Adyakali Puja:ମା’ ଆଦ୍ୟାକାଳୀଙ୍କ ସ୍ୱତନ୍ତ୍ର ପରମ୍ପରା
ଦୁଇ ଶତାବ୍ଦୀରୁ ଅଧିକ ପୁରୁଣା ଆସ୍ଥା ଓ ପରମ୍ପରାକୁ ଆଜି ବି ବଞ୍ଚାଇ ରଖିଛନ୍ତି ଖପୁରିଆପଦା ଗ୍ରାମବାସୀ। ଆମିଷ ବଳି ବଦଳରେ କଖାରୁ ବଳିର ନିଆରା ବିଧି ଏହି ପୀଠକୁ ଦେଇଛି ସ୍ୱତନ୍ତ୍ର ପରିଚୟ।
ଭଣ୍ଡାରିପୋଖରୀ: ବୈତରଣୀ ନଦୀର ପବିତ୍ର କୂଳରେ ଭକ୍ତି ଓ ଆଧ୍ୟାତ୍ମିକତାର ପରିବେଶ। ଘଣ୍ଟଘଣ୍ଟା, ମନ୍ତ୍ରୋଚ୍ଚାରଣ ଓ ଧୂପଦୀପର ସୁଗନ୍ଧରେ ମୁଖରିତ ହେଉଛି ମନ୍ଦିର ପରିସର। ଅବସର ହେଉଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ବନ୍ଦାଳ ମଢିୟାଳୀ ପଞ୍ଚାୟତ ଅନ୍ତର୍ଗତ ଖପୁରିଆପଦା ଗାଁର ମା’ ଆଦ୍ୟାକାଳୀଙ୍କ ବାର୍ଷିକ ପୂଜାର୍ଚ୍ଚନା। ଲୋକକଥା ଓ ଜନଶ୍ରୁତି ଅନୁସାରେ, ଏହି ପୀଠରେ ମା’ଙ୍କ ପୂଜା ପରମ୍ପରା ପ୍ରାୟ ୨୦୦ ବର୍ଷରୁ ଅଧିକ ପୁରୁଣା। ପିଢ଼ି ପରେ ପିଢ଼ି ଧରି ଗ୍ରାମବାସୀଙ୍କ ଆସ୍ଥା ଓ ବିଶ୍ୱାସ ସହ ଜଡ଼ିତ ରହିଛି ଏହି ଆଦ୍ୟପୀଠ। ମା’ଙ୍କ ବାର୍ଷିକ ପୂଜା ପାଇଁ ଏବେ ସମଗ୍ର ଗାଁ ଉତ୍ସବମୁଖର ହୋଇପଡ଼ିଛି। ପାରମ୍ପରିକ ବିଧିବିଧାନ ଓ ରୀତିନୀତି ଅନୁସାରେ କ୍ରମାଗତ ୧୫ ଦିନ ଧରି ଚାଲିବ ଏହି ପୂଜା। ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ମନ୍ଦିରରେ ମନ୍ତ୍ରୋଚ୍ଚାରଣ, ଧୂପଦୀପ ଓ ସ୍ୱତନ୍ତ୍ର ଆଳତୀ କରାଯାଉଛି। ମା’ଙ୍କ ଦର୍ଶନ ଓ ଆଶୀର୍ବାଦ ପାଇଁ ଆଖପାଖ ଅଞ୍ଚଳରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି। ତେବେ ଏହି ପୀଠର ସବୁଠାରୁ ନିଆରା ପରମ୍ପରା ହେଉଛି ବଳି ପ୍ରଦାନର ବିଧି। ଏଠାରେ ଆମିଷ ବଳି ବଦଳରେ ମା’ଙ୍କ ନିକଟରେ କଖାରୁ ବଳି ଦିଆଯାଏ। ପ୍ରାଚୀନ କାଳରୁ ଚଳିଆସୁଥିବା ଏହି ପରମ୍ପରା ଆଜି ବି ନିଜର ସ୍ୱତନ୍ତ୍ରତା ବଜାୟ ରଖିଛି। ବୈତରଣୀ ନଦୀ କୂଳର ପ୍ରାକୃତିକ ଶାନ୍ତ ପରିବେଶ ମଧ୍ୟରେ ଅବସ୍ଥିତ ଏହି ପୀଠ ଏବେ ଭକ୍ତଙ୍କ ଆଗମନରେ ଚଳଚଞ୍ଚଳ। ପୁରୁଣା ପରମ୍ପରା, ଗ୍ରାମବାସୀଙ୍କ ଶ୍ରଦ୍ଧା ଓ ସାମୂହିକ ଆୟୋଜନ ଖପୁରିଆପଦାର ଏହି ବାର୍ଷିକ ପୂଜାକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି।

