ନୂଆ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ
ପଶ୍ଚିମବଙ୍ଗର ନୂତନ ବିଜେପି ସରକାରରେ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ ଶେଷ ହୋଇଛି। ଗତ ଜୁନ୧ ତାରିଖରେ ୩୫ଜଣ ମନ୍ତ୍ରୀ ଶପଥ ନେଇଥିଲେ । ଶପଥ ପାଠର ପ୍ରାୟ ୧୦ ଦିନ ପରେ ଆଜି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କରିଛନ୍ତି ।

ପଶ୍ଚିମବଙ୍ଗର ନୂତନ ବିଜେପି ସରକାରରେ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ ଶେଷ ହୋଇଛି। ଗତ ଜୁନ୧ ତାରିଖରେ ୩୫ଜଣ ମନ୍ତ୍ରୀ ଶପଥ ନେଇଥିଲେ । ଶପଥ ପାଠର ପ୍ରାୟ ୧୦ ଦିନ ପରେ ଆଜି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କରିଛନ୍ତି । ଏହାସହ ନିଜ ପାଖରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବିଭାଗ ରଖିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ପାଖରେ କେଉଁ ବିଭାଗ- ମୁଖ୍ୟମନ୍ତ୍ରୀ ନିଜ ପାଖରେ ଗୃହ, ସୂଚନା ଓ ସଂସ୍କୃତି, ବିଦ୍ୟୁତ, ଭୂମି ଓ ଭୂମି ରାଜସ୍ୱ, କର୍ମଚାରୀ ଏବଂ ପ୍ରଶାସନିକ ସଂସ୍କାର ପରି ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗ ରଖିଛନ୍ତି । ଏହା ବ୍ୟତୀତ ଯେଉଁ ବିଭାଗ ଅନ୍ୟ କୌଣସି ମନ୍ତ୍ରୀଙ୍କୁ ବଣ୍ଟନ ହୋଇନାହିଁ ତାହା ମଧ୍ୟ ରଖିଛନ୍ତି । ସେହିପରି ବରିଷ୍ଠ ମନ୍ତ୍ରୀ ସ୍ୱପନ ଦାସଗୁପ୍ତଙ୍କୁ ଅର୍ଥ ବିଭାଗ ମିଳିଛି । ତୃଣମୂଳ କଂଗ୍ରେସରୁ ବିଜେପିକୁ ଆସିଥିବା ତାପସ ରାୟଙ୍କୁ ଶିଳ୍ପ ଓ ବାଣିଜ୍ୟ ବିଭାଗ ମିଳିଛି । ପ୍ରଥମ ଥର ବିଧାୟକ ହୋଇଥିବା ଡାକ୍ତର ଶରଦ୍ୱତ ମୁଖାର୍ଜୀଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମିଳିଥିବା ବେଳେ, ବରିଷ୍ଠ ମନ୍ତ୍ରୀ ଅର୍ଜୁନ ସିଂହଙ୍କୁ ପରିବହନ ଓ ଶ୍ରମ ବିଭାଗ ଦାୟିତ୍ୱ ମିଳିଛି। ଦୁଧ କୁମାର ମଣ୍ଡଳଙ୍କୁ କୃଷି ବିଭାଗ, ଶଙ୍କର ଘୋଷଙ୍କୁ ସଂସଦୀୟ କାର୍ଯ୍ୟ ଓ ପର୍ଯ୍ୟଟନ ବିଭାଗ, ମନୋଜ ଓରାଓଁଙ୍କୁ ବନ ଓ ପରିବେଶ ବିଭାଗ ମିଳିଛି। ସେହିଭଳି ଶିକ୍ଷା ବିଭାଗକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଉଚ୍ଚ ଶିକ୍ଷା, ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ଜଗନ୍ନାଥ ଚଟ୍ଟୋପାଧ୍ୟାୟଙ୍କୁ ମିଳିଥିବା ବେଳେ ସ୍କୁଲ ଶିକ୍ଷା ବିଭାଗ ଦୀପକ ବର୍ମନଙ୍କୁ ମିଳିଛି । ଏହା ସହ ଅତିରିକ୍ତ ଭାବେ ଦୀପକ ବର୍ମନଙ୍କୁ ଆବାସ ଓ ଏମଏସଏମଇ ବିଭାଗର ଦାୟିତ୍ୱ ମଧ୍ୟ ମିଳିଛି । ମହିଳା ଓ ଶିଶୁ ବିକାଶ ଏବଂ ସମାଜ କଲ୍ୟାଣ ବିଭାଗ ଦାୟିତ୍ୱ ମାଲତୀ ରାଭା ରାୟଙ୍କୁ ମିଳିଛି । ଏତତ ବ୍ୟତୀତ ମାଲତୀ ରାଭା ରାୟ ସ୍ୱୟଂ ସହାୟକ ଗୋଷ୍ଠୀ, ସ୍ୱରୋଜଗାର ଓ କାର୍ଯ୍ୟକ୍ରମ ନିରୀକ୍ଷଣ ବିଭାଗର ମଧ୍ୟ ଦାୟିତ୍ୱ ମିଳିଛି । ମନ୍ତ୍ରୀ ଇନ୍ଦ୍ରନୀଲ ଖାନଙ୍କୁ କ୍ରୀଡ଼ା ଓ ଯୁବ ବ୍ୟାପାର ସହ ଉପଭୋକ୍ତା ବ୍ୟାପାର ବିଭାଗ ମିଳିଛି । ଅନ୍ୟପଟେ ଡାକ୍ତର ଅଜୟ କୁମାର ପୋଦ୍ଦାରଙ୍କୁ ଜନସ୍ୱାସ୍ଥ୍ୟ ଏବଂ ଲୋକନିର୍ମାଣ ବିଭାଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅରୂପ କୁମାର ଦାସଙ୍କୁ ଜଳସେଚନ ଓ ଜଳ ସମ୍ପଦ ବିଭାଗ ଦିଆଯାଇଛି। ପୂର୍ବରୁ ମଖ୍ୟମନ୍ତ୍ରୀଙ୍କ ସହ ଶପଥ ନେଇଥିବା ମନ୍ତ୍ରୀଙ୍କୁ ଦାୟିତ୍ୱ ବଣ୍ଚନ କରିସାରିଥିଲେ ।
