Pension Bribe Case: ପେନ୍ସନ୍ ନାଁରେ ଲାଞ୍ଚ ଖେଳ!
ପାରିବାରିକ ପେନ୍ସନ୍ କରାଇଦେବା ନାଁରେ ଲାଞ୍ଚ ନେଇ ଧରାପଡ଼ିଥିଲେ ଦୁଇ ଅଭିଯୁକ୍ତ! ଦୀର୍ଘ ବର୍ଷ ପରେ ଜୟପୁର ଭିଜିଲାନ୍ସ କୋର୍ଟଙ୍କ ବଡ଼ ରାୟ |
ପେନ୍ସନ୍ ପାଇଁ ଲାଞ୍ଚ ମାଗିବା ପଡ଼ିଲା ମହଙ୍ଗା | ଜୟପୁର ଭିଜିଲାନ୍ସ କୋର୍ଟରେ ଲାଞ୍ଚ ନେବା ମାମଲାର ଶୁଣାଣି ହୋଇ ଦୁଇ ଅଭିଯୁକ୍ତକୁ ୪ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି l ପାରିବାରିକ ପେନ୍ସନ୍ ମଞ୍ଜୁର କରାଇଦେବା ନାଁରେ ଲାଞ୍ଚ ନେବା ମାମଲାରେ ୨ ଜଣଙ୍କୁ ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାରେ କୋଷାଗୁମୁଡ଼ା ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ପୂର୍ବତନ କନିଷ୍ଠ ସହାୟକ ତପନ କୁମାର ଖୋସ୍ଲା ଏବଂ ସହକାରୀ ଶିକ୍ଷକ ବିଜୟ କୁମାର ସାହୁଙ୍କୁ ଦଣ୍ଡିତ ହୋଇଛି । ଉଭୟ ଅଭିଯୁକ୍ତ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ | ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି ମାନସ କୁମାର ପଣ୍ଡା ଏହି ମାମଲାର ବିଚାର କରି ଉଭୟଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି। ସେହିପରି ଧାରା ୧୩(୨) ଅନୁଯାୟୀ ୪ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ସହ ୧୫ ହଜାର ଟଙ୍କା ଲେଖାଏଁ ଜୋରିମାନା କରିଛନ୍ତି | ମାମଲାଟି ଜିଆର୍ ନମ୍ବର ୩୭/୧୫ ଭାବେ ରୁଜୁ ହୋଇଥିବା ବିଷୟ ସରକାରୀ ଓକିଲ ଶଶୀ ପଟ୍ଟନାୟକ ସୂଚନା ଦେଇଛନ୍ତି l
