୧୨ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ
ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗଣା ଜିଲ୍ଲାର ବାରୁଇପୁର ଅଞ୍ଚଳରେ ଜଣେ ୧୨ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ନେଇ ଅଭିଯୋଗ। ପରେ ସମଗ୍ର ଅଞ୍ଚଳରେ ଉତ୍ତେଜନା । ଚାରି ଜଣକୁ ଗିରଫ କରିଛି ପୋଲିସ ।

କୋଲକାତା: ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ନେଇ ଅଭିଯୋଗ। ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗଣା ଜିଲ୍ଲାର ବାରୁଇପୁର ଅଞ୍ଚଳରେ ଜଣେ ୧୨ ବର୍ଷୀୟା ନାବାଳିକାଙ୍କ ମୃତଦେହ ଏକ ପୋଖରୀରୁ ଉଦ୍ଧାର ହେବା ପରେ ସମଗ୍ର ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ପରିବାର ପକ୍ଷରୁ ନାବାଳିକାଙ୍କୁ ଅପହରଣ, ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ନାବାଳିକା ଶନିବାର ଅପରାହ୍ନରେ ଘରୁ ବନ୍ଧୁଙ୍କ ପାଇଁ ଉପହାର କିଣିବାକୁ ବାହାରିଥିଲେ। ଦୀର୍ଘ ସମୟ ଧରି ଘରକୁ ଫେରିନଥିବାରୁ ପରିବାର ଲୋକେ ସାରାରାତି ଖୋଜାଖୋଜି କରି ପୁଲିସରେ ନିଖୋଜ ଅଭିଯୋଗ କରିଥିଲେ। ରବିବାର ଭୋର ସମୟରେ ହାଟ ନିକଟସ୍ଥ ଏକ ପୋଖରୀରୁ ବସ୍ତା ଭିତରେ ତାଙ୍କ ମୃତଦେହ ମିଳିଥିଲା। ଘଟଣା ପରେ ସ୍ଥାନୀୟ ଲୋକ ରାସ୍ତା ଓ ରେଳପଥ ଅବରୋଧ କରି ବିକ୍ଷୋଭ କରିଥିଲେ। ଟାୟାର ଜାଳିବା ସହ ପୋଲିସ ଗାଡ଼ି ଗାଡ଼ି ଭଙ୍ଗାରୁଜା କରିଥିଲେ । ସୀଆଲଦା-ନାମଖାନା ରେଳପଥରେ ପ୍ରାୟ ଏକ ଘଣ୍ଟା ଧରି ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ଏବଂ ସଡ଼କ ଯାତାୟାତ ମଧ୍ୟ କିଛି ଘଣ୍ଟା ପର୍ଯ୍ୟନ୍ତ ପ୍ରଭାବିତ ହୋଇଥିଲା। ଉତ୍ତ୍ୟକ୍ତ ଲୋକ ଘଟଣାରେ ସମ୍ପୃକ୍ତ ସନ୍ଦେହରେ ୨୬ ବର୍ଷୀୟ ଇନ୍ଦ୍ରଜିତ ତାନ୍ତି ନାମକ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ରହିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ପୋଲିସ ଶାନ୍ତନୁ ମଣ୍ଡଳ ନାମକ ଅନ୍ୟ ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛି। ମାମଲାରେ ଏପର୍ଯ୍ୟନ୍ତ ଚାରିଜଣଙ୍କୁ ଗିରଫ କହିଛି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ବହୁ ସଂଖ୍ୟକ । ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରାଯାଇଥିଲା। ଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ଗଠନ କରାଯାଇଛି। ନାବାଳିକାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି। ପରେ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଘଟଣା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁବେନ୍ଦୁ ଅଧିକାରୀ ପୀଡ଼ିତାଙ୍କ ପିତାଙ୍କ ସହ ଫୋନରେ କଥା ହୋଇ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନର ଆଶ୍ୱାସନ ଦେଇଛନ୍ତି। ପୀଡ଼ିତ ପରିବାରକୁ ଭବାନୀ ଭବନକୁ ଆସି ଅଧିକାରୀମାନଙ୍କ ସହ ଆଲୋଚନା କରିବାକୁ ମଧ୍ୟ ଆମନ୍ତ୍ରଣ ଦିଆଯାଇଛି। ଏହି ଘଟଣାକୁ ନେଇ ରାଜ୍ୟରେ ରାଜନୈତିକ ତର୍କ ମଧ୍ୟ ଜୋର ଧରିଛି। ବିଭିନ୍ନ ରାଜନୈତିକ ଦଳ ପୀଡ଼ିତାଙ୍କୁ ନ୍ୟାୟ ଦେବା ଏବଂ ଦୋଷୀଙ୍କ ବିରୋଧରେ କଠୋର ଦଣ୍ଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
