ଜେଲରୁ ଫେରିବା ପରେ ସମ୍ମାନ ସମାରୋହରେ ହଙ୍ଗାମା
ଏହି ସମାରୋହରେ ସମ୍ମାନିତ ହେଉଥିବା ଚାରି ନିହଙ୍ଗ ସିଂହଙ୍କୁ ଗତ ୧୬ ଜୁନରେ ଉତ୍ତରାଖଣ୍ଡର କର୍ଣ୍ଣପ୍ରୟାଗରେ ଘଟିଥିବା ସଂଘର୍ଷ ମାମଲାରେ ଗିରଫ କରାଯାଇଥିଲା। ପରେ ଅଦାଲତ ସେମାନଙ୍କୁ ଜାମିନ ମଞ୍ଜୁର କରିବା ପରେ ସେମାନେ ପଞ୍ଜାବ ଫେରିଥିଲେ ଏବଂ ସେମାନଙ୍କ ସ୍ୱାଗତ ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ହେଲେ ପ୍ରବଳ ହଙ୍ଗାମା ହେଲା।
ପଞ୍ଜାବର ମୋହାଲି ଜିଲ୍ଲାର ସୋହାନାସ୍ଥିତ ଗୁରୁଦ୍ୱାରା ସିଂହ ଶହୀଦାନରେ ରବିବାର ଏକ ସମ୍ମାନ ସମାରୋହ ବେଳେ ହଙ୍ଗାମା ସୃଷ୍ଟି ହୋଇଥିଲା। ଉତ୍ତରାଖଣ୍ଡର କର୍ଣ୍ଣପ୍ରୟାଗ ମାମଲାରେ ଜାମିନରେ ମୁକ୍ତି ପାଇ ଫେରିଥିବା ନିହଙ୍ଗ ସିଂହମାନଙ୍କୁ ସ୍ୱାଗତ କରିବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମ ଚାଲିଥିବା ବେଳେ ଜଣେ ବ୍ୟକ୍ତି ହଠାତ୍ ଭିଡ଼ ମଧ୍ୟରୁ ବାହାରି ଆସି ନିହଙ୍ଗ ନେତା ବାବା ଜସଦୀପ ସିଂହଙ୍କ ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସେଠାରେ ଉପସ୍ଥିତ ନିହଙ୍ଗ ସଦସ୍ୟ ଓ ଅନ୍ୟମାନେ ତୁରନ୍ତ ତାଙ୍କୁ କାବୁ କରିବା ପରେ ଗୁରୁଦ୍ୱାର ପରିସରରେ ଉତ୍ତେଜନା ଓ ହଙ୍ଗାମା ଦେଖାଦେଇଥିଲା। ପ୍ରାଥମିକ ସୂଚନା ଅନୁସାରେ, ଘଟଣାଟି ଦୁଇଟି ନିହଙ୍ଗ ଗୋଷ୍ଠୀ ମଧ୍ୟରେ ପୂର୍ବରୁ ଚାଲିଆସୁଥିବା ମତଭେଦର ପରିଣାମ ବୋଲି ଗୁରୁଦ୍ୱାର ପରିଚାଳନା କମିଟି କହିଛି। ହଙ୍ଗାମା ସମୟରେ ଜଣେ ବ୍ୟକ୍ତି ଆହତ ହୋଇଥିବା ସୂଚନା ମିଳିଛି। ଘଟଣାର ସୂଚନା ପାଇ ସୋହାନା ପୋଲିସ ତୁରନ୍ତ ଗୁରୁଦ୍ୱାରରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା। ପୋଲିସ ପରିସ୍ଥିତିକୁ ଶାନ୍ତ କରିବା ସହ ଗୁରୁଦ୍ୱାର ପରିଚାଳନା କମିଟି ସହ ଯୋଗାଯୋଗରେ ରହିଛି। କୌଣସି ଲିଖିତ ଅଭିଯୋଗ ଦାଖଲ ହୋଇନାହିଁ। ଅଭିଯୋଗ ମିଳିଲେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ପୋଲିସ ସ୍ପଷ୍ଟ କରିଛି। ଏହି ସମାରୋହରେ ସମ୍ମାନିତ ହେଉଥିବା ଚାରି ନିହଙ୍ଗ ସିଂହଙ୍କୁ ଗତ ୧୬ ଜୁନରେ ଉତ୍ତରାଖଣ୍ଡର କର୍ଣ୍ଣପ୍ରୟାଗରେ ଘଟିଥିବା ସଂଘର୍ଷ ମାମଲାରେ ଗିରଫ କରାଯାଇଥିଲା। ପରେ ଅଦାଲତ ସେମାନଙ୍କୁ ଜାମିନ ମଞ୍ଜୁର କରିବା ପରେ ସେମାନେ ପଞ୍ଜାବ ଫେରିଥିଲେ ଏବଂ ସେମାନଙ୍କ ସ୍ୱାଗତ ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହା ଦୁଇ ନିହଙ୍ଗ ଗୋଷ୍ଠୀ ମଧ୍ୟରେ ପୂର୍ବରୁ ଚାଲିଆସୁଥିବା ବିବାଦ ଏବଂ ସୋସିଆଲ୍ ମିଡିଆରେ ପ୍ରଚାରିତ ଭିଡିଓକୁ ନେଇ ଉପୁଜିଥିବା ମତଭେଦର ପରିଣାମ ବୋଲି କୁହାଯାଉଛି।୧୬ ଜୁନରେ ଉତ୍ତରାଖଣ୍ଡର କର୍ଣ୍ଣପ୍ରୟାଗରେ ପାର୍କିଂକୁ କେନ୍ଦ୍ର କରି ନିହଙ୍ଗ ସିଂହ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହାପରେ ଚାରି ନିହଙ୍ଗ ସିଂହଙ୍କୁ ହତ୍ୟା ଉଦ୍ୟମ ସମେତ ବିଭିନ୍ନ ଧାରାରେ ଗିରଫ କରାଯାଇଥିଲା। ବାବା ଜସଦୀପ ସିଂହ ଉତ୍ତରାଖଣ୍ଡ ଯାଇ ପ୍ରଶାସନ ସହ ଆଲୋଚନା କରିଥିଲେ ଏବଂ ଗିରଫ ନିହଙ୍ଗମାନଙ୍କ ମୁକ୍ତି ଦାବିରେ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ପରେ ଉତ୍ତରାଖଣ୍ଡ ସୀମାରେ ପୋଲିସ ସହ ନିହଙ୍ଗମାନଙ୍କ ମୁହାଁମୁହିଁ ସମୟରେ ମଧ୍ୟ ସେ ପ୍ରମୁଖ ଭୂମିକାରେ ଥିଲେ।
