Punjab Drug Ravan Dahan:‘ନିଶାର ରାବଣ’ ଦହନ ପୂର୍ବରୁ ପଞ୍ଜାବରେ ଅମିତ ଶାହଙ୍କ ବଡ଼ ବାର୍ତ୍ତା
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୁରଦାସପୁରର ମାଡି ପାନୱାନ ଗ୍ରାମରେ ନିଶା ବିରୋଧୀ କର୍ମୀ ବିକ୍ରମଜିତ ସିଂହଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି। ନିଶା କାରବାର କରୁଥିବା ବ୍ୟକ୍ତିମାନଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିବାରୁ ସେମାନଙ୍କ ଦ୍ୱାରା ବିକ୍ରମଜିତଙ୍କୁ ହତ୍ୟା କରାଯାଇଥିଲା। ଲୁଧିଆନାରେ ‘ନିଶାର ରାବଣ’ ଦହନ ପୂର୍ବରୁ ଏହି ସାକ୍ଷାତ ରାଜ୍ୟର ଡ୍ରଗ୍ସ ସମସ୍ୟାକୁ ପୁଣି ରାଜନୈତିକ ଚର୍ଚ୍ଚାର କେନ୍ଦ୍ରକୁ ଆଣିଛି।
ପଞ୍ଜାବ : ପଞ୍ଜାବରେ ନିଶା କାରବାରକୁ ନେଇ ବଢ଼ୁଥିବା ଅସନ୍ତୋଷ ମଧ୍ୟରେ ମଙ୍ଗଳବାର ରାଜ୍ୟ ଗସ୍ତ କରି ତିନିଟି ପରିବାରକୁ ଭେଟିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଗୁରଦାସପୁରର ବିକ୍ରମଜିତ ସିଂହ, ସଙ୍ଗରୁରର ଗୁଲଜାର ସିଂହ ଏବଂ ମାନସାର ପରବିନ୍ଦର ସିଂହ ଝୋଟାଙ୍କ ପରିବାର ସହ ତାଙ୍କ ସାକ୍ଷାତ ପଞ୍ଜାବର ଡ୍ରଗ୍ସ ସମସ୍ୟାକୁ ପୁଣି ଚର୍ଚ୍ଚାକୁ ଆଣିଛି। ଗୁରଦାସପୁରର ମାଡ଼ି ପନୱାଁ ଗାଁର ବିକ୍ରମଜିତ ସିଂହଙ୍କୁ ଅକ୍ଟୋବର ୧୫ରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା। ନିଶା କାରବାରକୁ ବିରୋଧ କରିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଗାଁଲୋକେ ଅଭିଯୋଗ କରୁଥିବାବେଳେ, ପୁଲିସ ଏହି ଘଟଣାରେ ନିଶା ସମ୍ପର୍କିତ ଦିଗକୁ ନେଇ ଭିନ୍ନ ମତ ରଖିଛି। ଶାହ ପରିବାରକୁ ସମବେଦନା ଜଣାଇ ନ୍ୟାୟର ଆଶ୍ୱାସନ ଦେଇଥିବା ରିପୋର୍ଟ ହୋଇଛି। ସେହିପରି ସଙ୍ଗରୁରର ଗୁଲଜାର ସିଂହ ସେପ୍ଟେମ୍ବର ୭ରେ ବିଷ ପିଇ ଜୀବନ ହାରିଥିଲେ। ତାଙ୍କ ପରିବାରର ଅଭିଯୋଗ, ଅଞ୍ଚଳରେ ନିଶା ଯୋଗାଣ ପ୍ରସଙ୍ଗ ଉଠାଇବା ପରେ ତାଙ୍କୁ ହଇରାଣ କରାଯାଇଥିଲା। ମାନସାର ନିଶା ବିରୋଧୀ କର୍ମୀ ପରବିନ୍ଦର ଝୋଟାଙ୍କୁ ଅକ୍ଟୋବର ୧୩ରେ ଏକ ମେଡିକାଲ ଷ୍ଟୋରରେ ଗୁଳି କରି ହତ୍ୟା କରାଯାଇଥିଲା। ଏହି ମାମଲାରେ ପଞ୍ଜାବ ସରକାର ସିବିଆଇ ତଦନ୍ତ ଘୋଷଣା କରିଛନ୍ତି।
ପଞ୍ଜାବର ଲୁଧିଆନାରେ ଦଶହରା ଅବସରରେ ନିଶାଦ୍ରବ୍ୟର ପ୍ରତୀକ ଭାବେ ତିଆରି ‘ନିଶାର ରାବଣ’ ପୁତଳା ଦହନ କରି ରାଜ୍ୟକୁ ନିଶାମୁକ୍ତ କରିବାର ବାର୍ତ୍ତା ଦେବାକୁ ଯୋଜନା କରାଯାଇଥିଲା। ଏହା ପୂର୍ବରୁ ଅମିତ ଶାହ ରାଜ୍ୟ ଗସ୍ତ କରି ତିନିଟି ପରିବାର ସହ ସାକ୍ଷାତ ପରେ ଏକ୍ସରେ ଲେଖିଛନ୍ତି, ପଞ୍ଜାବରେ ନିଶା କାରବାର ଯୁବପିଢ଼ିର ଭବିଷ୍ୟତକୁ ଅନ୍ଧକାରକୁ ଠେଲିଦେଇଛି। ଏହା ମା’ ଓ ଭଉଣୀମାନଙ୍କୁ କେବେ ନ ଭରିବା ଘା’ ମଧ୍ୟ ଦେଇଛି। ନିଶା କାରବାର ବିରୋଧରେ ଲଢ଼ୁଥିବା ସ୍ୱର୍ଗତ ଗୁଲଜାର ସିଂହଙ୍କ ଉପରେ ଏତେ ଚାପ ପକାଯାଇଥିଲା ଯେ ସେ ଆତ୍ମହତ୍ୟା କରିଥିଲେ ବୋଲି ଶାହ ଉଲ୍ଲେଖ କରିଛନ୍ତି। ସେ ସଙ୍ଗରୁରର ତୁର ବଞ୍ଜାରା ଗାଁରେ ଗୁଲଜାରଙ୍କ ପରିବାରକୁ ଭେଟିଥିବା କହିବା ସହ ପରିବାର ଯାହା ହରାଇଛି, ତାହାର ଭରଣା ଅସମ୍ଭବ ବୋଲି ଲେଖିଛନ୍ତି। ଅନ୍ୟପଟେ,ପଞ୍ଜାବରେ ନିଶା ବିରୋଧୀ କର୍ମୀ ପରବିନ୍ଦର ସିଂହ ଝୋଟାଙ୍କ ହତ୍ୟା ମାମଲାରେ ସିବିଆଇ (CBI) ତଦନ୍ତ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍। ଏନେଇ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି। ସରକାର ପରବିନ୍ଦରଙ୍କ ପରିବାର ସହ ଦୃଢ଼ ଭାବେ ଛିଡ଼ା ହୋଇଛି ଏବଂ ରାଜ୍ୟରେ ନିଶା ବିରୋଧୀ ଲଢ଼େଇ ଜାରି ରଖିଛି ବୋଲି ସେ କହିଛନ୍ତି।
