Manipur Violence: ଲଗାତାର ହିଂସାରେ ଥରୁଛି ମଣିପୁର
ମଣିପୁରରେ ପୁଣି ଜାତିଆଣ ହିଂସା | ବ୍ୟାକ୍ ଟୁ ବ୍ୟାକ୍ ରକ୍ତପାତରେ ଥରୁଛି ମଣିପୁର। ତିନି ମୈତେଇଙ୍କ ହତ୍ୟା ପରେ ଜଣେ କୁକି ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା ଘଟଣା ରାଜ୍ୟରେ ଉତ୍ତେଜନା ବଢ଼ାଇଛି। ଅକ୍ଟୋବର ୨୧ରେ ମଧ୍ୟ ବିଭିନ୍ନ ଅଞ୍ଚଳରେ ବନ୍ଦ ଓ ପ୍ରତିବାଦ ଜାରି ରହିବା ସହ ଏବେ ରାଜନୈତିକ ମହଲରେ ମଧ୍ୟ ତୀବ୍ର ଚର୍ଚ୍ଚା।
ମଣିପୁର:ମଣିପୁରରେ ଜାତିଆଣ ହିଂସା ଯୋଗୁଁ ପୁଣି ଅଶାନ୍ତି ଦେଖାଦେଇଛି। ଦୁଇ ଦିନରେ ତିନି ମୈତେଇ ଓ ଜଣେ କୁକି ବ୍ୟକ୍ତିଙ୍କ ହତ୍ୟା ପରେ ରାଜ୍ୟରେ ଉତ୍ତେଜନା ବଢ଼ିଛି।ଅକ୍ଟୋବର ୧୯ରେ ଇମ୍ଫାଲ ପୂର୍ବ ଜିଲ୍ଲାର ନୋଙ୍ଗଶୁମ୍ ଅଞ୍ଚଳରେ କାଠ ସଂଗ୍ରହ କରିବାକୁ ଯାଇଥିବା ତିନି ମୈତେଇ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିଲା। ଏହାର ପରଦିନ କାଙ୍ଗପୋକପି ଜିଲ୍ଲାରେ ଜଣେ ୪୫ ବର୍ଷୀୟ କୁକି ବ୍ୟକ୍ତି ପାଓଲେନମୁଙ୍ଗ ଥାଙ୍ଗେଓଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।
ତିନି ମୈତେଇଙ୍କ ହତ୍ୟା ପରେ ଇମ୍ଫାଲରେ ଉତ୍ତେଜନା ତୀବ୍ର ହୋଇଥିଲା। ପ୍ରତିବାଦକାରୀମାନେ ଦୁଇ ମୃତକଙ୍କ ଶବକୁ ମୁଖ୍ୟମନ୍ତ୍ରୀ ୟୁମନାମ କେମଚାନ୍ଦ ସିଂହଙ୍କ ସରକାରୀ ବାସଭବନର ମୁଖ୍ୟ ଫାଟକ ସମ୍ମୁଖରେ ରଖି ନ୍ୟାୟ ଦାବି କରିଥିଲେ। ଭିଡ଼କୁ ହଟାଇବା ପାଇଁ ପୁଲିସ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲା ଏବଂ ପରେ ମୃତଦେହଗୁଡ଼ିକୁ ହସ୍ପିଟାଲକୁ ନିଆଯାଇଥିଲା। ଏହି ଘଟଣା ପରେ ଇମ୍ଫାଲ ଉପତ୍ୟକାର ଅନେକ ଅଞ୍ଚଳରେ ୪୮ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିବାରୁ ଦୋକାନବଜାର, ଶିକ୍ଷାନୁଷ୍ଠାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ପ୍ରଭାବିତ ହୋଇଥିଲା।
ଅନ୍ୟପଟେ, ଅକ୍ଟୋବର ୨୦ ତାରିଖ ସକାଳେ କାଙ୍ଗପୋକପି ଜିଲ୍ଲାର ପି. ମୋଲଡିଂ ଗାଁ ନିକଟ ଜଙ୍ଗଲରେ ବାଉଁଶ ଗଜା ସଂଗ୍ରହ କରିବାକୁ ଯାଇଥିବା ୪୫ ବର୍ଷୀୟ କୁକି-ଜୋ ବ୍ୟକ୍ତି ପାଓଲେନ ଖୋଙ୍ଗସାଇଙ୍କୁ ଅଜ୍ଞାତ ବନ୍ଧୁକଧାରୀ ଗୁଳି କରି ହତ୍ୟା କରିଥିଲେ। ତାଙ୍କ ସହ ଥିବା ଅନ୍ୟ ଜଣେ ବ୍ୟକ୍ତି ଅଳ୍ପକେ ରକ୍ଷା ପାଇଥିଲେ। ଏହି ହତ୍ୟାକାଣ୍ଡ ପରେ କାଙ୍ଗପୋକପିରେ ଶୋକସଭା ଓ ପ୍ରତିବାଦ ହୋଇଥିବାବେଳେ, କୁକି ସଂଗଠନଗୁଡ଼ିକ ନ୍ୟାୟ ଦାବିରେ ବନ୍ଦ ଡାକରା ଦେଇଥିଲେ।
ମଣିପୁରରେ ଶାନ୍ତି ଫେରାଇବାକୁ ମୁଖ୍ୟମନ୍ତ୍ରୀ ୱାଇ. କେମଚନ୍ଦ ସିଂହ ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ବଢ଼ାଇବା ସହ ସର୍ଚ୍ଚ ଅପରେସନ୍କୁ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୁଲିସ ଅନୁସାରେ, ତିନି ମୈତେଇଙ୍କ ହତ୍ୟା ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଛି ଏବଂ ୧୨ଟି ଅସ୍ତ୍ରଶସ୍ତ୍ର ସହ ବିପୁଳ ଗୁଳି ଓ ବିସ୍ଫୋରକ ଜବତ ହୋଇଛି। ତେବେ ଏହାରି ମଧ୍ୟରେ ଜଣେ କୁକି ବ୍ୟକ୍ତିଙ୍କ ହତ୍ୟା ଓ ଅନ୍ୟ ଅଞ୍ଚଳରେ ଘର ପୋଡ଼ାଯିବା ଘଟଣା ସୁରକ୍ଷା ବ୍ୟବସ୍ଥାର ପ୍ରଭାବକୁ ନେଇ ପ୍ରଶ୍ନ ଉଠାଇଛି। ଅନ୍ୟପଟେ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟର ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ ଓ ବିଭିନ୍ନ ସଂଗଠନ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶାନ୍ତି ପ୍ରୟାସ ସତ୍ତ୍ୱେ ହିଂସା ଥମୁନଥିବାରୁ, କେବଳ ସୁରକ୍ଷା ବଢ଼ାଇବା ନୁହେଁ, ସମସ୍ତ ସମ୍ପ୍ରଦାୟଙ୍କ ମଧ୍ୟରେ ଭରସା ଫେରାଇବା, ଦୋଷୀଙ୍କୁ ନ୍ୟାୟିକ ଦଣ୍ଡ ଦେବା ଓ ନିରପେକ୍ଷ ରାଜନୈତିକ ଆଲୋଚନା ଆରମ୍ଭ କରିବା ହିଁ ସରକାରଙ୍କ ପାଇଁ ବଡ଼ ଆହ୍ୱାନ ହୋଇଛି।
