Neha Bora:ପୋଲିସକୁ ଚକ୍ମା ଦେଇଥିଲେ କି ନେହା ବୋରା?
ରବିବାର ଦିନ ଦିଲ୍ଲୀର ଦୁଇଟି ଭିନ୍ନ ସ୍ଥାନରେ 'ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଆସୋସିଏସନ୍'ର ସଭାପତି ନେହା ବୋରାଙ୍କୁ ଦେଖିବାକୁ ମିଳିଥିଲା। ଗୋଟିଏ ଭିଡିଓରେ, କନଟ୍ ପ୍ଲେସ୍ ଠାରେ ଦିଲ୍ଲୀ ପୋଲିସ୍ କର୍ମଚାରୀମାନେ ତାଙ୍କୁ ଧରିବା ପାଇଁ ଦୌଡ଼ୁଥିବାର ଦେଖାଯିବାବେଳେ, ଅନ୍ୟ ଏକ ଭିଡିଓରେ ଆର.କେ. ଆଶ୍ରମ ନିକଟରେ କ୍ୟାମେରା ସାମ୍ନାରେ ସେ ପୋଲିସ୍ ହେପାଜତରେ ଥିବାର ନଜର ଆସିଥିଲେ। ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଏହା କ’ଣ ନେହା ବୋରାଙ୍କର କୌଣସି ରଣନୀତି ଥିଲା, ନା କେବଳ ଏକ ସଂଯୋଗ?
ନୂଆଦିଲ୍ଲୀ: ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ (AISA)ର ଜାତୀୟ ସଭାପତି ନେହା ବୋରାଙ୍କୁ ନେଇ ରବିବାର ଦିଲ୍ଲୀରେ ଏକ ରୋଚକ ଘଟଣା ସାମ୍ନାକୁ ଆସିଥିଲା। ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ପ୍ରତିବାଦ ପାଇଁ ନେହା ଆହ୍ୱାନ ଦେଇଥିବା ବେଳେ, ତାଙ୍କର ଜଣେ ହମ୍ଶକଲଙ୍କୁ ନେଇ ଦିଲ୍ଲୀ ପୋଲିସ ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲା। ନେହା ସୋସିଆଲ୍ ମିଡିଆରେ ଏକ ଭିଡିଓ ବାର୍ତ୍ତା ଦେଇ ଅପରାହ୍ଣ ୨ଟା ୩୦ରେ ଆର୍କେ ଆଶ୍ରମ ମେଟ୍ରୋ ଷ୍ଟେସନ୍ରେ ପହଞ୍ଚିବାକୁ ସମର୍ଥକଙ୍କୁ କହିଥିଲେ। ତେବେ,ତାଙ୍କୁ ଅପେକ୍ଷା କରି ପୋଲିସ, ଅର୍ଦ୍ଧସାମରିକ ବଳ ଓ ଗଣମାଧ୍ୟମ ପ୍ରତିନିଧି ସେଠାରେ ପହଞ୍ଚିଥିଲେ। ଏହି ସମୟରେ ମାସ୍କ, କଳା ଫ୍ରେମ୍ ଚଷମା, ଟି-ସାର୍ଟ ଓ ସ୍କାର୍ଫ ପିନ୍ଧିଥିବା ଜଣେ ମହିଳା ସମର୍ଥକ ସେଠାରେ ପହଞ୍ଚିଥିଲେ। ତାଙ୍କୁ ନେହା ବୋଲି ଭାବି ପୋଲିସ ଓ କ୍ୟାମେରାମ୍ୟାନ୍ ତାଙ୍କ ଆଡ଼କୁ ଦୌଡ଼ିଥିଲେ।