Chowmein Turns Fatal: ଚାଉମିନ୍ ଖାଇବା ପରେ ଘରେ ଶୋକର ଛାୟା
ଚାଉମିନ୍ ଖାଇବାକୁ ଯାଇଥିଲେ ଦୁଇ ଭାଇ, ହେଲେ ଜଣଙ୍କ ପାଇଁ ତାହା ପାଲଟିଗଲା ଶେଷ ଖାଦ୍ୟ ! ଆଖି ବୁଜିଦେଲା ୮ ବର୍ଷର କୁନି ପୁଅ ରାଘବ ।

ଚାଉମିନ୍ ଖାଇବା ପାଲଟିଲା କାଳ ! ଖୁସିରେ ବଜାରକୁ ଯାଇ ଚାଉମିନ୍ ଖାଇ ଘରକୁ ଫେରିଥିଲେ ଦୁଇ ଭାଇ। ହେଲେ କିଏ ଜାଣିଥିଲା, ଏହି ଖାଦ୍ୟ ଖାଇବା ପରେ ଏତେ ବଡ଼ ଅଘଟଣ ଘଟିବ | ଅସୁସ୍ଥ ହୋଇପଡ଼ିଲେ ଉଭୟ ଭାଇ। ଶେଷରେ ଆଖି ବୁଜିଦେଲା ମାତ୍ର ୮ ବର୍ଷର କୁନି ପୁଅ ରାଘବ। ଅନ୍ୟପଟେ ୧୦ ବର୍ଷୀୟ ବଡ଼ ଭାଇ କୁନାଲ ଏବେ ହସ୍ପିଟାଲର ICUରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଥିବା ଜଣାପଡ଼ିଛି | ଏହି ହୃଦୟବିଦାରକ ଘଟଣା ନଭେମ୍ବର ୨୧ ତାରିଖରେ ହରିୟାଣାର ଫରିଦାବାଦ ଡବୁଆ କଲୋନୀ ଥାନା ଅନ୍ତର୍ଗତ ନେହେରୁ କଲୋନୀରେ ଘଟିଛି। ପ୍ରାଥମିକ ଭାବେ ଫୁଡ୍ ପଏଜନିଂ ଯୋଗୁଁ ଏଭଳି ଘଟିଥିବା ଆଶଙ୍କା କରାଯାଉଛି।
କ'ଣ ଥିଲା ପୂରା ଘଟଣା?
ପୋଲିସର ସୂଚନା ଅନୁଯାୟୀ, ନେହେରୁ କଲୋନୀର ବାସିନ୍ଦା ଶମଶେର ସେକ୍ଟର-୫୮ରେ ମୋଟର ମେକାନିକ୍ ଭାବେ କାମ କରନ୍ତି। ନଭେମ୍ବର ୨୧ ତାରିଖ ସନ୍ଧ୍ୟା ପ୍ରାୟ ୭ଟାରେ ତାଙ୍କ ୮ ବର୍ଷୀୟ ପୁଅ ରାଘବ ଟ୍ୟୁସନରୁ ଘରକୁ ଫେରି ମା'ଙ୍କୁ ଭୋକ ଲାଗୁଥିବା କଥା କହିଥିଲା। ଏହି ସମୟରେ ବଡ଼ ଭାଇ କୁନାଲ ମଧ୍ୟ ଘରେ ପହଞ୍ଚିଥିଲା। କିଛି ସମୟ ପରେ ଉଭୟ ଭାଇ ଟଙ୍କା ନେଇ ବଜାରକୁ ଯାଇ ଚାଉମିନ୍ ଖାଇଥିଲେ।ଘରକୁ ଫେରିବାର କିଛି ସମୟ ପରେ ରାଘବର ମୁଣ୍ଡ ବୁଲାଇବା ସହ ବାନ୍ତି ହେବାକୁ ଲାଗିଥିଲା। ଏହାପରେ ବଡ଼ ଭାଇ କୁନାଲ ମଧ୍ୟ ଅସୁସ୍ଥ ହୋଇ ବାନ୍ତି କରିଥିଲା। ଦୁଇ ପୁଅଙ୍କ ଅବସ୍ଥା ଦେଖି ପରିବାର ଲୋକେ ତୁରନ୍ତ ସେମାନଙ୍କୁ NIT-3 ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ପରେ ଅନ୍ୟ ଏକ ହସ୍ପିଟାଲକୁ ମଧ୍ୟ ସ୍ଥାନାନ୍ତର କରାଯାଇଥିଲା। ହେଲେ ଦୁର୍ଭାଗ୍ୟବଶତଃ ଚିକିତ୍ସାଧୀନ ଅବସ୍ଥାରେ ରାଘବଙ୍କ ମୃତ୍ୟୁ ଘଟିଥିଲା।ଅନ୍ୟପଟେ ୧୦ ବର୍ଷୀୟ କୁନାଲଙ୍କୁ ICUରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ସୁଧାର ଆସୁଥିବା ସୂଚନା ମିଳିଛି।
ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା
ଘଟଣା ପରେ ପୋଲିସ ରାଘବଙ୍କ ମୃତଦେହର ବ୍ୟବଚ୍ଛେଦ କରାଇଛି। ଥାନା ଅଧିକାରୀ ସୁମେର ସିଂହଙ୍କ କହିବା ଅନୁଯାୟୀ, ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।
