College Election Nomination :୧୨ ଘଣ୍ଟା ଧାରଣା, ଅଧିକାରୀ ଗାଏବ
ଗାନ୍ଧୀଜୀଙ୍କ ଫଟୋ ଧରି ୧୨ ଘଣ୍ଟା ଧାରଣାରେ ବସିଲେ ଛାତ୍ର ରୁଦ୍ର ନାରାୟଣ କର। କଲେଜ ନିର୍ବାଚନରେ ପ୍ରାର୍ଥିପତ୍ର ନାକଚ ଅଭିଯୋଗରେ ନ୍ୟାୟ ଦାବି, ତଥାପି ମିଳିଲାନି ପ୍ରତିକ୍ରିୟା |
ଦୀର୍ଘ ୧୨ ଘଣ୍ଟା ଧରି ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ର ଧରି ଧାରଣାରେ ବସିଲେ ଛାତ୍ର ରୁଦ୍ର ନାରାୟଣ କର। ସକାଳରୁ ରାତି ପର୍ଯ୍ୟନ୍ତ ନ୍ୟାୟ ଦାବିରେ ଅଟଳ ରହିଲେ ଛାତ୍ର। କଲେଜ ନିର୍ବାଚନରେ ତାଙ୍କ ପ୍ରାର୍ଥିପତ୍ର ଉଦ୍ଦେଶ୍ୟମୂଳକ ଭାବେ ନାକଚ କରାଯାଇଥିବା ରୁଦ୍ର ଅଭିଯୋଗ କରିଛନ୍ତି। ଏଭଳି ଘଟଣା କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନମଣ୍ଡଳୀ ଏରକଣାସ୍ଥିତ ପୁଷ୍ପଗିରି ମହାବିଦ୍ୟାଳୟରେ ଦେଖିବାକୁ ମିଳିଛି। ଅଭିଯୋଗ ଅନୁଯାୟୀ, ଗତ ୯ ତାରିଖରେ ଛାତ୍ର ରୁଦ୍ର ନାରାୟଣ କର ଛାତ୍ର ସଂସଦ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଥିଲେ। ତେବେ ସ୍ଥାନୀୟ ବିଧାୟକଙ୍କ ଚାପରେ କଲେଜ କର୍ତ୍ତୃପକ୍ଷ ତାଙ୍କ ପ୍ରାର୍ଥିପତ୍ର ନାକଚ କରିଥିବା ରୁଦ୍ର ଅଭିଯୋଗ ଆଣିଛନ୍ତି। ଏନେଇ ସେ କଲେଜ କର୍ତ୍ତୃପକ୍ଷ ଓ ଜିଲ୍ଲାପାଳଙ୍କୁ ଫୋନ୍ ଯୋଗେ ଅଭିଯୋଗ ଜଣାଇଥିବା କହିଛନ୍ତି। ତେବେ ରାତି ୧୦ଟା ସୁଦ୍ଧା ଧାରଣାସ୍ଥଳରେ କୌଣସି ଅଧିକାରୀ ପହଞ୍ଚି ନଥିବା ଅଭିଯୋଗ ହୋଇଛି। ଅନ୍ୟପଟେ, ପ୍ରାର୍ଥିପତ୍ର ନାକଚର ପ୍ରକୃତ କାରଣ ଏବଂ ଏନେଇ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷ ସାମ୍ନାକୁ ଆସିବା ବାକି ରହିଛି। ୧୨ ଘଣ୍ଟାର ଧାରଣା ପରେ ବି ନ୍ୟାୟ ଅପେକ୍ଷାରେ ଛାତ୍ର ରୁଦ୍ର ନାରାୟଣ କର। କେବେ ତାଙ୍କ ଅଭିଯୋଗର ହେବ ତଦନ୍ତ, କେବେ ମିଳିବ ନ୍ୟାୟ? ଏବେ ଏହାକୁ ନେଇ ଉଠିଛି ପ୍ରଶ୍ନ।