ଏହି ଭୁଲ୍ ପରିଚୟର ସୁଯୋଗରେ ପ୍ରକୃତ ନେହା ନିଜ ସମର୍ଥକ ମାନଙ୍କ ସହ କନଟ୍ ପ୍ଲେସ୍ ଆଡ଼କୁ ଅଗ୍ରସର ହୋଇଥିଲେ। ଯାହା ପରେ ତାଙ୍କ ସୋସିଆଲ୍ ମିଡିଆ ପୋଷ୍ଟରୁ ଯେ ସେମାନେ ବ୍ୟାରିକେଡ୍ ପାର୍ କରି କନଟ୍ ପ୍ଲେସ୍ରେ ପହଞ୍ଚିସାରିଛନ୍ତି।
ଏହାପରେ ନେହା ନିଜ ହମ୍ଶକଲ ବା ପୁରା ମେଳ ଖାଉଥିବା ଚେହେରା ସହ ଏକ ଫଟୋ Xରେ ପୋଷ୍ଟ କରିଥିଲେ। କ୍ୟାପ୍ସନ୍ରେ ସେ ଲେଖିଥିଲେ, “ଦୁଇ ନେହାଙ୍କ କାହାଣୀ। କୌଣସି ରଣନୀତି ନୁହେଁ, କେବଳ ଏକ ସଂଯୋଗ।” ଏହି ଘଟଣା ପଛରେ ପୋଲିସକୁ ଚକ୍ମା ଦେବାର ଯୋଜନା ଥିଲା ବୋଲି ହୋଇଥିବା ଚର୍ଚ୍ଚାକୁ ସେ ଏଭଳି ଖଣ୍ଡନ କରିଥିଲେ। ତେବେ, କିଛି ସମୟ ପରେ ଦିଲ୍ଲୀ ପୋଲିସ ନେହାଙ୍କୁ ଅଟକ ରଖିଥିଲା। ସୁରକ୍ଷା ଗାଡ଼ି ଭିତରୁ ଭିଡିଓ ପୋଷ୍ଟ କରି ସେ ଅଭିଯୋଗ କରିଥିଲେ ଯେ ପୋଲିସ ଏପରି ଡିଟେନ୍ସନ୍ ବସ୍ ବ୍ୟବହାର କରୁଥିଲା, ଯେଉଁଥିରେ ନିଃଶ୍ୱାସ ନେବା ମଧ୍ୟ କଷ୍ଟକର ଥିଲା। ସେ ପୋଲିସର ଅତ୍ୟାଚାର ନେଇ ମଧ୍ୟ ଅଭିଯୋଗ କରିଥିଲେ। ଅନ୍ୟ ଶତାଧିକ ଛାତ୍ର କର୍ମୀ ଓ ରାଜନୈତିକ ବ୍ୟକ୍ତିଙ୍କ ସହ ନେହାଙ୍କୁ ସେହିଦିନ ସନ୍ଧ୍ୟାରେ ଛାଡ଼ି ଦିଆଯାଇଥିଲା। ଏହାର ୨୪ ଘଣ୍ଟା ମଧ୍ୟରେ ଏହା ତାଙ୍କର ଦ୍ୱିତୀୟ ଅଟକ ଘଟଣା ଥିଲା। ଶନିବାର ଦିନ ମଧ୍ୟ ଦିଲ୍ଲୀ ହାଟରୁ ତାଙ୍କୁ ଅଟକ ରଖାଯାଇଥିଲା।
୨୯ ବର୍ଷୀୟ ନେହା ଜଣେ ଛାତ୍ର କର୍ମୀ ଓ ପିଏଚ୍ଡି ଗବେଷିକା। ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଏବଂ ଆମ୍ବେଦକର ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ଶେଷ କରିଛନ୍ତି ଏବଂ ଏବେ ସେ ଜବାହରଲାଲ୍ ନେହରୁ ବିଶ୍ୱବିଦ୍ୟାଳୟର ସ୍କୁଲ୍ ଅଫ୍ ଆର୍ଟସ୍ ଆଣ୍ଡ୍ ଏସ୍ଥେଟିକ୍ସରେ ଥିଏଟର୍ ଓ ପରଫର୍ମାନ୍ସ ଷ୍ଟଡିଜ୍ରେ ଗବେଷଣା କରୁଛନ୍ତି। ସେ ଭାରତରେ 'ଜେନ୍-ଜେଡ୍' (Gen-Z) ବା ଆଧୁନିକ ଯୁବପିଢ଼ି ଏବଂ ଯୁବସମାଜର ପ୍ରତିବାଦକାରୀ ମାନଙ୍କ ଭିତରୁ ଅନ୍ୟତମ ପ୍ରମୁଖ ଚେହେରା ଭାବେ ଉଭା ହୋଇଛନ୍ତି | ସେ କଲେଜ ଥିଏଟର୍ ରୁ ଅଧିକ ରାସ୍ତାଘାଟର ବିକ୍ଷୋଭରେ ସକ୍ରିୟ | ୨୦୨୬ ମସିହାରେ ସାରା ଦେଶବ୍ୟାପୀ ଛାତ୍ର ଆନ୍ଦୋଳନର ଦୁଇଟି ପ୍ରମୁଖ ପର୍ଯ୍ୟାୟ ସମୟରେ ତାଙ୍କର ନେତୃତ୍ୱ ଯୁବସମାଜର କ୍ରୋଧର ସ୍ୱର ଭାବରେ ତାଙ୍କ ପରିଚୟକୁ ଆହୁରି ସୁଦୃଢ଼ କରିଥିଲା।
୨୦୧୯-୨୦୨୦ର CAA ବିରୋଧୀ ଛାତ୍ର ଆନ୍ଦୋଳନ ସମୟରେ ତାଙ୍କର ରାଜନୈତିକ ସକ୍ରିୟତା ଆରମ୍ଭ ହୋଇଥିଲା। କଲେଜ ଥିଏଟର୍ ଗୋଷ୍ଠୀରେ ତାଙ୍କର ଅଂଶଗ୍ରହଣ ସାମାଜିକ ଓ ରାଜନୈତିକ ପ୍ରଶ୍ନ ଉଠାଇବାରେ ସହାୟକ ହୋଇଥିଲା। ୨୩ ଦିନର ଅନଶନ ସମୟରେ ଜନ୍ତରମନ୍ତରରେ ତାଙ୍କର ଭାଷଣ ଓ ସୋସିଆଲ୍ ମିଡିଆରେ ବ୍ୟଙ୍ଗାତ୍ମକ ଶୈଳୀ ଯୁବପିଢ଼ିଙ୍କ ମଧ୍ୟରେ ତାଙ୍କୁ ପରିଚିତ କରାଇଥିଲା। ୭ ଅଗଷ୍ଟ ୨୦୨୬ରେ ଝାଡ଼ଖଣ୍ଡର ରାଞ୍ଚିରେ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ବିରୋଧୀ ଛାତ୍ର ମାର୍ଚ୍ଚ ସମୟରେ ଜଣେ ଆକ୍ରମଣକାରୀ ତାଙ୍କ ମୁହଁରେ କାଳି ଫିଙ୍ଗିଥିଲେ। ନେହା ଏହାକୁ ପ୍ରତିବାଦର ପ୍ରତୀକ ଭାବେ ଦେଖାଇଥିଲେ। ଅକ୍ଟୋବର ୨୦୨୬ ସୁଦ୍ଧା, ବୋରା ଯୁବ-ନେତୃତ୍ୱାଧୀନ 'କକରୋଚ୍ ମୁଭମେଣ୍ଟ' ର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ପାଲଟିଯାଇଛନ୍ତି। ବିବାଦୀୟ ଭୋଟର ତାଲିକାରେ କରାଯାଇଥିବା ପରିବର୍ତ୍ତନକୁ ନେଇ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରି ଏହି ଆନ୍ଦୋଳନ ଚାଲିଥିଲା।
