ୱାୟନାଡ଼ରେ ଭୂସ୍ଖଳନ: ୪ ମୃତ, ୭ ନିଖୋଜ
ୱାୟନାଡ଼ ଜିଲ୍ଲାର କଲ୍ଲାଡି ମୀନାକ୍ଷୀ ବ୍ରିଜ୍ ନିକଟରେ ଟନେଲ୍ ନିର୍ମାଣ କାମ ଚାଲିଥିବା ବେଳେ ଭୂସ୍ଖଳନ । ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୭ ଜଣ ଆହତ ଏବଂ ଆଉ ୭ ଜଣ ନିଖୋଜ ।

କେରଳ: ପ୍ରବଳ ବର୍ଷା ମଧ୍ୟରେ କେରଳର ୱାୟନାଡରେ ଭୂସ୍ଖଳନ ଘଟିଛି। ୱାୟନାଡ଼ ଜିଲ୍ଲାର କଲ୍ଲାଡି ମୀନାକ୍ଷୀ ବ୍ରିଜ୍ ନିକଟରେ ଟନେଲ୍ ନିର୍ମାଣ କାମ ଚାଲିଥିବା ବେଳେ ଭୂସ୍ଖଳନ । ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୭ ଜଣ ଆହତ ଏବଂ ଆଉ ୭ ଜଣ ନିଖୋଜ । ଘଟଣା ପରେ କଳପେଟ୍ଟା ଅଗ୍ନିଶମ ଓ ଉଦ୍ଧାର ସେବା ବିଭାଗର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ସ୍ଥାନୀୟ ଲୋକମାନେ ପ୍ରଥମେ ୩ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ। ଟନେଲ୍ ପ୍ରକଳ୍ପ ସ୍ଥଳ ନିକଟରେ ଶ୍ରମିକମାନଙ୍କ ରହଣି ବ୍ୟବସ୍ଥା ସହ କିଛି ଘର ଓ ହୋମ୍ଷ୍ଟେ ମଧ୍ୟ ରହିଛି। ସରକାରଙ୍କ ସୂଚନା ଅନୁସାରେ, ଟନେଲ୍ ଖନନରୁ ବାହାରିଥିବା ବିପୁଳ ପରିମାଣର ମାଟିକୁ ହଟାଇବା ପାଇଁ ଠିକା ସଂସ୍ଥାକୁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ସେହି ନିର୍ଦ୍ଦେଶ ପାଳନ ନ କରିବାରୁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଇଛି। ପ୍ରବଳ ବର୍ଷା ଥିଲେ ମଧ୍ୟ ଏହା ପାଣିପାଗ ସତର୍କତାର ଅଭାବ ଯୋଗୁ ନୁହେଁ, ବରଂ ସୁରକ୍ଷା ନିର୍ଦ୍ଦେଶ ଅବହେଳାର ପରିଣାମ ବୋଲି ସରକାର କହିଛନ୍ତି। କୃଷିମନ୍ତ୍ରୀ ଟି. ସିଦ୍ଦିକ୍ ଏହି ଘଟଣାକୁ ‘ପ୍ରାକୃତିକ ନୁହେଁ, ବରଂ ମାନବକୃତ ଭୂସ୍ଖଳନ’ ବୋଲି ବର୍ଣ୍ଣନା କରିଛନ୍ତି। ଟନେଲ୍ ଖନନରୁ ବାହାରିଥିବା ମାଟିକୁ ଅବୈଜ୍ଞାନିକ ଭାବେ ଗଦା କରି ରଖାଯାଇଥିବାରୁ ଏହି ବିପର୍ଯ୍ୟୟ ଘଟିଥିବା ସେ କହିଛନ୍ତି। ପୂର୍ବରୁ ଏନେଇ ସତର୍କ କରାଯାଇଥିଲେ ମଧ୍ୟ କାହିଁକି ପଦକ୍ଷେପ ନିଆଯାଇନଥିଲା, ସେନେଇ ସରକାର ତଦନ୍ତ କରିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭି.ଡି. ସତୀଶନ କହିଛନ୍ତି, ପ୍ରକଳ୍ପ ସ୍ଥଳରେ ଖୋଳାଯାଇଥିବା ବିପୁଳ ପରିମାଣର ମାଟି ହଟାଇବାକୁ ସରକାର ଓ ଜିଲ୍ଲା ପ୍ରଶାସନ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଠିକା ସଂସ୍ଥା ସେହି ନିର୍ଦ୍ଦେଶକୁ ପାଳନ କରିନଥିବାରୁ ଏଭଳି ଦୁର୍ଘଟଣା ଘଟିଛି। ଏହା ପାଣିପାଗ ସତର୍କତା ଅଭାବରୁ ନୁହେଁ, ବରଂ ସୁରକ୍ଷା ନିର୍ଦ୍ଦେଶକୁ ଅବହେଳା କରିବାର ପରିଣାମ ବୋଲି ସେ କହିଛନ୍ତି। ଘଟଣା ପରେ ଆଖପାଖ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଭୂସ୍ଖଳନରେ ଏକ ଶ୍ରମିକ ପରିବହନ ବସ୍ ନିକଟସ୍ଥ ନଦୀକୁ ଭାସିଯାଇଥିବାବେଳେ ଅଧିକ ଲୋକ ମାଟି ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ଏପଟେ ଭାରତୀୟ ପାଣିପାଗ ବିଭାଗ (IMD) ୱାୟନାଡ଼ ଓ ପଡ଼ୋଶୀ କୋଝିକୋଡ଼ ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରିଛି। ମେପ୍ପାଡି ଅଞ୍ଚଳରେ ଗତ ୨୪ ଘଣ୍ଟାରେ ୨୨୬ ମି.ମି. ବର୍ଷା ରେକର୍ଡ ହୋଇଛି। ଉଲ୍ଲେଖଯୋଗ୍ୟ, ମାଲାପ୍ପୁରମ ଓ ୱାୟନାଡ଼ ମଧ୍ୟରେ ସଡ଼କ ସଂଯୋଗ ସୁଦୃଢ଼ କରିବା ପାଇଁ ଅନକ୍କମ୍ପୋୟିଲ–ମେପ୍ପାଡି ଟନେଲ୍ ପ୍ରକଳ୍ପର କାମ ଗତବର୍ଷ ଆରମ୍ଭ ହୋଇଥିଲା। ୨୦୨୪ ଜୁଲାଇରେ ୱାୟନାଡ଼ର ମେପ୍ପାଡି ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ଘଟିଥିବା ଭୟଙ୍କର ଭୂସ୍ଖଳନରେ ୪୦୦ରୁ ଅଧିକ ଲୋକଙ୍କ ପ୍ରାଣହାନି ଘଟିଥିଲା ଏବଂ ଚୂରାଲମାଲା ଓ ମୁଣ୍ଡକ୍କାଇ ପରି ଗାଁଗୁଡ଼ିକରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ବର୍ତ୍ତମାନର ଘଟଣା ସେହି ଦୁର୍ଘଟଣାର ପ୍ରାୟ ଦୁଇ ବର୍ଷ ପରେ ପୁଣିଥରେ ୱାୟନାଡ଼କୁ ଶୋକରେ ବୁଡ଼ାଇ ଦେଇଛି।
