ଯୁବକ ଜଣକ |
ସିଙ୍ଗାପୁର: ନିଜ ସାଙ୍ଗମାନଙ୍କୁ ବୋକା ବନାଇବା ପାଇଁ ଲୋକେ କଣ କଣ ଯେ କରୁଛନ୍ତି ତାହା କଳ୍ପନା ବାହାରେ | କିଏ ଡ୍ୟାନ୍ସ କରୁଛି ତ କିଏ ରିଲ୍ସ ବନାଉଛି । ହେଲେ ସିଙ୍ଗାପୁରରେ ରହୁଥିବା ଜଣେ ବାବୁ ନିଜ ସହକର୍ମୀଙ୍କୁ ଚମକାଇବା ପାଇଁ ଏମିତି ଏକ ଆଇଡିଆ ଲଗାଇଲେ ଯେ, ସହକର୍ମୀ କଣ ପୂରା ଦେଶରେ ହଲଚଲ ସୃଷ୍ଟି ହୋଇଗଲା । ୩୦ ବର୍ଷୀୟ ଏହି କଳାକାର ବାବୁଙ୍କର ନାଁ ହେଉଛି ୟେ ଲିନ୍। ବାବୁ ଘରେ ବସି ବୋର ହେଉଥିଲେ, ତେଣୁ ସେ ଗୁଗଲ୍ର Gemini AI ଆପ୍ ଖୋଲିଲେ ଏବଂ ଏକ ଜୀବନ୍ତ ଦେଖାଯାଉଥିବା ‘କୁମ୍ଭୀର’ର ଫଟୋ ତିଆରି କଲେ ।ଫଟୋଟି ଏମିତି ଥିଲା ଯେ, ସିଙ୍ଗାପୁରର ପ୍ରସିଦ୍ଧ ପାଣ୍ଡାନ୍ ରିଜର୍ଭର୍ଭୟର ପାଣିରେ ଏକ ବିରାଟ କୁମ୍ଭୀର ଭାସୁଛି | ତେବେ,ଏତିକିରେ ଯଦି ସେ ଅଟକି ଯାଇଥାନ୍ତେ ତେବେ ହୁଏତ ବଞ୍ଚିଯାଇଥାନ୍ତେ, ହେଲେ ସେ ସେହି ଫଟୋକୁ ନିଜ ସହକର୍ମୀ ମିନ୍ ମିନ୍ ଉ’ଙ୍କ ପାଖକୁ ପଠାଇଦେଲେ । ଆଉ ତାପରେ ଫିଲ୍ମ କାହାଣୀରେ ଟ୍ଵିଷ୍ଟ ପରି ତାଙ୍କ ଜୀବନ ମୋଡ ନେଇଛି |
ବାବୁ ତ ଫଟୋ ପଠାଇ ଦେଇ ଶୋଇପଡ଼ିଲେ, ହେଲେ ସେପଟେ ନିଦ ହଜିଗଲା ସିଙ୍ଗାପୁରର ଜାତୀୟ ଜଳ ସଂସ୍ଥା (PUB) ର | ପର୍ଯ୍ୟଟନ ହବ୍ରେ କୁମ୍ଭୀର ବୁଲିଥିବା ଜାଣି ସାଧାରଣ ଜନତାଙ୍କ ସୁରକ୍ଷା ପାଇଁ ତୁରନ୍ତ ଆଲର୍ଟ ଜାରି କରାଗଲା । ‘ସିଙ୍ଗାପୁର ରୋଇଂ ଆସୋସିଏସନ’ ଏବଂ ‘କାନୋ ଡେରେସନ’କୁ ଚିଠି ଲେଖାଯାଇ ସମସ୍ତ ନୌକା ଚାଳନା, କାୟାକିଙ୍ଗ୍ ଏବଂ ୱାଟର ଆକ୍ଟିଭିଟିକୁ ଦୁଇ ଦିନ ପାଇଁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଗଲା । ବିଚରା ବନ ବିଭାଗ ଓ ଉଦ୍ଧାରକାରୀ ଦଳ ଜାଲ, ବାଡ଼ି ଧରି ୧୪ ଘଣ୍ଟା କାଳ ପାଣିରେ କୁମ୍ଭୀର ଖୋଜିଲେ । ହେଲେ କୁମ୍ଭୀର ଥିଲେ ସିନା ମିଳିବ! ଯେତେବେଳେ ଜଳ ସଂସ୍ଥା ଜାଣିବାକୁ ପାଇଲା ଯେ ସେମାନଙ୍କୁ ଜଣେ କେହି ବୋକା ବନେଇ ଦେଇଛି, ସେତେବେଳେ ସେମାନେ ସିଧା ଯାଇ ପୋଲିସରେ ଏଫ୍ଆଇଆର୍ ଦେଲେ । ପୋଲିସ ଖୋଜି ଖୋଜି ୟେ ଲିନ୍ଙ୍କ ପାଖରେ ପହଞ୍ଚିଲା, ସେତେବେଳକୁ ସେ ଭୟରେ Gemini AI ଆପ୍ର ଚାଟ୍ ଲଗ୍ ଡିଲିଟ୍ କରି ସାରିଥିଲେ ଏବଂ ମୋବାଇଲ୍ରୁ ଫଟୋ ବି ଉଡ଼େଇ ଦେଇଥିଲେ ୟେ ଲିନ୍। ହେଲେ ସିଙ୍ଗାପୁରର ସ୍ମାର୍ଟ ପୋଲିସ ତାର ଫୋରେନ୍ସିକ ଲଗ୍ ବାହାର କରି ବାବୁଙ୍କୁ ଧରିନେଲା ।
ସିଙ୍ଗାପୁର ପୋଲିସ ବହୁତ କଡ଼ା ଭାଷାରେ କହିଛି ଯେ, "ଆମେ ଏମିତି ଫାଲତୁ ମଜାକ୍ ଏବଂ ଗୁଜବକୁ ଆଦୌ ସହ୍ୟ କରିବୁ ନାହିଁ । ଏହାଦ୍ୱାରା ଜନସାଧାରଣଙ୍କ ମଧ୍ୟରେ ଭୟ ସୃଷ୍ଟି ହେବା ସହ ସରକାରୀ ସମ୍ପତ୍ତି ଓ ଶ୍ରମର ଅଯଥା ଅପବ୍ୟୟ ହୋଇଛି ।" ଖାଲି ଏତିକି ନୁହଁ ବାବୁଙ୍କ ଉପରେ ଦୁଇଟି ସାଂଘାତିକ ଧାରା ଲଗାଯାଇଛି– ଗୋଟିଏ ହେଉଛି ‘ଭୁଲ୍ ବାର୍ତ୍ତା ପ୍ରସାର କରିବା’ ଯେଉଁଥିପାଇଁ ୩ ବର୍ଷ ଜେଲ୍ ଏବଂ ପ୍ରାୟ ୭.୪ ଲକ୍ଷ ଟଙ୍କାର ଜରିମାନା ହୋଇପାରେ । ଆଉ ଦ୍ୱିତୀୟଟି ହେଉଛି ପୋଲିସ ପ୍ରମାଣ ନଷ୍ଟ କରି ‘ନ୍ୟାୟ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବା’, ଯେଉଁଥିପାଇଁ ସିଧା ୭ ବର୍ଷର ଜେଲ୍ ସଜା ହୋଇପାରେ । ଅର୍ଥାତ୍ ମୋଟ ୧୦ ବର୍ଷ ପାଇଁ ବାବୁ ଏବେ ଜେଲ୍ରେ କୁମ୍ଭୀରର ଚିତ୍ର ଆଙ୍କିବେ | ଯଦି ଏହା ଆମେରିକା କିମ୍ବା ଅନ୍ୟ କୌଣସି ଦେଶ ହୋଇଥାନ୍ତା, ତେବେ ଲୋକେ ଏହାକୁ ଏକ ସାଧାରଣ ମିମ୍ ଭାବି ହସି କଥା ଉଡ଼େଇ ଦେଇଥାନ୍ତେ । ହେଲେ ସିଙ୍ଗାପୁର ଆଇନ ବହୁତ କଠୋର। ତେବେ,ୟେ ଲିନ୍ ମଧ୍ୟ ନିଜର ଭୁଲ୍ ସ୍ୱୀକାର କରି କୋର୍ଟରେ ଦୋଷୀ ବୋଲି ମାନି ନେଇଛନ୍ତି । ଆସନ୍ତା ନଭେମ୍ବର ମାସରେ କୋର୍ଟ ଏହି ମାମଲାର ଚୂଡ଼ାନ୍ତ ନିଷ୍ପତି ଗ୍ରହଣ କରିବେ । ଏଥିରୁ ଜଣାପଡ଼େ ଯେ, ଯେତେବେଳେ AI ଦ୍ୱାରା ସୃଷ୍ଟ ବିଷୟବସ୍ତୁ ଯୋଗୁଁ ହେଉଥିବା କ୍ଷତି ପୂର୍ବରୁ ଥିବା ଆଇନ ଅଧୀନରେ ଆସୁଥାଏ, ସେତେବେଳେ ଆଇନ ପ୍ରଣେତାମାନଙ୍କୁ ସର୍ବଦା AI ପାଇଁ ସମ୍ପୂର୍ଣ୍ଣ ନୂତନ ଆଇନ ପ୍ରସ୍ତୁତ କରିବାର ଆବଶ୍ୟକତା ନଥାଏ।
