Karnataka Election : ନିର୍ବାଚନ ରେକର୍ଡ ଗାଏବ! ସୁପ୍ରିମକୋର୍ଟଙ୍କ କଡ଼ା ପ୍ରଶ୍ନରେ ଅକଳରେ ନିର୍ବାଚନ ଆୟୋଗ
ରି-କାଉଣ୍ଟିଂର ମୂଳ ଭିଡିଓ ରେକର୍ଡିଂ ନମିଳିବାରୁ ନିର୍ବାଚନ ଆୟୋଗଙ୍କ ଉପରେ ବର୍ଷୀଛନ୍ତି ସୁପ୍ରିମକୋର୍ଟ | କୋର୍ଟ ସମସ୍ତ ରେକର୍ଡ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେବା ସହ ଏପରି ନକଲେ ପ୍ରତିକୂଳ ନିଷ୍କର୍ଷ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି |

ନିର୍ବାଚନ ପ୍ରକ୍ରିୟାରେ ରେକର୍ଡ ସୁରକ୍ଷିତ ରଖିବା ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗଙ୍କୁ କଡ଼ା ପ୍ରଶ୍ନ । କଂଗ୍ରେସ ନେତା ଟିଡି ରାଜେଗୌଡ଼ା ଏବଂ ବିଜେପିର ଡିଏନ୍ ଜୀବରାଜାଙ୍କ ମଧ୍ୟରେ ଥିବା ନିର୍ବାଚନୀ ବିବାଦର ଶୁଣାଣି ସମୟରେ ନିର୍ବାଚନ ଆୟୋଗଙ୍କ ଓକିଲ ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ ଯେ ପୁନଃଗଣନା ବା ରି-କାଉଣ୍ଟିଂର ମୂଳ ଭିଡିଓ ରେକର୍ଡିଂ ମିଳୁନାହିଁ | ଏହା ଶୁଣି ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଥିଲେ ଯେ, " ନିର୍ବାଚନ ଆୟୋଗ ନିଜର ଗୁରୁତ୍ୱପୂର୍ଣ୍ଣ ରେକର୍ଡ ହଜିଯାଇଥିବା କଥା କିପରି କହିପାରିବେ? "
ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗକୁ ପରବର୍ତ୍ତୀ ଶୁଣାଣିରେ ଉପଲବ୍ଧ ସମସ୍ତ ରେକର୍ଡକୁ ଉପସ୍ଥିତ କରିବାକୁ ନିର୍ଦ୍ଧେଶ ଦେବା ସହ ଚେତାବନୀ ଦେଇ କହିଛନ୍ତି ,ଯଦି ଏହା ନ ହୁଏ ତେବେ ତାଙ୍କର ପ୍ରତିକୂଳ ନିଷ୍କର୍ଷ କରାଯାଇପାରେ | ଶୁଣାଣୀ ସମୟରେ ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗକୁ ପ୍ରଶ୍ନ କରିଥିଲେ,ସମ୍ପୃକ୍ତ ରେକର୍ଡ ତାଙ୍କ ପାଖରେ ନାହିଁ ବୋଲି ସେ କିପରି କହିପାରୁଛନ୍ତି | କୋର୍ଟ କହିଥିଲେ ଯେ ନିର୍ବାଚନ କରାଇବା ନିର୍ବାଚନ ଆୟୋଗଙ୍କ ମୁଖ୍ୟ କାର୍ଯ୍ୟ ଏବଂ ଏଥିପାଇଁ ଆବଶ୍ୟକ ଦସ୍ତାବିଜଗୁଡ଼ିକୁ ସୁରକ୍ଷିତ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ | ନିର୍ଵାଚନ ସମ୍ପର୍କୀତ ସମସ୍ତ ଦସ୍ତାବିଜକୁ ସୁରକ୍ଷିତ ରଖିବାର ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି |
କର୍ଣ୍ଣାଟକର ଶୃଂଙ୍ଗେରୀ ବିଧାନସଭା ସିଟରେ ୨୦୨୩ରେ କଂଗ୍ରେସର ଟିଡି ରାଜେଗୌଡ଼ା ଏବଂ ବିଜେପିର ଡିଏନ୍ ଜୀବରାଜାଙ୍କୁ ୨୦୧ଭୋଟରୁ ହରାଇଥିଲେ | ନିର୍ବାଚନର ଫଳାଫଳକୁ ଚ୍ୟାଲେଞ୍ଜ କରି ଜୀବରାଜା କର୍ଣ୍ଣାଟକ ହାଇକୋର୍ଟରେ ଯାଚିକା ଦେଇଥିଲେ | ସେ ଡାକ ଭୋଟପତ୍ର ଗଣନା ଏବଂ ଖାରଜ କରାଯାଇଥିବା ଭୋଟପତ୍ରଗୁଡ଼ିକର ଯାଞ୍ଚ ପ୍ରକ୍ରିୟାରେ ନିୟମ ପାଳନ କରାଯାଇନଥିବା ଅଭିଯୋଗ କରିଥିଲେ | ୬ ଏପ୍ରିଲ୍ ୨୦୨୬ରେ କର୍ଣ୍ଣାଟକ ହାଇକୋର୍ଟ ଖାରଜ କରାଯାଇଥିବା ୨୭୯ଟି ଡାକ ଭୋଟପତ୍ରର ପୁନଃଯାଞ୍ଚ କରିବା ସହ ସମସ୍ତ ଡାକ ଭୋଟପତ୍ରର ପୁନଃଗଣନା କରିବାକୁ ନିର୍ଦ୍ଦେଶ ଦେଇଥିଲେ | କୋର୍ଟଙ୍କ ଆଦେଶ ପରେ ମେ ମାସରେ ପୁନର୍ବାର ଭୋଟ ଗଣନା କରାଯାଇଥିଲା | ପୁନଃଗଣନା ପକ୍ରିୟାରେ ୨୫୫ଟି ଡାକ ଭୋଟପତ୍ର ଅମାନ୍ୟ କରାଯାଇଥିଲା | ପରେ BJP ପ୍ରାଥୀ ଜୀଵରାଜାଙ୍କୁ ୫୨ ଭୋଟରେ ବିଜୟୀ ଘୋଷଣା କରାଯାଇଥିଲା | ଏହାବିରୋଧ କରି କଂଗ୍ରେସ ଟିଡ଼ି ରାଜେଗୌଡ଼ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ | ୧୧ ମେ ୨୦୨୬ରେ ସୁପ୍ରିମକୋର୍ଟ କହିଥିଲେ ଯେ ରିଟର୍ଣ୍ଣିଙ୍ଗ ଅଫିସର ହାଇକୋର୍ଟର ନିର୍ଦ୍ଧେଶ ସୀମା ଅତିକ୍ରମ କରିଥିଲେ | ତେଣୁ ପୁନଃଗଣନାର ଫଳାଫଳ ଉପରେ ରୋକ ଲଗାଇ ପୂର୍ବ ସ୍ଥିତି ବଜାୟ ରଖିବାକୁ କୋର୍ଟ ଅନ୍ତରୀଣ ନିର୍ଦ୍ଧେଶ ଦେଇଥିଲେ | ଫଳରେ ରାଜଗୌଡ଼ ପୁର୍ନବାର ବିଧାୟକ ଭାବେ କାର୍ଯ୍ୟ କରିବାକୁ ସୁଯୋଗ ପାଇଥିଲେ | ଏହି ମାମଲାରେ ରାଜେଗୌଡ଼ାଙ୍କ ନିର୍ବାଚନ ଏଜେଣ୍ଟଙ୍କ ଅଭିଯୋଗ ଆଧାରରେ ଜୀବରାଜା ଏବଂ କିଛି ଅଧିକାରୀଙ୍କ ବିରୋଧରେ ଏକ FIR ମଧ୍ୟ ରୁଜୁ ହୋଇଥିଲା | ପରେ କର୍ଣ୍ଣାଟକ ହାଇକୋର୍ଟ ଏହି ମାମଲାରେ ଆଗକୁ ତଦନ୍ତ କରିବା ଉପରେ ରୋକ୍ ଲଗାଇଥିଲେ |
