Missing Child Found Dead : ଖେଳିବାକୁ ଯାଇ ଆଉ ଫେରିଲାନି ୨ ବର୍ଷର କୁନି ପୁଅ
ଖେଳିବାକୁ ଘରୁ ବାହାରିଥିଲା ୨ ବର୍ଷର କୁନି ପୁଅ, ହେଲେ ଆଉ ଫେରିଲାନି! ରାତିସାରା ଖୋଜାଖୋଜି ପରେ ପରଦିନ ପୋଖରୀରୁ ମିଳିଲା ମୃତଦେହ।

ଘରୁ ଖେଳିବାକୁ ବାହାରିଥିଲା ଦୁଇ ବର୍ଷର କୁନି ପୁଅ। ହେଲେ ଆଉ ଫେରିଲାନି। ରାତିସାରା ପରିବାର ଲୋକେ ଖୋଜାଖୋଜି କରିବା ପରେ ପରଦିନ ଘରଠାରୁ ମାତ୍ର ୨୦୦ ମିଟର ଦୂରରେ ଥିବା ପୋଖରୀରୁ ମିଳିଲା ତା'ର ମୃତଦେହ। ଏହି ହୃଦୟବିଦାରକ ଘଟଣା ଉତ୍ତରପ୍ରଦେଶର ବଦାୟୁଁ ଜିଲ୍ଲା ୱଜିରଗଞ୍ଜ ଅଞ୍ଚଳର ମୁଡ଼ିଆ ସତାସୀ ଗାଁରେ ଘଟିଛି। ମୃତ ଶିଶୁଟି ହେଉଛି ରାଜକୁମାରଙ୍କ ଦୁଇ ବର୍ଷର ପୁଅ କୃଷ୍ଣା।
ସୂଚନା ଅନୁଯାୟୀ, ଗତ ବୁଧବାର ସକାଳ ପ୍ରାୟ ୮ଟା ସମୟରେ କୃଷ୍ଣା ଖେଳିବା ପାଇଁ ଘରୁ ବାହାରକୁ ଯାଇଥିଲା। ହେଲେ ଦ୍ୱିପ୍ରହର ପର୍ଯ୍ୟନ୍ତ ଘରକୁ ଫେରିନଥିଲା। ପ୍ରଥମେ ପରିବାର ଲୋକେ ଭାବିଥିଲେ ଯେ ସେ ଆଖପାଖରେ ଅନ୍ୟ ପିଲାଙ୍କ ସହ ଖେଳୁଥିବ। କିନ୍ତୁ ଦୀର୍ଘ ସମୟ ଧରି ନ ଫେରିବାରୁ ପରିବାର ଲୋକେ ଗାଁ ଓ ଆଖପାଖ ଜମିରେ ଖୋଜାଖୋଜି ଆରମ୍ଭ କରିଥିଲେ। କୌଣସି ସନ୍ଧାନ ନମିଳିବାରୁ ପରିବାର ଲୋକେ ପୁଲିସକୁ ଖବର ଦେଇଥିଲେ। ଏହାପରେ ବଗରେନ ପୁଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଗାଁରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ କରାଯାଇଥିଲେ ମଧ୍ୟ କୌଣସି ସୁରାକ ମିଳିନଥିଲା। ଗତ ବୁଧବାର ସନ୍ଧ୍ୟାରେ ପୁଲିସ ନିଖୋଜ ମାମଲାକୁ ଅପହରଣ ମାମଲାରେ ପରିବର୍ତ୍ତନ କରି ଖୋଜାଖୋଜି ଜୋରଦାର କରିଥିଲା।
ଗତକାଲି ମଧ୍ୟ ପୁଲିସ ଓ ଗ୍ରାମବାସୀ ଖୋଜାଖୋଜି ଜାରି ରଖିଥିଲେ। ଶେଷରେ ଘରଠାରୁ ପ୍ରାୟ ୨୦୦ ମିଟର ଦୂର ପୋଖରୀରେ ଗୋତାଖୋରଙ୍କ ସହାୟତାରେ ଖୋଜାଖୋଜି କରାଯାଇଥିଲା। ଦୀର୍ଘ ସମୟର ପ୍ରୟାସ ପରେ ପୋଖରୀ ଭିତରୁ କୃଷ୍ଣାର ମୃତଦେହ ଉଦ୍ଧାର ହୋଇଥିଲା।
ପୁଅର ମୃତଦେହ ଦେଖି ମା' ଭୂରୀଙ୍କ ଅବସ୍ଥା ଅସମ୍ଭାଳ ହୋଇପଡ଼ିଥିଲା। ସେ ବାରମ୍ବାର ପୁଅକୁ ଡାକି କାନ୍ଦିବା ସହ ଅଚେତ ହୋଇଯାଉଥିଲେ। ବାପା ରାଜକୁମାରଙ୍କ ମଧ୍ୟ କାନ୍ଦି କାନ୍ଦି ଅବସ୍ଥା ଖରାପ ହୋଇପଡ଼ିଥିଲା। ସେ ମଜୁରି କରି ପରିବାର ଚଳାନ୍ତି।
ଅନ୍ୟପଟେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣି ହୋହଲ୍ଲା କରିଥିଲେ। ବଗରେନ ଫାଣ୍ଡି ଅଧିକାରୀ ସନ୍ଦୀପ ଗୁପ୍ତା ଘଟଣାସ୍ଥଳରେ ପହଞ୍ଚି ପରିବାରକୁ ବୁଝାସୁଝା କରିଥିଲେ। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ବର୍ତ୍ତମାନ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
