ସ୍କୁଲ ଭିତରେ ଶିକ୍ଷକଙ୍କୁ ୪ ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣ
ଦିନ ଦ୍ୱିପହରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳର ସରିପୁର ପ୍ରାଥମିକ ବିଦ୍ୟାଳୟରେ ପରିସରରେ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ ।
କାକଟପୁର: ସ୍କୁଲ ଭିତରେ ଶିକ୍ଷକଙ୍କୁ ୪ ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣ, ଶିକ୍ଷକ ଗୁରୁତର । ଦିନ ଦ୍ୱିପହରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳର ସରିପୁର ପ୍ରାଥମିକ ବିଦ୍ୟାଳୟରେ ପରିସରରେ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ । ହଠାତ୍ ୪ ଦୁର୍ବୃତ୍ତ ସ୍କୁଲ ଗେଟ୍ ଭାଙ୍ଗି ଭିତରକୁ ପଶି ଶିକ୍ଷକ ଅକ୍ଷୟ ବିଶ୍ୱାଳଙ୍କୁ କଟୁରୀ ଓ ଲୁହା ଚାପଡ଼ ଦ୍ୱାରା ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଶିକ୍ଷକଙ୍କ ଛାତି ଓ ହାତରେ ଗୁରୁତର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା ।ଛାତି ଯନ୍ତ୍ରଣା ଓ ହାତ ଆଘାତ ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଅନ୍ୟତ୍ର ରେଫର୍ କରିଛନ୍ତି। ସୂଚନା ଅନୁସାରେ, ଅଭିଭାବକ କମିଟି ବୈଠକ ସରିବା ପରେ ଏହି ଯୋଜନାବଦ୍ଧ ଆକ୍ରମଣ ହୋଇଥିଲା। ଦୁର୍ବୃତ୍ତମାନେ କାର୍ ଓ ମୋଟରସାଇକେଲରେ ଆସି ଶିକ୍ଷକଙ୍କୁ ଧମକ ଦେଇ ଫେରାର୍ ହୋଇଯାଇଥିବା ଅଭିଯୋଗ ରହିଛି। ସେମାନେ “ତୁମକୁ ଓ ତୁମ ପରିବାରକୁ ଛାଡିବୁନି” ବୋଲି ଧମକ ଦେଇଥିବା ମଧ୍ୟ କୁହାଯାଉଛି। ଶିକ୍ଷକଙ୍କ ପତ୍ନୀଙ୍କ ଅଭିଯୋଗ ଆଧାରରେ ଅସ୍ତରଙ୍ଗ ଥାନାରେ ୪ ଜଣ ବ୍ୟକ୍ତିଙ୍କ ନାମରେ ଏତଲା ଦିଆଯାଇଛି। କିନ୍ତୁ ଅଭିଯୋଗ ପରେ ବି ପୋଲିସର ପକ୍ଷରୁ ଠୋସ୍ ପଦକ୍ଷେପ ନ ନିଆଯାଇଥିବା ଅଭିଯୋଗ ଉଠିଛି, ଯାହାକୁ ନେଇ ସ୍ଥାନୀୟ ଲୋକ ଓ ଶିକ୍ଷକ ସଂଘରେ ଅସନ୍ତୋଷ ବଢୁଛି। ଦିନଦ୍ୱିପହରେ ସ୍କୁଲ ଭିତରେ ଗୁରୁଙ୍କୁ ଆକ୍ରମଣ ପରେ ଅସ୍ତରଙ୍ଗରେ ଆତଙ୍କ। ଅଭିଭାବକ କହିଛନ୍ତି – ଯଦି ଗୁରୁ ସୁରକ୍ଷିତ ନୁହନ୍ତି, ତେବେ ପିଲା କେମିତି ସୁରକ୍ଷିତ? ପ୍ରାଥମିକ ଶିକ୍ଷକ ସଂଘ ଚେତାବନୀ ଦେଇଛି – ପୀଡିତ ଶିକ୍ଷକଙ୍କୁ ତୁରନ୍ତ ନ୍ୟାୟ ଦିଆଯାଉ ଏବଂ ୪ ଦୁର୍ବୃତ୍ତଙ୍କୁ ୨୪ ଘଣ୍ଟା ଭିତରେ ଗିରଫ କରି କଠୋର ଦଣ୍ଡ ଦିଆଯାଉ ଦାବି କରିଛି। ନହେଲେ ଆନ୍ଦୋଳନରେ ଯିବାକୁ ଚେତାବନୀ ଦିଆଯାଇଛି। ଏହି ଘଟଣା ପରେ ଅଞ୍ଚଳରେ ଆତଙ୍କ ପରିସ୍ଥିତି ସୃଷ୍ଟି ହୋଇଛି।
