Liver Tonic: ଶିଶୁଙ୍କୁ ଦିଆଯାଉଥିଲା ପଶୁଙ୍କ ଲିଭର ଟନିକ୍
ଚଢ଼ାଉ ସମୟରେ ଜଣାପଡିଲା ଯେ ,ମେଡିକାଲ ଷ୍ଟୋର୍ର ମାଲିକମାନେ ୧ ଲିଟର ଓ ୫ ଲିଟର ବୋତଲରୁ ଏହାକୁ ଛୋଟ ଛୋଟ ବୋତଲରେ ଭର୍ତ୍ତି କରି ପିଲାମାନଙ୍କ ଔଷଧ ଭାବେ ବିକ୍ରି କରୁଥିଲେ |

ଗୁଜୁରାଟର ସୁରଟ ସହରରେ ଶିଶୁ ଏବଂ ସାଧାରଣ ନାଗରିକମାନଙ୍କ ସ୍ୱାସ୍ଥ୍ୟ ସହିତ ଖେଳିବାର ଗମ୍ଭୀର ମାମଲା ସାମ୍ନାକୁ ଆସିଛି | ସୁରଟ ସ୍ପେଶାଲ ଅପରେଶନ ଗ୍ରୁପ(SOG) ଖାଦ୍ୟ ଓ ଔଷଧ ବିଭାଗଙ୍କ ଟିମ ସଂଯୁକ୍ତ କାର୍ଯ୍ୟାନୁଷ୍ଠାନ କରି ଗୋପିପୁରାର ମୋମନାବାଦ ରୋଡ଼ ସ୍ଥିତ ଶାନ୍ତିନାଥ ମେଡିକାଲ ଷ୍ଟୋର ରେ ଚଢ଼ାଉ କରିଥିଲା | ମେଡିକାଲ ଷ୍ଟୋର ସଞ୍ଚାଳକ ମୋହମ୍ମଦ ସାଜିଦ ଇବ୍ରାହିମ ମୁଲ୍ଲା କୁ ଗିରଫ କରିଛି | ଅଭିଯୁକ୍ତ ଉପରେ ପଶୁମାନଙ୍କ ପାଇଁ ବ୍ୟବହୃତ ହେଉଥିବା ଲିଭର ଟନିକକୁ ଛୋଟ ବୋତଲ ଭିତରେ ଭର୍ତ୍ତିକରି, ବୋତଲ ଉପରେ ନାମୀ କମ୍ପାନୀର ଷ୍ଟିକର ଲଗାଇ ବିକିବାର ଅଭିଯୋଗ ହୋଇଛି |
ବଡ଼ ବୋତଲରୁ ଛୋଟ ବୋତଲକୁ ଭର୍ତ୍ତି
ତଦନ୍ତ ଅନୁସାରେ ,ଅଭିଯୁକ୍ତ ଘୋଡା ,ଗାଈ ,ବଳଦ ଓ ମଇଁଷି ଭଳି ପଶୁଙ୍କ ପାଇଁ ବ୍ୟବହୃତ ‘ଲିଭ୍.୫୨ ପ୍ରୋଟେକ୍ ଲିକ୍ୱିଡ୍ ଆନିମଲ୍ ଫିଡ୍ ସପ୍ଲିମେଣ୍ଟ’ର ୧ଲିଟର ଓ ୫ ଲିଟର ପ୍ୟାକ୍ରୁ ତରଳ ପଦାର୍ଥ ବାହାରକରି ୬୦ମିଲିଲିଟର ଓ ୧୦୦ ମିଲିଲିଟର ଛୋଟ ବୋତଲରେ ଭର୍ତ୍ତି କରୁଥିଲା | ଏହାପରେ ଏହି ବୋତଲକୁ ଶିଶୁମାନଙ୍କ ପାଇଁ ବ୍ୟବହାର ହେଉଥିବା ନକଲି ଲେବଲ୍ ଲଗାଇ ବଜାରରେ ବିକ୍ରି କରୁଥିଲେ | ଏହିପରି ପଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ଉତ୍ପାଦକୁ ମଣିଷଙ୍କ ବ୍ୟବହାର ପାଇଁ ଔଷଧ ଭାବେ ଉପସ୍ଥାପନ କରାଯାଉଥିବା ଅଭିଯୋଗ ହୋଇଛି | ମାମଲାର ଗମ୍ଭିରତାକୁ ଦେଖି SOG ଏବଂ ଖାଦ୍ୟ ଓ ଔଷଧ ବିଭାଗ ଟିମ ତଦନ୍ତ କରୁଛି |
