ଟ୍ରକ୍-ଯାତ୍ରୀବାହୀ ଗାଡ଼ି ମଧ୍ୟରେ ଧକ୍କା: ୭ ମୃତ, ଜଣେ ଗୁରୁତର
ଝାଡ଼ଖଣ୍ଡର ରାମଗଡ଼ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଯାତ୍ରୀବାହୀ ଗାଡ଼ି ସହ କୋଇଲା ବୋଝେଇ ଟ୍ରକ୍ର ମୁହାଁମୁହିଁ ଧକ୍କା ହେବାରୁ ୭ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ।

ରାମଗଡ଼: ଟ୍ରକ୍-ଯାତ୍ରୀବାହୀ ଗାଡ଼ି ମଧ୍ୟରେ ଧକ୍କା: ୭ ମୃତ, ଜଣେ ଗୁରୁତର । ଝାଡ଼ଖଣ୍ଡର ରାମଗଡ଼ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଯାତ୍ରୀବାହୀ ଗାଡ଼ି ସହ କୋଇଲା ବୋଝେଇ ଟ୍ରକ୍ର ମୁହାଁମୁହିଁ ଧକ୍କା ହେବାରୁ ୭ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ରାଞ୍ଚିକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ସୂଚନା ଅନୁସାରେ, ରାମଗଡ଼ ଜିଲ୍ଲାର ରାଜରାପ୍ପା ଥାନା ଅନ୍ତର୍ଗତ ଲାରି-ବରଲଙ୍ଗ ନିକଟରେ ଜାତୀୟ ରାଜପଥ-୨୩ରେ ଗୁରୁବାର ମଧ୍ୟରାତ୍ରି ପ୍ରାୟ ୧୨ଟା ସମୟରେ ଦୁର୍ଘଟଣା ଘଟିଥିଲା। ଯାତ୍ରୀବାହୀ ଗାଡ଼ିରେ ଏକ ତାଶା ପାର୍ଟି (ବ୍ୟାଣ୍ଡ)ର ୮ ଜଣ ସଦସ୍ୟ ଯାତ୍ରା ଥିଲେ। ସେମାନେ ହଜାରିବାଗ ଜିଲ୍ଲାର ବାଲସାଗ୍ରାରେ ଏକ କାର୍ଯ୍ୟକ୍ରମ ସାରି ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା। ଘଟଣାସ୍ଥଳରେ ୭ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଥିଲେ । ଖବର ପାଇ ପୋଲିସ ଓ ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟ କରି ଆହତଙ୍କୁ ରାମଗଡ଼ ସଦର ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ୭ଜଣଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଆହତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ରାଞ୍ଚିକୁ ରେଫର୍ କରାଯାଇଛି। ଅନ୍ୟପଟେ ଟ୍ରକଟି ଭୁଲ୍ ପାର୍ଶ୍ବରେ ଯାଇ ଯାତ୍ରୀବାହୀ ଗାଡ଼ିକୁ ଧକ୍କା ଦେଇଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି ରାମଗଡ଼ ସବ-ଡିଭିଜନାଲ୍ ପୋଲିସ ଅଧିକାରୀ ଆଲୋକ ରଞ୍ଜନ କହିଛନ୍ତି । ତେବେ ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ଏବଂ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏଥିସହ ମୃତଦେହ ପୋଷ୍ଟମର୍ଟମ ପାଇଁ ସଂରକ୍ଷିତ ରଖାଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଟ୍ରକ୍ଟି ଓଭରଟେକ୍ କରୁଥିବା ସମୟରେ ଯାତ୍ରୀବାହୀ ଗାଡ଼ିକୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ଗାଡ଼ିଟି ସମ୍ପୂର୍ଣ୍ଣ ଭାବେ ଚୂର୍ଣ୍ଣବିଚୂର୍ଣ୍ଣ ହୋଇଯାଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଓ ମୃତକଙ୍କ ପରିବାର ଜାତୀୟ ରାଜପଥ-୨୩ ଅବରୋଧ କରିଥିଲେ। ସେମାନଙ୍କ ଅଭିଯୋଗ, ଲାରି-ବରଲଙ୍ଗ ରାସ୍ତାଟି ଦୀର୍ଘଦିନ ଧରି ଦୁର୍ଘଟଣାପ୍ରବଣ ହୋଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରିବାକୁ କୌଣସି ପଦକ୍ଷେପ ନିଆଯାଇନାହିଁ। ଘଟଣାସ୍ଥଳରେ ପୋଲିସ ବୁଝାସୁଝା ପରେ ରାସ୍ତା ଅବରୋଧ ହଟିବା ସହ ଘଟଣାର ତଦନ୍ତ ଜାରି ।
