ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା।
ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: OPSCରେ ୬ ଥର ସୁଯୋଗ ହଟିଲା, ନବମ-ଦଶମକୁ ମିଳିବ ମାଗଣା ବହି।
ଭୁବନେଶ୍ୱର: ୮୦ତମ ସ୍ୱାଧୀନତା ଦିବସ ଅବସରରେ ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ମହିଳା ସଶକ୍ତିକରଣ, ଶିଳ୍ପ ଓ ଯୁବ ନିଯୁକ୍ତି ସମ୍ପର୍କରେ ସରକାରଙ୍କ ବିଭିନ୍ନ ପଦକ୍ଷେପର ଚିତ୍ର ରଖିଛନ୍ତି। ଏହାସହ ଏକାଧିକ ନୂଆ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, “ଆଗାମୀ ଦଶ ବର୍ଷ ହେବ ଓଡ଼ିଶାର ଦଶକ।” ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଏବଂ ୨୦୪୭ ସୁଦ୍ଧା ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନ ପାଇଁ ସମସ୍ତେ ପ୍ରତିବଦ୍ଧ ହେବାକୁ ସେ ଆହ୍ୱାନ ଦେଇଛନ୍ତି।
OPSC ପରୀକ୍ଷାରେ ଆଉ ରହିବନି ୬ ଥର ସୀମା
ସରକାରୀ ଚାକିରି ଆଶାୟୀଙ୍କ ପାଇଁ ବଡ଼ ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ସିଭିଲ୍ ସର୍ଭିସ୍ (OCS) ପରୀକ୍ଷାରେ ଥିବା ସର୍ବାଧିକ ୬ଟି ସୁଯୋଗ ସୀମାକୁ ହଟାଇ ଦିଆଯିବ। ଏଣିକି ପ୍ରାର୍ଥୀମାନେ ସର୍ବୋଚ୍ଚ ବୟସସୀମା ପର୍ଯ୍ୟନ୍ତ ପରୀକ୍ଷା ଦେଇପାରିବେ। ସେହିପରି ସରକାରୀ ଚାକିରି ପାଇଁ ସର୍ବାଧିକ ବୟସସୀମା ୩୨ରୁ ୪୨ ବର୍ଷକୁ ବୃଦ୍ଧି କରାଯାଇଥିବା ସେ କହିଛନ୍ତି। ପରୀକ୍ଷାରେ ଦୁର୍ନୀତି ଓ ଅନିୟମିତତାକୁ ସରକାର ଅକ୍ଷମଣୀୟ ଅପରାଧ ଭାବେ ଗ୍ରହଣ କରିବେ ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି।
ନବମ-ଦଶମ ଶ୍ରେଣୀକୁ ମିଳିବ ମାଗଣା ପାଠ୍ୟପୁସ୍ତକ
ଶିକ୍ଷା କ୍ଷେତ୍ରରେ ଆଉ ଏକ ବଡ଼ ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏଣିକି ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମଧ୍ୟ ନିଃଶୁଳ୍କ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବ। ଏହା ପୂର୍ବରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମାଗଣା ପାଠ୍ୟପୁସ୍ତକ ଦିଆଯାଉଥିଲା। ସରକାରଙ୍କ ‘କେଜିରୁ ପିଜି’ ନିଃଶୁଳ୍କ ଶିକ୍ଷା ପଦକ୍ଷେପ ସମ୍ପର୍କରେ ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୨,୨୦୦ଟି ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ନିର୍ମାଣ କରାଯିବ। ଗତ ଦୁଇ ବର୍ଷରେ ୨୬ ହଜାର ଶିକ୍ଷକ-ଶିକ୍ଷୟିତ୍ରୀ ନିଯୁକ୍ତ ହୋଇଥିବା ବେଳେ ଆଗାମୀ ଦିନରେ ଆଉ ୪୫ ହଜାର ଶିକ୍ଷକ ନିଯୁକ୍ତି ପାଇଁ ପଦକ୍ଷେପ ଆରମ୍ଭ ହୋଇଥିବା ସେ କହିଛନ୍ତି।
୨୦ ଲକ୍ଷ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ
