CBI Searching CM's OSD; ଭଗବନ୍ତ ମାନଙ୍କ OSD ରାଜବୀରଙ୍କୁ ଖୋଜୁଛି ସିବିଆଇ
ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ଙ୍କ 'ଅଫିସର ଅନ୍ ସ୍ପେଶାଲ୍ ଡ୍ୟୁଟି' (OSD) ରାଜବୀର ଘୁମାନଙ୍କୁ ଦ୍ୱିତୀୟ ନୋଟିସ୍ ଜାରି କରିଛି ସିବିଆଇ। ଦ୍ୱିତୀୟ ଥର ହାଜର ନହେବା ପରେ ଏହି ନୋଟିସ୍ ରାଜବୀର ଘୁମାନଙ୍କ ବାସଭବନ ବାହାରେ ଲଗାଯାଇଛି। ତାଙ୍କ ବିରୋଧରେ ବଦଳି ଓ ନିଯୁକ୍ତି ମାମଲାରେ ଲାଞ୍ଚ ନେବାର ଅଭିଯୋଗ ରହିଛି।
ଚଣ୍ଡୀଗଡ଼: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ବିଶେଷ କାର୍ଯ୍ୟ ଅଧିକାରୀ (OSD) ରାଜବୀର ସିଂହ ଘୁମନଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ପୁଣି ସମନ୍ ଜାରି କରିଛି। ଶୁକ୍ରବାର ଦ୍ୱିତୀୟ ଥର ତଦନ୍ତରେ ହାଜର ନହେବା ପରେ ଏଜେନ୍ସି ତାଙ୍କ ଘର ବାହାରେ ନୋଟିସ୍ ଲଗାଇଥିଲା। ତେବେ ଘୁମନ ବ୍ୟକ୍ତିଗତ ଭାବେ ହାଜର ହେବା ବଦଳରେ ଆଇନଗତ ଉତ୍ତର ପଠାଇଥିବା ଖବର ପ୍ରକାଶ ପାଇଛି। ରାଜବୀରଙ୍କ ବିରୋଧରେ ପ୍ରଶାସନିକ ନିଷ୍ପତ୍ତିକୁ ପ୍ରଭାବିତ କରିବା ବଦଳରେ ଲାଞ୍ଚ ନେବା ମାମଲା କୁ ନେଇ ଅଭିଯୋଗ ହେଇଥିଲା | ଆଇଏଏସ୍ ଓ ଆଇପିଏସ୍ ଅଧିକାରୀଙ୍କ ବଦଳି, ସରକାରୀ ପଦବୀରେ ନିଯୁକ୍ତି ଏବଂ ଅନ୍ୟ ସରକାରୀ କାମକୁ ପ୍ରଭାବିତ କରିବା ପାଇଁ ଅର୍ଥ ନେଉଥିଲେ ରାଜବୀର | ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ନିର୍ଦ୍ଦେଶ ଏବଂ ଏନଫୋର୍ସମେଣ୍ଟ ଡାଇରେକ୍ଟରେଟ୍ (ED)ର ରିପୋର୍ଟ ପରେ CBI ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। CBI ଏହି ମାମଲାରେ ଘୁମନଙ୍କ ସମେତ ଅନ୍ୟ ପାଞ୍ଚ ଜଣଙ୍କ ନାମ ଉଲ୍ଲେଖ କରିଛି। ଅଭିଯୋଗର ପରିସରରେ ବଦଳି, ସରକାରୀ ପଦବୀରେ ନିଯୁକ୍ତି ବ୍ୟତୀତ ଟେଣ୍ଡର, ଲାଇସେନ୍ସ, ନୀତି ନିର୍ଦ୍ଧାରଣ, ପ୍ରଶାସନିକ ଅନୁମୋଦନ, ଜମି ବ୍ୟବହାର ପରିବର୍ତ୍ତନ ଓ ସମ୍ପତ୍ତି ବିବାଦ ମଧ୍ୟ ରହିଛି। ସରକାରୀ ଆଦେଶ ଓ ନୀତିର ଖସଡ଼ା ଜାରି ହେବା ପୂର୍ବରୁ ବେସରକାରୀ ବ୍ୟକ୍ତିଙ୍କ ସହ ସେୟାର କରାଯାଇଥିବା ଅଭିଯୋଗର ତଦନ୍ତ ମଧ୍ୟ ଏକକାଳୀନ ହେଉଛି। ଏହା ପୂର୍ବରୁ ଚଣ୍ଡୀଗଡ଼, ମୋହାଲି, ଗୁରଦାସପୁର, ଲୁଧିଆନା, ପଟିଆଲା, ସଙ୍ଗରୁର ଓ ଜଲନ୍ଧର ସମେତ ଆଠଟି ସ୍ଥାନରେ CBI ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଲାପଟପ୍, ମୋବାଇଲ୍ ଫୋନ୍ ଓ ଦସ୍ତାବିଜ ଜବତ ହୋଇଥିବା ରିପୋର୍ଟ ରହିଛି। ଘୁମନ ପୂର୍ବ ସମନ୍ରେ ମଧ୍ୟ ହାଜର ହୋଇନଥିଲେ। ମୁଖ୍ୟମନ୍ତ୍ରୀ ମାନ କହିଥିଲେ, ନିୟମ ଅନୁସାରେ ସମନ୍ ମିଳିଲେ ତାଙ୍କ OSD ତଦନ୍ତରେ ସହଯୋଗ କରିବେ। ଏବେ ଦ୍ୱିତୀୟ ନୋଟିସ୍ ପରେ ମାମଲା ଆହୁରି ଚର୍ଚ୍ଚାକୁ ଆସିଛି। ତେବେ ଏହି ଅଭିଯୋଗଗୁଡ଼ିକ ଏବେ ମଧ୍ୟ ତଦନ୍ତାଧୀନ ଥିଲାବେଳେ ରାଜବୀର ସିଂହ ଘୁମନ ଦୋଷୀ ପ୍ରମାଣିତ ହୋଇନାହାନ୍ତି |
