ବସ୍-ଟ୍ରଲର ଧକ୍କା। ୪ ମୃତ, ୨୫ ଯାତ୍ରୀ ଆହତ
ଉତ୍ତରପ୍ରଦେଶର ମଥୁରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରଲରକୁ ଧକ୍କା ଦେଲା ବସ୍। ୪ ମୃତ, ୨୫ ଯାତ୍ରୀ ଆହତ।
ମଥୁରା: ଉତ୍ତରପ୍ରଦେଶର ମଥୁରା ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଭୟାବହ ସଡକ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୨୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ରାୟା ଥାନା ଅଞ୍ଚଳର ଯମୁନା ଏକ୍ସପ୍ରେସୱେରେ ନିକଟରେ ଘଟିଛି। ଉଦ୍ଧାର ପରେ, ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ସୋମବାର ରାତି ପ୍ରାୟ ସାଢ଼େ ୩ଟା ସମୟରେ ବିହାର ନମ୍ବରର ଏକ ପ୍ରାଇଭେଟ ବସ୍ ଲକ୍ଷ୍ଣୌରୁ ଯାତ୍ରୀମାନଙ୍କୁ ନେଇ ଦିଲ୍ଲୀ ଅଭିମୁଖେ ଯାଉଥିଲା। ସେହି ସମୟରେ ରାଜସ୍ଥାନ ନମ୍ବରର ଏକ ଟ୍ରଲର ଏକ୍ସପ୍ରେସୱେର ତୃତୀୟ ଲେନରେ ଚାଲୁଥିଲା। ଦୃତ ଗତିରେ ଆସୁଥିବା ବସ୍ଟି ପଛପଟୁ ଟ୍ରଲରଟିକୁ ପ୍ରଥମେ ଧକ୍କା ଦେଇଥିଲା। ତେବେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସ୍ର ଆଗ ଅଂଶ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଯାଇଛି। ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ପ୍ରାୟ ୨୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଅନ୍ୟପଟେ ସ୍ଥାନୀୟ ଲୋକ ଏବଂ ଏକ୍ସପ୍ରେସୱେ କର୍ମଚାରୀଙ୍କ ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆମ୍ବୁଲାନ୍ସ ସହାୟତାରେ ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ପଠାଯାଇଥିଲା, ଯେଉଁଠାରେ ସେମାନଙ୍କର ଚିକିତ୍ସା ଚାଲିଛି। ସେପଟେ, ଦୁର୍ଘଟଣାରେ ମୃତ ୪ ଜଣଙ୍କର ପରିଚୟ ଚିହ୍ନଟ କରିବା ପାଇଁ ପ୍ରୟାସ ଜାରି ରହିଛି । ଆହତମାନଙ୍କ ମଧ୍ୟରୁ କିଛିଙ୍କ ଅବସ୍ଥା ଗୁରୁତର ରହିଛି। ତେବେ ପ୍ରାଥମିକ ତଦନ୍ତରୁ ଡ୍ରାଇଭରଙ୍କୁ ନିଦ ଆସିଥିବାରୁ ଏହି ଦୁର୍ଘଟଣାର ହୋଇଥିବା ନେଇ ସନ୍ଦେହ କରୁଛି ପୋଲିସ।
