Bihar Boat Tragedy:ଗଙ୍ଗାରେ ଡଙ୍ଗା ବୁଡ଼ି ୧୩ ଛୁଆ ମୃତ
ବିହାରର ବୈଶାଳୀରେ ଏକ ଖୁସିର ଯାତ୍ରା ହଠାତ୍ ଦୁଃଖଦ ଘଟଣାରେ ପରିଣତ ହୋଇଛି। ଗଙ୍ଗା ନଦୀ ପାର ହୋଇ ଭୋଜିକୁ ଯାଉଥିବା ପିଲାଙ୍କ ନୌକା ବୁଡ଼ିଯିବା ପରେ ଅନେକ ପରିବାରରେ ଶୋକର ଛାୟା ଖେଳିଯାଇଛି। ଉଦ୍ଧାର କାର୍ଯ୍ୟ ଓ ମୃତ୍ୟୁସଂଖ୍ୟାକୁ ନେଇ ସାମ୍ନାକୁ ଆସିଛି ହୃଦୟବିଦାରକ ଚିତ୍ର।
ବିହାର:ବିହାରର ବୈଶାଳୀ ଜିଲ୍ଲାରେ ଗଙ୍ଗା ନଦୀରେ ନୌକା ବୁଡ଼ି ୧୩ ଛୁଆଙ୍କ ମୃତ୍ୟୁ ହୋଇଛି। ଅକ୍ଟୋବର ୧୩ ତାରିଖ ମଙ୍ଗଳବାର ରାତିରେ ରାଘୋପୁର ଥାନା ଅନ୍ତର୍ଗତ ରାମପୁର ଶ୍ୟାମଚାନ୍ଦ ଗାଁ ନିକଟରେ ଏହି ଦୁଃଖଦ ଘଟଣାଟି ଘଟିଛି। ବୈଶାଳୀ ଜିଲ୍ଲାପାଳ ବର୍ଷା ସିଂଙ୍କ ସୂଚନା ଅନୁସାରେ, ମୃତକଙ୍କ ବୟସ ୧୫ ବର୍ଷ କିମ୍ବା ତା’ଠାରୁ କମ୍ ହେବାର ଅନୁମାନ କରାଯାଉଛି । ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ପରିବେଶ ସୃଷ୍ଟି ହୋଇଛି।ମିଳିଥିବା ଖବର ଅନୁଯାୟୀ, ପ୍ରାୟ ୧୫ରୁ ୨୦ ଜଣ ପିଲା ଗଙ୍ଗା ନଦୀ ପାର ହୋଇ ପଡ଼ୋଶୀ ଗାଁରେ ଏକ ଭୋଜିରେ ଯୋଗଦେବାକୁ ଯାଉଥିଲେ। ରାତି ପ୍ରାୟ ୮ଟା ୩୦ ମିନିଟ୍ରେ ନଦୀ ମଝିରେ ନୌକାଟି ଭାରସାମ୍ୟ ହରାଇ ବୁଡ଼ିଯାଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ପରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (SDRF), ପୁଲିସ ଓ ସ୍ଥାନୀୟ ବୁଡ଼ାଳି ମାନେ ନଦୀରେ ଖୋଜାଖୋଜି କରିଥିଲେ। ତେବେ ଜିଲ୍ଲାପାଳ ଦେଇଥିବା ସୂଚନା ଅନୁଯାୟୀ,ସାତ ଜଣଙ୍କୁ ଉଦ୍ଧାର କରାଯାଇ ନାଲନ୍ଦା ମେଡିକାଲ୍ କଲେଜ ଓ ହସ୍ପିଟାଲ୍ରେ ଭର୍ତି କରାଯାଇଥିଲା ଏବଂ ବର୍ତ୍ତମାନ ସେମାନଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଇଛି। ଘଟଣାରେ ଶୋକ ପ୍ରକାଶ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୃତକଙ୍କ ପରିବାର ପାଇଁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ସହାୟତା ଘୋଷଣା କରିଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ମୃତକଙ୍କ ପରିବାର ପିଛା ୪ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ନୌକା କିପରି ବୁଡ଼ିଲା ଏବଂ ଆଉ କେହି ନିଖୋଜ ଅଛନ୍ତି କି ନାହିଁ, ସେନେଇ ତଦନ୍ତ ଓ ତଲାସି ଜାରି ରହିଛି।