ଯୁବବର୍ଗଙ୍କୁ ରାଜ୍ୟର ବିକାଶର ମୁଖ୍ୟ ଶକ୍ତି ଭାବେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗାମୀ ୧-୨ ବର୍ଷ ମଧ୍ୟରେ ଅତି କମ୍ରେ ୩ ଲକ୍ଷ ଏବଂ ପାଞ୍ଚ ବର୍ଷ ମଧ୍ୟରେ ୨୦ ଲକ୍ଷ ଆକର୍ଷଣୀୟ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଶିଳ୍ପର ଆବଶ୍ୟକତା ଅନୁଯାୟୀ ଯୁବକ-ଯୁବତୀଙ୍କୁ ଦକ୍ଷତା ପ୍ରଶିକ୍ଷଣ ଦେବା ଉପରେ ସରକାର ଗୁରୁତ୍ୱ ଦେଉଥିବା ସେ କହିଛନ୍ତି। ୱାର୍ଲ୍ଡ ସ୍କିଲ୍ ସେଣ୍ଟରର ଆଉ ୩ଟି ନୂଆ କେନ୍ଦ୍ର ଖୋଲାଯିବ। ୨୫ଟି ITIରେ ସେଣ୍ଟର ଅଫ୍ ଏକ୍ସେଲେନ୍ସ ଏବଂ ୧୩ଟି ITIରେ AI ଲ୍ୟାବ୍ ସ୍ଥାପନ କରାଯାଉଥିବା ସେ କହିଛନ୍ତି।
ଶିଳ୍ପରେ ୨୧ ଲକ୍ଷ କୋଟି ଟଙ୍କା ନିବେଶ ପ୍ରସ୍ତାବ
ଓଡ଼ିଶାରେ ଶିଳ୍ପାୟନ ନେଇ ସରକାରଙ୍କ ସଫଳତାର ଚିତ୍ର ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ଦୁଇ ବର୍ଷରେ ୨୧ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଛି। ଏଥିରୁ ୧୦ ଲକ୍ଷ କୋଟି ଟଙ୍କାର ୪୫୩ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି। ଏହା ମଧ୍ୟରୁ ୩.୫ ଲକ୍ଷ କୋଟି ଟଙ୍କାର ୧୫୨ଟି ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ ହୋଇସାରିଥିବା ବେଳେ ଏଥିରୁ ୨.୫ ଲକ୍ଷ ଯୁବକ-ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥିବା ସେ ଦାବି କରିଛନ୍ତି।
ଚାଷୀଙ୍କ ପାଇଁ ଧାନ ପଞ୍ଜୀକରଣ ନେଇ ସ୍ପଷ୍ଟତା
ଧାନକିଣା ପାଇଁ ପଞ୍ଜୀକରଣ ସମସ୍ୟା ପ୍ରସଙ୍ଗରେ ଚାଷୀଙ୍କୁ ଆଶ୍ୱସ୍ତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏଗ୍ରି-ଷ୍ଟାକ୍ ପଞ୍ଜୀକରଣ ଓ ଧାନକିଣା ପାଇଁ ପି-ପାସ୍ ପଞ୍ଜୀକରଣ ମଧ୍ୟରେ କୌଣସି ସମ୍ପର୍କ ନାହିଁ। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପି-ପାସ୍ ପଞ୍ଜୀକରଣ ଆଧାରରେ ଧାନକିଣା କାର୍ଯ୍ୟକ୍ରମ ଚାଲିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଚାଷୀଙ୍କ ଆୟ ବୃଦ୍ଧି ପାଇଁ ୩୧୦୦ ଟଙ୍କାରେ ଧାନକିଣା, PM-KISAN ଓ CM-KISAN ଅଧୀନରେ ବାର୍ଷିକ ୧୦ ହଜାର ଟଙ୍କା ସହାୟତା ସହିତ ବିଭିନ୍ନ ଯୋଜନା ଚାଲୁଥିବା ସେ କହିଛନ୍ତି।
ମହିଳାଙ୍କ ପାଇଁ ସୁଭଦ୍ରା ଓ ଲକ୍ଷପତି ଦିଦି
ମହିଳା ସଶକ୍ତିକରଣକୁ ସରକାରର ପ୍ରମୁଖ ପ୍ରାଥମିକତା ବୋଲି ଦର୍ଶାଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏକ କୋଟିରୁ ଅଧିକ ସୁଭଦ୍ରା ହିତାଧିକାରୀ ଏବଂ ୨୬ ଲକ୍ଷରୁ ଅଧିକ ଲକ୍ଷପତି ଦିଦି ଆଜି ନିଜସ୍ୱ ଆର୍ଥିକ କାର୍ଯ୍ୟକଳାପ ପାଇଁ ଆଗକୁ ବଢ଼ୁଛନ୍ତି। ‘ମୁଖ୍ୟମନ୍ତ୍ରୀ କନ୍ୟାବିବାହ ଯୋଜନା’ ଓ ‘ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା’ ମାଧ୍ୟମରେ ଝିଅମାନଙ୍କ ସାମାଜିକ ଓ ଆର୍ଥିକ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଥିବା ସେ କହିଛନ୍ତି।
