No Homestead :୩୫ ବର୍ଷର ସଂଘର୍ଷ, ତଥାପି ମିଳୁନି ଖଣ୍ଡିଏ ଘରଡିହ!
ଜଗତସିଂହପୁର ଏରସମାର ସବିତା ନାଥଙ୍କ ୩୫ ବର୍ଷର ସଂଘର୍ଷ। ସ୍ୱାମୀଙ୍କ ମୃତ୍ୟୁ ପରେ ପାଲ ଘେରା ଘରେ ବିତୁଛି ଜୀବନ। ଘରଡିହ ଜମି ପାଇଁ ପ୍ରଶାସନକୁ ଗୁହାରି। କେବେ ମିଳିବ ଖଣ୍ଡିଏ ଘରଡିହ, ଏବେ ପ୍ରଶାସନର ପଦକ୍ଷେପକୁ ଅପେକ୍ଷା।
ଏରସମା: ୩୫ ବର୍ଷର ଦୀର୍ଘ ସଂଘର୍ଷ। ତଥାପି ମିଳିପାରିନି ଖଣ୍ଡିଏ ଘରଡିହ ଜମି। ମୁଣ୍ଡ ଗୁଞ୍ଜିବାକୁ ନାହିଁ ସୁରକ୍ଷିତ ଘର। ପାଲ ଘେରା ଛୋଟିଆ ଆଶ୍ରୟରେ ବିତୁଛି ଜୀବନ। ଏଭଳି ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି ଜଗତସିଂହପୁର ଜିଲ୍ଲା ଏରସମା ଅଞ୍ଚଳର ସବିତା ନାଥ। ଦୀର୍ଘ ୩୫ ବର୍ଷ ଧରି ଘରଡିହ ଖଣ୍ଡିଏ ପାଇଁ ସେ କରିଆସୁଛନ୍ତି ସଂଘର୍ଷ। ସ୍ୱାମୀଙ୍କ ମୃତ୍ୟୁ ପରେ ପରିବାରର ସମସ୍ତ ଦାୟିତ୍ୱ ଏବେ ସବିତାଙ୍କ କାନ୍ଧରେ। ତିନି ଝିଅ ଓ ଦୁଇ ପୁଅଙ୍କ ମଧ୍ୟରୁ ଏବେ ଦୁଇ ପୁଅଙ୍କ ସହ ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି ସେ। ଜମିଜମା ସମସ୍ୟାକୁ ନେଇ ତାଙ୍କ ସ୍ୱାମୀ ଟୁକୁନା ନାଥଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ସବିତା ଅଭିଯୋଗ କରିଛନ୍ତି। ନିଜର ଏହି ଦୁର୍ଦ୍ଦଶା ଦୂର କରିବାକୁ ସବିତା ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ସରପଞ୍ଚଙ୍କଠାରୁ ଆରମ୍ଭ କରି ତହସିଲଦାର ଓ ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଛନ୍ତି। ଜନଶୁଣାଣି ଶିବିରରେ ମଧ୍ୟ ନିଜ ସମସ୍ୟା ଜଣାଇଛନ୍ତି। ହେଲେ ୩୫ ବର୍ଷ ପରେ ବି ମିଳିନାହିଁ କୌଣସି ସ୍ଥାୟୀ ସମାଧାନ। ଅନ୍ୟପଟେ ସରପଞ୍ଚଙ୍କ କହିବା ଅନୁଯାୟୀ, ସବିତାଙ୍କ ନାମରେ ଘରଡିହ ଜମି ନଥିବାରୁ ତାଙ୍କୁ ଘର ନିର୍ମାଣ ପାଇଁ ସ୍ଥାନୀୟ ସ୍ତରରେ କୌଣସି ସହାୟତା କରିବା ସମ୍ଭବ ହୋଇପାରୁନାହିଁ। ଏବେ ପ୍ରଶ୍ନ ଉଠୁଛି, ଦୀର୍ଘ ୩୫ ବର୍ଷ ଧରି ନ୍ୟାୟ ପାଇଁ ଲଢ଼ୁଥିବା ସବିତାଙ୍କ ସମସ୍ୟାର ସମାଧାନ କେବେ ହେବ? କେବେ ମିଳିବ ତାଙ୍କୁ ଖଣ୍ଡିଏ ଘରଡିହ ଓ ସୁରକ୍ଷିତ ଆଶ୍ରୟ? ଏବେ ପ୍ରଶାସନର ପଦକ୍ଷେପକୁ ଅପେକ୍ଷା।
