Protest Politics JantarMantar:ଜନ୍ତରମନ୍ତର ବଦଳରେ ୩ ସ୍ଥାନ, ସୁବିଧା ନା ସମସ୍ୟା?
“ଆନ୍ନା ହଜାରେଙ୍କ ଦୁର୍ନୀତିବିରୋଧୀ ଆନ୍ଦୋଳନଠାରୁ କୁସ୍ତିଯୋଦ୍ଧାଙ୍କ ନ୍ୟାୟ ଦାବି ପର୍ଯ୍ୟନ୍ତ—ଜନ୍ତରମନ୍ତର କେବଳ ଏକ ପ୍ରତିବାଦସ୍ଥଳ ନୁହେଁ, ଅନେକ ଜାତୀୟ ପ୍ରସଙ୍ଗକୁ ଦେଶର ସାମ୍ନାକୁ ଆଣିଥିବା ଏକ ମଞ୍ଚ। ତେଣୁ ଏହାର ଠିକଣା ବଦଳିବା ସହ ଆନ୍ଦୋଳନର ସ୍ୱର, ପହଞ୍ଚ ଓ ପ୍ରଭାବ କେତେ ବଦଳିବ, ତାହା ଏବେ ଭାବିବାର ବିଷୟ।” କେବଳ ଯେ ଆନ୍ଦୋଳନର ସ୍ଥାନ ବଦଳିଛି ତାହାନୁହଁ , ବଢିଛି ସଂସଦ ଠାରୁ ଦୂରତା | ତେବେ,ଏହି ପରିବର୍ତ୍ତନ ପ୍ରତିବାଦକୁ ସୁବ୍ୟବସ୍ଥିତ କରିବ, ନା ଦାବି ଶୁଣାଇବାର ରାସ୍ତାକୁ ଆହୁରି ଲମ୍ବା କରିବ?

ନୂଆଦିଲ୍ଲୀ:ନୂଆଦିଲ୍ଲୀର ଜନ୍ତରମନ୍ତର କେବଳ ଏକ ପ୍ରତିବାଦସ୍ଥଳ ନୁହେଁ, ବରଂ ବର୍ଷ ବର୍ଷ ଧରି ଜନଅସନ୍ତୋଷ, ଆନ୍ଦୋଳନ ଓ ସରକାରଙ୍କ ନିକଟରେ ଜନଦାବିର ପ୍ରତୀକ ହୋଇଆସିଛି। କିନ୍ତୁ ଅକ୍ଟୋବର ୧୨ରେ ଦିଲ୍ଲୀ ପୁଲିସ କମିଶନର ଅନୁରାଗ କୁମାରଙ୍କ ଆଦେଶ ପରେ ଜନ୍ତରମନ୍ତରକୁ ଅନୁମୋଦିତ ପ୍ରତିବାଦସ୍ଥଳ ତାଲିକାରୁ ହଟାଇ ରାମଲୀଳା ମୈଦାନ, ବୁରାଡ଼ି ଗ୍ରାଉଣ୍ଡ ଓ ପୂର୍ବ ଦିଲ୍ଲୀର ସିବିଡି ଗ୍ରାଉଣ୍ଡକୁ ବିକଳ୍ପ ସ୍ଥାନ ଭାବେ ଘୋଷଣା କରାଯାଇଛି। ଗୃହ ମନ୍ତ୍ରଣାଳୟ ଗଠିତ କମିଟିର ସୁପାରିସ ଆଧାରରେ ଏହି ନିଷ୍ପତ୍ତି ହୋଇଥିବା ପୁଲିସ କହିଛି।
ଜନ୍ତରମନ୍ତରରେ ଟାୟାର ଜଳିଲେ ଧୂଆଁ ସଂସଦ ଭବନରୁ ଦେଖା ଯାଉଥିଲା କାରଣ ଜନ୍ତରମନ୍ତର ସଂସଦଠାରୁ ପ୍ରାୟ ୧.୫ କିଲୋମିଟର ଦୂରରେ। ତେବେ ପ୍ରଶାସନ ଯେଉଁ କାରଣ ଦର୍ଶାଇଛି ଯେ ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣ ନିମନ୍ତେ ଠିକଣା ବଦଳା ଯାଇଛି,ଅସୁବିଧା କାହାକୁ ହେଉଥିଲା ? ନେତା ନା ଜନତା ? ନୂଆ ବିକଳ୍ପ ସ୍ଥାନ ଗୁଡିକ ଯେମିତିକି, ରାମଲୀଳା ମୈଦାନ ପ୍ରାୟ ୪–୬ କିଲୋମିଟର, ବୁରାଡ଼ି ପ୍ରାୟ ୧୬–୨୩ କିଲୋମିଟର ଏବଂ ସିବିଡି ଗ୍ରାଉଣ୍ଡ ପ୍ରାୟ ୧୪–୨୬ କିଲୋମିଟର ଦୂରରେ। ସଂସଦ ଓ ଅନ୍ୟାନ୍ୟ ସୁରକ୍ଷାସମ୍ବେଦନଶୀଳ ସ୍ଥାନ ନିକଟରେ ଜନ୍ତରମନ୍ତରର ଅବସ୍ଥିତି ହିଁ ଅଧିକ ପ୍ରଭାବଶାଳୀ ମନେହୁଏ | ତେବେ ସଂସଦ ଠାରୁ ଏତେ ଦୂରରେ ପ୍ରତିବାଦ କରିବା ଫଳରେ ପ୍ରତିବାଦକାରୀଙ୍କୁ ଯାତାୟାତ ପାଇଁ ଅଧିକ ସମୟ ଓ ଖର୍ଚ୍ଚ କରିବା ବ୍ୟତୀତ ଆନ୍ଦୋଳନକାରୀଙ୍କ ସ୍ୱର ସଂସଦ ଉପରେ ପ୍ରଭାବ ପକାଇବା ନେଇ ମଧ୍ୟ ପ୍ରଶ୍ନ ଉଠୁଛି | CJP ପ୍ରତିଷ୍ଠାତା ଅଭିଜିତ ଦିପ୍କେ ଏହାର ପ୍ରତିବାଦ କରି କହିଛନ୍ତି, “ଏବେ ସାରା ଦେଶ ଜନ୍ତରମନ୍ତର ହେବ।” ଏବଂ କଂଗ୍ରେସ ନେତା ଜୟରାମ ରମେଶ ମଧ୍ୟ ଏହି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି।
ଜନ୍ତରମନ୍ତରର ଇତିହାସ ଏହାର ଗୁରୁତ୍ୱକୁ ସ୍ପଷ୍ଟ କରେ। ୨୦୧୧ରେ ଆନ୍ନା ହଜାରେଙ୍କ ଦୁର୍ନୀତିବିରୋଧୀ ଆନ୍ଦୋଳନ, ୨୦୧୨ରେ ନିର୍ଭୟା ଘଟଣା ପରେ ପ୍ରତିବାଦ, ଚାଷୀଙ୍କ ଦାବି ଓ ୨୦୨୩ରେ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ଏହାକୁ ଜାତୀୟ ଚର୍ଚ୍ଚାର ମଞ୍ଚ କରିଥିଲା। ସମ୍ପ୍ରତି ନିଟ୍ ପରୀକ୍ଷା ପ୍ରସଙ୍ଗରେ CJPର ଆନ୍ଦୋଳନ ଓ ସୋନମ ୱାଙ୍ଗଚୁକ୍ଙ୍କ ପ୍ରତିବାଦ ପରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ଏବଂ ପରବର୍ତ୍ତୀ ସମୟରେ CEC ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିକୁ ନେଇ ପ୍ରତିବାଦ ଏହାର ଗୁରୁତ୍ୱକୁ ପୁଣି ଚର୍ଚ୍ଚାକୁ ଆଣିଛି। ତେଣୁ ପ୍ରଶ୍ନ କେବଳ ସ୍ଥାନ ବଦଳର ନୁହେଁ କେତେ ପ୍ରଭାବଶାଳୀ ବିକଳ୍ପ ସ୍ଥାନଗୁଡିକ |
ପୁଲିସ ପାଇଁ ଖୋଲା ଓ ବିସ୍ତୃତ ସ୍ଥାନରେ ଭିଡ଼, ଟ୍ରାଫିକ୍ ଓ ସୁରକ୍ଷା ପରିଚାଳନା ସହଜ ହୋଇପାରେ। କିନ୍ତୁ ସଂସଦ ନିକଟରେ ପ୍ରତିବାଦ କରିବାର ସୁଯୋଗ କମିଲେ ଆନ୍ଦୋଳନକାରୀଙ୍କ ଦାବିର ଦୃଶ୍ୟମାନତା, ଗଣମାଧ୍ୟମର ଧ୍ୟାନ ଓ ସାଧାରଣ ଲୋକଙ୍କ ଅଂଶଗ୍ରହଣ ପ୍ରଭାବିତ ହୋଇପାରେ। ତେଣୁ ଜନ୍ତରମନ୍ତରରେ ପ୍ରତିବାଦ ଉପରେ କଟକଣା କେବଳ ଏକ ସ୍ଥାନ ପରିବର୍ତ୍ତନର ପ୍ରଶ୍ନ ନୁହେଁ; ଏହା ଜନସାଧାରଣଙ୍କ ସ୍ୱର କେଉଁଠି, କିପରି ଓ କେତେ ପ୍ରଭାବଶାଳୀ ଭାବେ ଶୁଣାଯିବ, ସେନେଇ ଏକ ବଡ଼ ବିତର୍କ।
