A Gift Worth 206 Crores : ସୁନାରେ ସଜିବେ ବାଲାଜୀ! ଉଦ୍ୟୋଗପତିଙ୍କ ମହାଦାନ
ଭକ୍ତିର ଅନନ୍ୟ ଉଦାହରଣ! ତିରୁପତି ବାଲାଜୀଙ୍କୁ ୧୨୧ କେଜି ସୁନା ଦାନ କଲେ ଚେନ୍ନାଇର ଉଦ୍ୟୋଗପତି ବର୍ଦ୍ଧମାନ ଜୈନ। ଦାନର ମୂଲ୍ୟ ଶୁଣିଲେ ହେବେ ଆଶ୍ଚର୍ଯ୍ୟ—ପ୍ରାୟ ୨୦୬ କୋଟି ଟଙ୍କା |
ଭଗବାନଙ୍କ ପ୍ରତି ଅତୁଟ ଭକ୍ତି ଓ ଆସ୍ଥାର ଏକ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି ଚେନ୍ନାଇର ଉଦ୍ୟୋଗପତି ବର୍ଦ୍ଧମାନ ଜୈନ । ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁମାଳା ଶ୍ରୀ ଭେଙ୍କଟେଶ୍ୱର ମନ୍ଦିରକୁ ସେ ୧୨୧ କେଜି ଓଜନର ସୁନା ଅଳଙ୍କାର ଦାନ କରିଛନ୍ତି । ଏହି ଅଳଙ୍କାରର ଆନୁମାନିକ ମୂଲ୍ୟପ୍ରାୟ ୨୦୬ କୋଟି ଟଙ୍କା । ଆଜି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁଙ୍କ ଉପସ୍ଥିତିରେ ଜୈନ ଦମ୍ପତି ମନ୍ଦିର କର୍ତ୍ତୃପକ୍ଷଙ୍କୁ ଏହି ମହାଦାନ ପ୍ରଦାନ କରିଛନ୍ତି ।ସୂଚନା ଅନୁଯାୟୀ, ଦାନ କରାଯାଇଥିବା ସୁନାରେ ମୋଟ ୪୬ଟି ମୂଲ୍ୟବାନ ଅଳଙ୍କାର ରହିଛି । ଏଥିରେ ମୁକୁଟ, ହାର, ବାହୁଟି, କମରବନ୍ଧ ଏବଂ ଅନ୍ୟାନ୍ୟ ଗହଣା ସାମିଲ ଅଛି । ଅଳଙ୍କାରଗୁଡ଼ିକରେ ହୀରା ଓ ଅନ୍ୟାନ୍ୟ ମୂଲ୍ୟବାନ ରତ୍ନପଥର ମଧ୍ୟ ଖଚିତ ହୋଇଛି । ଏହି ୧୨୧ କେଜି ସୁନା ମଧ୍ୟରୁ ୧୦୬ କେଜିରେ ଭଗବାନ ଶ୍ରୀ ଭେଙ୍କଟେଶ୍ୱରଙ୍କ ପାଇଁ ଅଳଙ୍କାର ତିଆରି ହୋଇଥିବା ବେଳେ ବାକି ୧୫ କେଜି ସୁନାରେ ମା' ପଦ୍ମାବତୀଙ୍କ ପାଇଁ ସୁନାର ବସ୍ତ୍ର ପ୍ରସ୍ତୁତ କରାଯିବ। ଏହି ବିପୁଳ ଦାନ ପଛରେ ରହିଛି ଉଦ୍ୟୋଗପତିଙ୍କ ବ୍ୟବସାୟିକ ସଫଳତାର କାହାଣୀ । ବର୍ଦ୍ଧମାନ ଜୈନ ହେଉଛନ୍ତି ହେଲଥକେୟାର ଟେକ୍ନୋଲୋଜି କମ୍ପାନୀ ଆକ୍ସେସ୍ ହେଲଥକେୟାରର ପ୍ରତିଷ୍ଠାତା । ତାଙ୍କ କମ୍ପାନୀକୁ ନ୍ୟୁୟର୍କର ଏକ ପ୍ରାଇଭେଟ୍ ଇକ୍ୱିଟି ସଂସ୍ଥାକୁ ବିକ୍ରି କରାଯାଇଥିଲା । ସେହି କମ୍ପାନୀ ବିକ୍ରିରୁ ମିଳିଥିବା ଅର୍ଥରୁ ସେ ଏହି ସୁନା ଦାନ ପାଇଁ ଖର୍ଚ୍ଚ କରିଥିବା କହିଛନ୍ତି ।
