Lord Jagannath's Panchuka Looks :ପଞ୍ଚୁକ ପାଇଁ ପୁରୀରେ ଭିଡ଼- ମହାପ୍ରଭୁଙ୍କ ଦର୍ଶନ ପାଇଁ ଆତୁର ଶ୍ରଦ୍ଧାଳୁ
ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ପଞ୍ଚୁକ ନୀତି। ପ୍ରଥମ ଦିନରେ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେବେ ମହାପ୍ରଭୁ। ଭକ୍ତଙ୍କ ଭିଡ଼କୁ ନଜରରେ ରଖି ବ୍ୟାରିକେଡ୍ ଓ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି।

ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପଞ୍ଚୁକ ନୀତି। ହରି ଉତ୍ଥାପନ ଏକାଦଶୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ପଞ୍ଚୁକ ବ୍ରତ ପାଳନ କରିବେ ଶ୍ରଦ୍ଧାଳୁ। ଏହି ଅବସରରେ ଆଜି ପ୍ରଥମ ଦିନରେ ମହାପ୍ରଭୁ ଲକ୍ଷ୍ମୀନାରାୟଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ।ଅବକାଶ ନୀତି ପରେ ପୁଷ୍ପାଳକ ସେବକମାନେ ଶ୍ରୀଜୀଉଙ୍କୁ ସ୍ୱର୍ଣ୍ଣ ଅଳଙ୍କାର, ପୁଷ୍ପମାଲ୍ୟ ଓ ପାଟବସ୍ତ୍ରରେ ସଜ୍ଜିତ କରିବେ। ପଞ୍ଚୁକର ପାଞ୍ଚ ଦିନରେ ମହାପ୍ରଭୁ ପାଞ୍ଚଟି ସ୍ୱତନ୍ତ୍ର ବେଶରେ ଦର୍ଶନ ଦେବେ। ଦ୍ୱାଦଶୀ କ୍ଷୟ ଯୋଗୁଁ ଚଳିତ ବର୍ଷ ବାଙ୍କଚୂଡ଼ା ବେଶ ଅନୁଷ୍ଠିତ ହେବ ନାହିଁ। ଆସନ୍ତାକାଲି ତ୍ରୟୋଦଶୀରେ ତ୍ରିବିକ୍ରମ ବେଶ ଏବଂ ଚତୁର୍ଦ୍ଦଶୀରେ ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହେବ।ଅନ୍ୟପଟେ, କାର୍ତ୍ତିକ ମାସରେ ଏକମାସ ଧରି ବ୍ରତ ପାଳନ କରିଥିବା ହବିଷ୍ୟାଳିମାନେ ଶେଷ ପାଞ୍ଚ ଦିନ ପଞ୍ଚୁକ ବ୍ରତ ପାଳନ କରିବେ। ଏଥିପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼କୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି। ମାର୍କେଟ ଛକ ନିକଟରୁ ଛଅ ଥାକିଆ ଲମ୍ବା ବ୍ୟାରିକେଡ୍ ନିର୍ମାଣ କରାଯାଇଛି। ସରକାରୀ ଶିବିରରେ ରହୁଥିବା ହବିଷ୍ୟାଳିଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟାରିକେଡ୍ ଓ ସୁବିଧା ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ପଞ୍ଚୁକର ପାଞ୍ଚ ଦିନ ଧରି ୩୦ ପ୍ଲାଟୁନରୁ ଅଧିକ ପୋଲିସ ଫୋର୍ସ ମୁତୟନ ରହିବେ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନଜର ରଖାଯାଇଛି। ପଞ୍ଚୁକ ଅବସରରେ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ସମାଗମ ବଢ଼ିବା ସହ ମହାପ୍ରଭୁଙ୍କ ଦୁର୍ଲଭ ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।