୧ ଲିଟର ପ୍ୟାକ୍ର ମୂଲ୍ୟ ପ୍ରାୟ ୩୩୦ ଟଙ୍କା
ପୋଲିସର ପ୍ରାରମ୍ଭିକ ତଦନ୍ତ ଅନୁଯାୟୀ ,ପଶୁଙ୍କ ପାଇଁ ବ୍ୟବହାର ହେଉଥିବା ୧ ଲିଟର ପ୍ୟାକ୍ର ମୂଲ୍ୟ ପ୍ରାୟ ୩୩୦ ଟଙ୍କା କୁହାଯାଉଛି | ଯେବେକି ଲୋକଙ୍କୁ ବିକ୍ରି କରାଯାଉଥିବା ୬୦ ମିଲିଲିଟର ଲିଭ୍.୫୨ ଡ୍ରପ୍ସ ପାଇଁ ଉଲ୍ଲେଖ କରାଯାଇଥିବା MRP ୧୬୦ ଟଙ୍କା ଅଟେ | ବଡ଼ ପ୍ୟାକରେ ତରଳପଦାର୍ଥର ଛୋଟ ବୋତଲରେ ଭର୍ତ୍ତିକରି ନକଲି ଲେଭଲ ଲଗାଇ ଅଧିକ ଟଙ୍କାରେ ବିକ୍ରି ହେବାର ଅଭିଯୋଗ ହୋଇଛି | ଏହିଥିରେ ଅବୈଧ ଲାଭ ଅର୍ଜନ କରିବାର ସନ୍ଦେହ ରହିଛି |
୧,୦୦୦ ବୋତଲ ବିକ୍ରି କରିଥିବା ନେଇ ତଥ୍ୟ ସାମ୍ନାକୁ ଆସିଲା
ପୋଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତ ଗତ ପ୍ରାୟ ଏକ ବର୍ଷ ଧରି ଏହି କାର୍ଯ୍ୟକଳାପରେ ସାମିଲ ଥିଲେ। ପଚରାଉଚରା ସମୟରେ ପ୍ରାୟ ୧,୦୦୦ ବୋତଲ ବିକ୍ରି କରାଯାଇଥିବା ନେଇ ତଥ୍ୟ ସାମ୍ନାକୁ ଆସିଥିବା ଦାବି କରାଯାଇଛି। ଏବେ ପୋଲିସ ଏହି ବୋତଲଗୁଡ଼ିକ କେଉଁ କେଉଁ ଅଞ୍ଚଳରେ ବିକ୍ରି କରାଯାଇଥିଲା ଏବଂ ଏହାକୁ ଅନ୍ୟ ମେଡିକାଲ ଷ୍ଟୋର, ହସ୍ପିଟାଲ କିମ୍ବା କ୍ଲିନିକ୍କୁ ମଧ୍ୟ ଯୋଗାଣ କରାଯାଇଥିଲା କି ନାହିଁ, ସେନେଇ ତଦନ୍ତ କରୁଛି।
ପ୍ରାୟ ୨୦ ବର୍ଷ ପୁରୁଣା ମେଡିକାଲ ଷ୍ଟୋର
ତଦନ୍ତରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ଶାନ୍ତିନାଥ ମେଡିକାଲ ଷ୍ଟୋର ପ୍ରାୟ ୨୦ ବର୍ଷ ପୁରୁଣା। ତେବେ ଦୋକାନ ପରିଚାଳନା ସମ୍ବନ୍ଧୀୟ ଲାଇସେନ୍ସ ନିକଟରେ ଜାରି କରାଯାଇଥିବା ସୂଚନା ମିଳିଛି। ଅଭିଯୁକ୍ତଙ୍କ ଝିଅ ବି.ଫାର୍ମ ପାଠ୍ୟକ୍ରମ ଶେଷ କରିଛନ୍ତି ଏବଂ ତାଙ୍କ ଫାର୍ମାସିଷ୍ଟ ଲାଇସେନ୍ସ ଆଧାରରେ ଦୋକାନ ଚାଲୁଥିଲା ବୋଲି କୁହାଯାଉଛି। ଦୋକାନ ପରିଚାଳନା ଏବଂ ଅଭିଯୋଗ ହୋଇଥିବା ବେଆଇନ କାର୍ଯ୍ୟକଳାପରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ଭୂମିକା ରହିଛି କି ନାହିଁ, ପୋଲିସ ଏବେ ତାହାର ମଧ୍ୟ ତଦନ୍ତ କରୁଛି।
ପିଲାମାନଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଦଜନକ
ପୋଲିସର ତଦନ୍ତରୁ ଆଶଙ୍କା କରାଯାଉଛି ଯେ, ଅଭିଯୁକ୍ତ ଏହାକୁ ଆୟୁର୍ବେଦିକ ଉତ୍ପାଦ ଭାବି ଅପେକ୍ଷାକୃତ ସୁରକ୍ଷିତ ମନେ କରି ବିକ୍ରି କରୁଥିଲେ। ତେବେ ପଶୁମାନଙ୍କ ପାଇଁ ପ୍ରସ୍ତୁତ ଉତ୍ପାଦକୁ ଉପଯୁକ୍ତ ଅନୁମତି ଏବଂ ଗୁଣବତ୍ତା ଯାଞ୍ଚ ବିନା ପିଲାମାନଙ୍କୁ କିମ୍ବା ଅନ୍ୟ ମଣିଷଙ୍କୁ ଦେବା ସ୍ୱାସ୍ଥ୍ୟ ପାଇଁ ବିପଦଜନକ ହୋଇପାରେ। କୌଣସି ଉତ୍ପାଦ ଆୟୁର୍ବେଦିକ ହୋଇଥିଲେ ମଧ୍ୟ ତାହା ମଣିଷଙ୍କ ବ୍ୟବହାର ପାଇଁ ସୁରକ୍ଷିତ ବୋଲି ନିଶ୍ଚିତ କରାଯାଇପାରିବ ନାହିଁ।
ବିଭିନ୍ନ ଧାରାରେ ମାମଲା ରୁଜୁ
ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ମହମ୍ମଦ ସାଜିଦ ମୁଲ୍ଲାଙ୍କ ବିରୋଧରେ ସମ୍ପୃକ୍ତ ପୋଲିସ ଥାନାରେ ଭାରତୀୟ ନ୍ୟାୟ ସଂହିତା (BNS), ୨୦୨୩ର ଧାରା ୧୨୩, ୧୨୫, ୩୩୬(୨), ୩୩୬(୩), ୩୩୬(୪) ଏବଂ ୨୭୮ ସମେତ ଅନ୍ୟାନ୍ୟ ସମ୍ପୃକ୍ତ ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଥିବା କୁହାଯାଇଛି। ଏହି ମାମଲାରେ ଔଷଧ ଓ ପ୍ରସାଧନ ସାମଗ୍ରୀ ସମ୍ବନ୍ଧୀୟ ଆଇନ ଏବଂ ଅନ୍ୟାନ୍ୟ ପ୍ରଯୁଜ୍ୟ ଆଇନଗତ ବ୍ୟବସ୍ଥାର ଭୂମିକା ମଧ୍ୟ ଯାଞ୍ଚ କରାଯାଉଛି। SOG ଏବେ ଅଭିଯୋଗ ହୋଇଥିବା ନକଲି ଷ୍ଟିକର କେଉଁଠାରେ ଛପା ଯାଇଥିଲା, ବୋତଲଗୁଡ଼ିକ କେଉଁ କେଉଁ ସ୍ଥାନକୁ ଯୋଗାଣ କରାଯାଇଥିଲା ଏବଂ ଏହି କାର୍ଯ୍ୟକଳାପରେ ଅନ୍ୟ କେହି ସାମିଲ ଥିଲେ କି ନାହିଁ, ସେନେଇ ତଦନ୍ତ ଆରମ୍ଭ କରିଛି।
