Bikaner Accused in KCC loan scam : ନାଁ ବଦଳାଇ ଲୁଚିଥିଲା, ୨୧ ବର୍ଷ ପରେ ସିବିଆଇ ଧରିଲା
୨.୦୮ କୋଟି ଟଙ୍କାର KCC ଋଣ ଠକେଇ ମାମଲାରେ ୨୧ ବର୍ଷ ପରେ ସିବିଆଇ ହାତରେ ଧରାପଡ଼ିଲା ଅଭିଯୁକ୍ତ।

କିଷାନ କ୍ରେଡିଟ୍ କାର୍ଡ (KCC) ଋଣ ନାଁରେ ପ୍ରାୟ ୨.୦୮ କୋଟି ଟଙ୍କାର ଠକେଇ ମାମଲାରେ ସିବିଆଇକୁ ବଡ଼ ସଫଳତା ମିଳିଛି। ଦୀର୍ଘ ୨୧ ବର୍ଷରୁ ଅଧିକ ସମୟ ଧରି ଫେରାର ଥିବା ଅଭିଯୁକ୍ତ କଁୱର ଲାଲ ଲଖୋଟିଆଙ୍କୁ ଗୁଜରାଟର ସୁରତରୁ ଗିରଫ କରିଛି ସିବିଆଇ। ଗତକାଲି ଏହି ଗିରଫଦାରୀ ହୋଇଛି। ରାଜସ୍ଥାନର ବିକାନେର ଜିଲ୍ଲାର ଝାଲୁ ଶାଖାର ଷ୍ଟେଟ୍ ବ୍ୟାଙ୍କ ଅଫ୍ ବିକାନେର ଆଣ୍ଡ ଜୟପୁର (SBBJ)ରୁ ୯୯ଟି କିଷାନ କ୍ରେଡିଟ୍ କାର୍ଡ ଋଣ ଜାଲିଆତି ଉପାୟରେ ମଞ୍ଜୁର କରାଇବା ସହ ବ୍ୟାଙ୍କରୁ ଟଙ୍କା ଉଠାଇବା ଅଭିଯୋଗ ତାଙ୍କ ବିରୋଧରେ ରହିଛି।
ସିବିଆଇର ସୂଚନା ଅନୁଯାୟୀ, ଗିରଫଦାରୀରୁ ବର୍ତ୍ତିବା ପାଇଁ ଅଭିଯୁକ୍ତ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ନିଜର ପରିଚୟ ଲୁଚାଇ ରହୁଥିଲେ। ଏହି ସମୟରେ ସେ ନିଜ ନାମ ପରିବର୍ତ୍ତନ କରି ରାଜକୁମାର ମାହେଶ୍ୱରୀ ରଖିଥିବା ଅଭିଯୋଗ ହୋଇଛି। ଏଥିସହ ନିଜର ପ୍ରକୃତ ପରିଚୟ ଲୁଚାଇବା ପାଇଁ ଜାଲ୍ ପରିଚୟପତ୍ର ମଧ୍ୟ ବ୍ୟବହାର କରୁଥିଲେ।
ଏହି ମାମଲା ବିକାନେର ଜିଲ୍ଲାର ଝାଲୁ ଶାଖାରେ କିଷାନ କ୍ରେଡିଟ୍ କାର୍ଡ ଯୋଜନା ଅଧୀନରେ ମଞ୍ଜୁର ହୋଇଥିବା ୯୯ଟି ଋଣ ସହ ଜଡ଼ିତ। ସିବିଆଇର ତଦନ୍ତ ଅନୁଯାୟୀ, ଏହି ଋଣଗୁଡ଼ିକୁ ଜାଲିଆତି ଉପାୟରେ ମଞ୍ଜୁର କରାଯାଇ ବ୍ୟାଙ୍କରୁ ପ୍ରାୟ ୨.୦୮ କୋଟି ଟଙ୍କା ଉଠାଯାଇଥିବା ଅଭିଯୋଗ ରହିଛି। ଦୀର୍ଘ ଦିନ ଧରି ଅଭିଯୁକ୍ତଙ୍କ ପତ୍ତା ମିଳୁନଥିବା ବେଳେ ସିବିଆଇ ତାଙ୍କୁ ଖୋଜିବା ଜାରି ରଖିଥିଲା।
ଶେଷରେ ଗୁପ୍ତ ସୂଚନା ଆଧାରରେ ସିବିଆଇ ଅଭିଯୁକ୍ତଙ୍କ ଅବସ୍ଥିତି ଗୁଜରାଟର ସୁରତରେ ଥିବା ଜାଣିବାକୁ ପାଇଥିଲା। ଏହାପରେ ସିବିଆଇର ଏକ ସ୍ୱତନ୍ତ୍ର ଟିମ୍ ସୁରତରେ ପହଞ୍ଚି ତାଙ୍କୁ ଗିରଫ କରିଥିଲା। ଦୀର୍ଘ ୨୧ ବର୍ଷ ପରେ ଅଭିଯୁକ୍ତ ଧରାପଡ଼ିବା ପରେ ଏହି ପୁରୁଣା ବ୍ୟାଙ୍କ ଠକେଇ ମାମଲା ପୁଣି ଚର୍ଚ୍ଚାକୁ ଆସିଛି। ବର୍ତ୍ତମାନ ମାମଲାରେ ଅଧିକ ତଦନ୍ତ ଜାରି ରହିଛି। ଅଭିଯୁକ୍ତଙ୍କ ବିରୋଧରେ ଥିବା ଅଭିଯୋଗଗୁଡ଼ିକ ଏବେ ତଦନ୍ତ ପରିସରଭୁକ୍ତ ରହିଛି ଏବଂ ଏହାର ନିଷ୍ପତ୍ତି ଅଦାଲତରେ ହେବ।
