ଅଜଣା ବାଇକ ଧକ୍କାରେ ଯୁବକଙ୍କ ମୃତ୍ୟୁ, ଅନ୍ୟ ଜଣେ ଯୁବକ ଆହତ
ବାଲେଶ୍ୱର ଜିଲ୍ଲା ସୋର-କୁପାରୀ ରାସ୍ତାର ପିତାକାଳିଆ ନିକଟରେ ଅଜଣା ବାଇକ ଧକ୍କାରେ ଜଣେ ଯୁବକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ଆହତ ।
ବାଲେଶ୍ୱର: ଅଜଣା ବାଇକ ଧକ୍କାରେ ଯୁବକଙ୍କ ମୃତ । ବାଲେଶ୍ୱର ଜିଲ୍ଲା ସୋର-କୁପାରୀ ରାସ୍ତାର ପିତାକାଳିଆ ନିକଟରେ ଅଜଣା ବାଇକ ଧକ୍କାରେ ଜଣେ ଯୁବକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ଆହତ । ସୂଚନା ଅନୁଯାୟୀ, ଖଇରା ଥାନା ଅନ୍ତର୍ଗତ ତେନ୍ତୁଳିଆ ଗାଁର ୨୮ ବର୍ଷୀୟ ଚିନିମୟ କୁମାର ମାଝି ଓ ଭଦ୍ରକ ଅଞ୍ଚଳର ରମେଶ ବିହାରୀ ଏକ ବାଇକରେ ତୁଡ଼ିଗଡ଼ିଆରୁ ବାଲେଶ୍ୱର ଅଭିମୁଖେ ଯାଉଥିଲେ ବେଳେ ଦୁର୍ଘଟଣା ଘଟିଥିଲା । ସୋର-କୁପାରୀ ରାସ୍ତାର ପିତାକାଳିଆ ନିକଟରେ ପଛପଟୁ ଆସୁଥିବା ଏକ ଅଜଣା ବାଇକ ତାଙ୍କ ବାଇକକୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଧକ୍କା ଫଳରେ ଉଭୟ ରାସ୍ତା ଉପରେ ପଡ଼ି ଗୁରୁତର ଆହତ ହୋଇଥିଲେ। ଖବରପାଇ ସୋର ପୋଲିସ ପିସିଆର୍ ଭ୍ୟାନରେ ସେମାନଙ୍କୁ ଉଦ୍ଧାର କରି ସୋର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲା। ଚିନିମୟଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ଚିନିମୟଙ୍କ ମୃତଦେହ ଗ୍ରାମକୁ ଅଣାଯାଇଥିଲା ଏବଂ ପରିବାର ଲୋକଙ୍କ ଉପସ୍ଥିତିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ଚିନିମୟଙ୍କ ଅକାଳ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୋର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଧକ୍କା ଦେଇ ଫେରାର ହୋଇଥିବା ଅଜଣା ବାଇକକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି ।
