Cyclone-Alert : ବିପଦ ଆସିବା ପୂର୍ବରୁ ପ୍ରସ୍ତୁତି, ୧୬ ଭୂସ୍ଖଳନ ସ୍ଥଳ ଚିହ୍ନଟ
ବାତ୍ୟା ‘ଅକ୍ୱାନ’ ମାଡ଼ି ଆସିବା ପୂର୍ବରୁ କୋରାପୁଟରେ କାହିଁକି ବଢ଼ିଲା ଚିନ୍ତା? ୧୬ଟି ସ୍ଥାନରେ ଭୂସ୍ଖଳନ ଭୟ, ୮୪ଟି ଗାଁ ଉପରେ ନଜର। ବିପଦ ମୁକାବିଲା ପାଇଁ ପ୍ରଶାସନର ପ୍ରସ୍ତୁତି କେତେ ଦୂର?

ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ର ମୁକାବିଲା ସହ ଜନସାଧାରଣଙ୍କ ଧନଜୀବନ ସୁରକ୍ଷାକୁ ଗୁରୁତ୍ୱ ଦେଇ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଜୋରଦାର କରାଯାଇଛି। ଏନେଇ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟୱାନ ମହାଜନଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ ଭର୍ଚୁଆଲ୍ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସମସ୍ତ ବିଡିଓ, ତହସିଲଦାର ଏବଂ ବିଭିନ୍ନ ବିଭାଗର ଅଧିକାରୀ ଯୋଗଦେଇଥିଲେ।ବୈଠକରେ ଜିଲ୍ଲାର ୧୬ଟି ସ୍ଥାନରେ ସମ୍ଭାବ୍ୟ ଭୂସ୍ଖଳନ ଆଶଙ୍କା ଥିବାରୁ ସେହି ଅଞ୍ଚଳଗୁଡ଼ିକ ଉପରେ ସତର୍କ ନଜର ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଜରୁରୀ ପରିସ୍ଥିତିରେ ରାସ୍ତାରୁ ମାଟି ଓ ଗଛ ହଟାଇବା ପାଇଁ ଜେସିବି ସମେତ ଆବଶ୍ୟକୀୟ ଯନ୍ତ୍ରପାତି ଓ ଯାନବାହନ ପ୍ରସ୍ତୁତ ରଖିବା ସହ ପର୍ଯ୍ୟାପ୍ତ ପରିମାଣର ପଲିଥିନ୍ ମହଜୁଦ ରଖିବାକୁ ସେ କହିଥିଲେ।
କୋରାପୁଟ, ଲକ୍ଷ୍ମୀପୁର, ଜୟପୁର, ବୈପାରିଗୁଡ଼ା ଓ କୋଟପାଡ଼ ଭଳି ପ୍ରମୁଖ ଅଞ୍ଚଳର ରାସ୍ତାଗୁଡ଼ିକୁ ଯାତାୟାତ ପାଇଁ ସମ୍ପୂର୍ଣ୍ଣ ମୁକ୍ତ ରଖିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ରାସ୍ତାକଡ଼ରେ ବଡ଼ ବଡ଼ ଯାନବାହନ ଅଯଥାରେ ରଖି ଯାତାୟାତରେ ବାଧା ସୃଷ୍ଟି ନକରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ବାତ୍ୟାରେ ସମ୍ଭାବ୍ୟ ପ୍ରଭାବିତ ହେବାକୁ ଥିବା ୮୪ଟି ଗ୍ରାମ ଉପରେ ପ୍ରଶାସନ ସ୍ୱତନ୍ତ୍ର ନଜର ରଖିବ। ଦାମନଯୋଡ଼ି ଓ କାକିରିଗୁମ୍ମା ଅଞ୍ଚଳରେ ବିକଳ୍ପ ରାସ୍ତା ଚିହ୍ନଟ କରି ଆଗୁଆ ପ୍ରସ୍ତୁତ ରଖିବାକୁ ମଧ୍ୟ ଅଧିକାରୀମାନଙ୍କୁ କୁହାଯାଇଛି। ମୁଖ୍ୟ ରାସ୍ତା ଅବରୋଧ ହେଲେ ଯେପରି ଲୋକଙ୍କ ଯାତାୟାତ ଓ ଜରୁରୀକାଳୀନ ସେବା ପ୍ରଭାବିତ ନହୁଏ, ସେଥିପାଇଁ ଏହି ପଦକ୍ଷେପ ନିଆଯାଇଛି। ଗ୍ରାମାଞ୍ଚଳରେ ଲୋକଙ୍କୁ ସମୟୋଚିତ ସତର୍କ ସୂଚନା ପହଞ୍ଚାଇବା ପାଇଁ ପ୍ରତ୍ୟେକ ଗ୍ରାମପଞ୍ଚାୟତ ଓ ଗ୍ରାମରେ ମାଇକ୍ ଯୋଗେ ବ୍ୟାପକ ପ୍ରଚାର କରିବାକୁ ନିର୍ଦ୍ଦେଶ ରହିଛି। ଏଥିସହ ପ୍ରତ୍ୟେକ ଗ୍ରାମ ପାଇଁ ସ୍ୱତନ୍ତ୍ର ରୁଟ୍ ଚାର୍ଟ ପ୍ରସ୍ତୁତ କରିବା ସହ ଆବଶ୍ୟକ ସ୍ଥଳେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ଓ ଉଦ୍ଧାର କାର୍ଯ୍ୟକୁ ସୁଗମ କରିବା ଉପରେ ଜୋର ଦିଆଯାଇଛି।
ବୈଠକରେ ଜିଲ୍ଲାପାଳ ସମସ୍ତ ବିଡିଓ, ତହସିଲଦାର ଓ ବିଭାଗୀୟ ଅଧିକାରୀଙ୍କୁ ନିଜ ନିଜ ଅଞ୍ଚଳରେ ସଜାଗ ରହିବା ସହ ସମସ୍ତ ଆବଶ୍ୟକୀୟ ପ୍ରସ୍ତୁତି ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପୂର୍ଣ୍ଣ କରିବାକୁ କହିଥିଲେ। ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ, ତ୍ୱରିତ ପଦକ୍ଷେପ ଏବଂ ଜନସାଧାରଣଙ୍କ ସହଯୋଗ ମାଧ୍ୟମରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବକୁ ସର୍ବନିମ୍ନ କରିବା ଦିଗରେ କୋରାପୁଟ ଜିଲ୍ଲା ପ୍ରଶାସନ ପ୍ରାଥମିକତା ଦେଇଛି।

