ବିନା ଦୋଷରେ ୨୨ ବର୍ଷ ଜେଲ୍ !
କେବଳ ସନ୍ଦେହ ଆଧାରରେ ଗିରଫଦାରି ଓ ଅବୈଧ ଭାବେ ସ୍ୱୀକାରୋକ୍ତି ନେଇ ଦୁର୍ବଳ ସାକ୍ଷୀ ଭିତ୍ତିରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଦିଆଗଲା। ସୁପ୍ରିମକୋର୍ଟ ଏହା ବି କହିଛନ୍ତି, ଓଡ଼ିଶା ହାଇକୋର୍ଟ ୩୧୫୭ ଦିନ ବିଳମ୍ୱ ଆଧାର ଉପରେ ଜେଲ୍ ଅପିଲ ଖାରର କରିଦେଲେ। ଯେବେକି ସେହି ସମୟ ଯାଏ ଅଭିଯୁକ୍ତ ୧୨ ବର୍ଷ ଜେଲରେ କାଟିସାରିଥିଲେ। ଏଭଳି ମାମଲାରେ ସାମ୍ୱିଧାନିକ ଅଦାଲତଗୁଡ଼ିକୁ ସକ୍ରିୟ ଦୃଷ୍ଟିକୋଣ ଗ୍ରହଣ କରିବା ଜରୁରୀ।

ବିନା ଦୋଷରେ ଜେଲ୍। ତା ପୁଣି ୨୨ ବର୍ଷ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ସତ। କେବଳ ସନ୍ଦେହ ଆଧାରରେ ଓ ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଭିତ୍ତି କରି ନବରଙ୍ଗପୁର ହିର୍ଲିଡଙ୍ଗରର ଅର୍ଜୁନ ଜାନିଙ୍କୁ ଜେଲର ଅନ୍ଧାର କୋଠରୀକୁ ଠେଲି ଦିଆଗଲା। ଜୀବନର ୨୨ ବର୍ଷ କାଳକୋଠରୀରେ ବିତିଗଲା। ସେହି ଦୋଷୀ ଅର୍ଜୁନଙ୍କୁ ନିର୍ଦ୍ଦୋଷ କହି ଖଲାସ ବେଳେ ସର୍ବୋଚ୍ଚ ଅଦାଲତ ଯେଉଁ ଟିପ୍ପଣୀ କରିଛନ୍ତି, ତାହା ନ୍ୟାୟିକ ବ୍ୟବସ୍ଥାରେ ବ୍ୟତିକ୍ରମକୁ ଉଜ୍ଜିବିତ କରିଛି। ଏହି ମାମଲା ଅପରାଧିକ ନ୍ୟାୟ ପ୍ରଣାଳୀର ସାମୂହିକ ବିଫଳତା ବୋଲି କହିଛନ୍ତି ଜଷ୍ଟିସ ଜେବି ପର୍ଦ୍ଦିଓ୍ୱାଲା ଓ ଜଷ୍ଟି, କେ ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ। ଅଦାଲତ କହିଛନ୍ତି, କେବଳ ସନ୍ଦେହର ଆଧାରରେ ନବରଙ୍ଗପୁରର ଅର୍ଜୁନଙ୍କୁ ପୁଲିସ ହେପାଜତକୁ ନେଇଥିଲା। ତାଙ୍କୁ ଥାର୍ଡ ଡିଗ୍ରୀ ଦେଇ ଦୋଷ ସ୍ୱୀକାର କରିବାକୁ ବାଧ୍ୟ କରାଯାଇଥିଲା। ଟ୍ରାଏଲ କୋର୍ଟ ବି ସାକ୍ଷୀଙ୍କ ସଠିକ୍ ମୂଲ୍ୟାଙ୍କନ କଲେନି ଓ ହାଇକୋର୍ଟ ବି ମୁକଦର୍ଶକ ସାଜିଲେ। ଆଉ ଏ ସବୁ କାରଣରୁ ଦୀର୍ଘ ୨୨ ବର୍ଷ ଜେଲ ଜୀବନ କାଟିବାକୁ ବାଧ୍ୟ ହୋଇଗଲେ ଅର୍ଜୁନ। ଯେବେ କି ତାଙ୍କ ବିରୁଦ୍ଧରେ କୌଣସି ବିଶ୍ୱସନୀୟ ସାକ୍ଷୀ ନଥିଲା। ଓଡ଼ିଶା ହାଇକୋର୍ଟଙ୍କ ଫୈସଲାକୁ ରଦ୍ଦ କରି ଏଭଳି ଟିପ୍ପଣୀ କରିଛନ୍ତି ସୁପ୍ରିମକୋର୍ଟ। ୩ ଜଣ ମହିଳାଙ୍କ ହତ୍ୟା ଘଟଣାରେ କୌଣସି ଠୋସ୍ ପ୍ରମାଣ ବିନା କେବଳ ସନ୍ଦେହ ଆଧାରରେ ଗିରଫଦାରି ଓ ଅବୈଧ ଭାବେ ସ୍ୱୀକାରୋକ୍ତି ନେଇ ଦୁର୍ବଳ ସାକ୍ଷୀ ଭିତ୍ତିରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଦିଆଗଲା। ସୁପ୍ରିମକୋର୍ଟ ଏହା ବି କହିଛନ୍ତି, ଓଡ଼ିଶା ହାଇକୋର୍ଟ ୩୧୫୭ ଦିନ ବିଳମ୍ୱ ଆଧାର ଉପରେ ଜେଲ୍ ଅପିଲ ଖାରର କରିଦେଲେ। ଯେବେକି ସେହି ସମୟ ଯାଏ ଅଭିଯୁକ୍ତ ୧୨ ବର୍ଷ ଜେଲରେ କାଟିସାରିଥିଲେ। ଏଭଳି ମାମଲାରେ ସାମ୍ୱିଧାନିକ ଅଦାଲତଗୁଡ଼ିକୁ ସକ୍ରିୟ ଦୃଷ୍ଟିକୋଣ ଗ୍ରହଣ କରିବା ଜରୁରୀ। କାରଣ ଏହା ବ୍ୟକ୍ତିର ସ୍ୱତନ୍ତ୍ରତା ସହ ଜଡ଼ିତ ପ୍ରଶ୍ନ ଅଟେ। ଅର୍ଜୁନଙ୍କୁ ଦୋଷୀ ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନରେ କରାଯାଇଛି। ଯେଉଁ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନରେ ବିରୋଧାଭାସ ଓ ଅସଙ୍ଗତି ଦେଖିବାକୁ ମିଳିଥିଲା। ସଂପୃକ୍ତ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ବି ଅନ୍ୟ ସାକ୍ଷୀଙ୍କ ସମର୍ଥନ ନଥିଲା। ଏଭଳି ଅବିଶ୍ୱସନୀୟ ସାକ୍ଷୀ ଆଧାରରେ କାହାର ଦୋଷକୁ କାଏମ ରଖାଯାଇପାରିବନି।