ସ୍ୱାସ୍ଥ୍ୟ କ୍ଷେତ୍ରରେ ନୂଆ ମେଡିକାଲ କଲେଜ
ସ୍ୱାସ୍ଥ୍ୟସେବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ମିଳିତ କାର୍ଯ୍ୟକାରିତା ମାଧ୍ୟମରେ ରାଜ୍ୟର ପ୍ରାୟ ୩.୭ କୋଟି ଲୋକ ଉପକୃତ ହେଉଛନ୍ତି। ଯାଜପୁର, ତାଳଚେର ଓ କନ୍ଧମାଳରେ ମେଡିକାଲ କଲେଜ ସହ ଆଉ ୪ଟି ନୂଆ ମେଡିକାଲ କଲେଜ ଓ ୭ଟି ନର୍ସିଂ କଲେଜ ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯାଉଛି। ଏହାସହ ୩ଟି ନୂଆ ଆୟୁର୍ବେଦିକ ଓ ୨ଟି ହୋମିଓପାଥିକ୍ ମେଡିକାଲ କଲେଜ ଖୋଲିବାକୁ ଯୋଜନା ରହିଛି।
୨୦୨୭ ସୁଦ୍ଧା ଗାଁଗୁଡ଼ିକୁ ମୌଳିକ ସୁବିଧା
‘ମିଶନ ପାୱାର’ ମାଧ୍ୟମରେ ୨୦୨୭ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଗାଁକୁ ସଡ଼କ, ବିଜୁଳି ଓ ପାନୀୟ ଜଳ ଭଳି ମୌଳିକ ସୁବିଧା ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି କେନ୍ଦ୍ର ସରକାରଙ୍କ ସହଯୋଗରେ ରେଳ, ଜାତୀୟ ରାଜପଥ, ବିମାନବନ୍ଦର ଓ BKPPER ଭଳି ବଡ଼ ଭିତ୍ତିଭୂମି ପ୍ରକଳ୍ପ ଓଡ଼ିଶାର ଅର୍ଥନୈତିକ ଚିତ୍ର ବଦଳାଇବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ନକ୍ସଲ ହିଂସା ହ୍ରାସକୁ ସରକାରଙ୍କ ବଡ଼ ସଫଳତା ଭାବେ ବର୍ଣ୍ଣନା
ଦେଶରେ ନକ୍ସଲ ଓ ମାଓବାଦୀ ହିଂସାର ହ୍ରାସକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ସଫଳତା ବୋଲି ଦର୍ଶାଇଛନ୍ତି। ଓଡ଼ିଶାର ନକ୍ସଲ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ହିଂସା ହ୍ରାସ ପରେ ବିକାଶ କାର୍ଯ୍ୟକୁ ଆହୁରି ଗତି ମିଳିଥିବା ସେ କହିଛନ୍ତି।
ସୁଶାସନ ଓ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା
ସରକାରଙ୍କ ‘ଶୂନ୍ୟ ସହନଶୀଳତା’ ନୀତି ଉପରେ ଜୋର ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଦୁର୍ନୀତି କରୁଥିବା କୌଣସି ଅଧିକାରୀଙ୍କୁ ଛଡ଼ାଯିବ ନାହିଁ। ଅଭିଯୋଗ ଶୁଣାଣି ବ୍ୟବସ୍ଥାକୁ ରାଜ୍ୟରୁ ବ୍ଲକ୍ ସ୍ତର ପର୍ଯ୍ୟନ୍ତ ବ୍ୟାପକ କରାଯାଇଛି ବୋଲି ସେ କହିଛନ୍ତି।
ଓଡ଼ିଆ ଅସ୍ମିତା ଓ ଜଗନ୍ନାଥ ସଂସ୍କୃତି ଉପରେ ଗୁରୁତ୍ୱ
ଭାଷା, ସଂସ୍କୃତି ଓ ଐତିହ୍ୟର ସୁରକ୍ଷାକୁ ସରକାର ପ୍ରାଥମିକତା ଦେଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ପୁରୀକୁ ବିଶ୍ୱସ୍ତରୀୟ ଆଧ୍ୟାତ୍ମିକ-ପର୍ଯ୍ୟଟନ କେନ୍ଦ୍ର ଭାବେ ବିକଶିତ କରିବା ଦିଗରେ କାର୍ଯ୍ୟ ଆରମ୍ଭ ହୋଇଥିବା ସେ କହିଛନ୍ତି।
ଶେଷରେ ମୁଖ୍ୟମନ୍ତ୍ରୀ ସମୃଦ୍ଧ, ସଶକ୍ତ, ସମାବେଶୀ ଓ ବିକଶିତ ଓଡ଼ିଶା ଗଠନ ପାଇଁ ରାଜ୍ୟବାସୀଙ୍କୁ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି।
