Notice to Imran Khan : ଇମ୍ରାନ ଖାନ୍ଙ୍କୁ ଭାରତ ଛାଡ଼ିବାକୁ ନୋଟିସ୍
ବଲିଉଡ୍ ଅଭିନେତା ଆମିର ଖାନଙ୍କ ଭଣଜା ଇମ୍ରାନ ଖାନଙ୍କୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି | ମୁମ୍ବାଇ ପୋଲିସ ତାଙ୍କୁ ଅକ୍ଟୋବର ୨୮ ସୁଦ୍ଧା ଭାରତ ଛାଡ଼ିବାକୁ ନୋଟିସ୍ ଦେଇଥିବା ଖବର ମିଳିଛି | ସୂଚନା ଅନୁସାରେ, ଅଗଷ୍ଟ କ୍ରାନ୍ତି ମୈଦାନରେ ମୁଖ୍ୟ ନିର୍ବାଚନ ଆୟୁକ୍ତ (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ହୋଇଥିବା ପ୍ରଦର୍ଶନରେ ଇମ୍ରାନ ଯୋଗ ଦେଇଥିବା ଅଭିଯୋଗ ରହିଛି |

ବଲିଉଡ୍ ଅଭିନେତା ଆମିର ଖାନଙ୍କ ଭଣଜା ଇମ୍ରାନ୍ ଖାନଙ୍କୁ ଅକ୍ଟୋବର ୨୮ ସୁଦ୍ଧା ଭାରତ ଛାଡ଼ିବାକୁ ମୁମ୍ବାଇ ପୋଲିସ ନୋଟିସ୍ ଜାରି କରିଛି | ମୁମ୍ବାଇର ଅଗଷ୍ଟ କ୍ରାନ୍ତି ମୈଦାନରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ହୋଇଥିବା ପ୍ରଦର୍ଶନରେ ସାମିଲ ହେବାରୁ ପୋଲିସ ତାଙ୍କୁ ଅଟକ ରଖିଥିଲା | ଭାରତୀୟ ନାଗରିକ ନ ହୋଇ ଏପରି ପ୍ରଦର୍ଶନରେ ଭାଗ ନେବା ଅଭିଯୋଗରେ ଇମିଗ୍ରେସନ୍ ଆଇନ ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି |
ଇମ୍ରାନ ଖାନ୍ ମୁମ୍ବାଇ ପୋଲିସର ନୋଟିସ୍ ଗ୍ରହଣ କରିଛନ୍ତି | ଅକ୍ଟୋବର ୧୦ରେ CJP ପକ୍ଷରୁ ଅଗଷ୍ଟ କ୍ରାନ୍ତି ମଇଦାନରେ ଆୟୋଜିତ ପ୍ରଦର୍ଶନରେ ସାମିଲ ହେବାରୁ ତାଙ୍କୁ ଅଟକ ରଖାଯାଇଥିଲା | ଏହି ପ୍ରଦର୍ଶନ ସହ ଜଡ଼ିତ ୪୦୦ରୁ ଅଧିକ ଲୋକଙ୍କ ବିରୋଧରେ FIR ରୁଜୁ ହୋଇଛି | ଅଣଭାରତୀୟ ନାଗରିକ ହୋଇ ପ୍ରଦର୍ଶନରେ ସାମିଲ ହେବା ଅଭିଯୋଗରେ ପୋଲିସ ତାଙ୍କୁ ଅକ୍ଟୋବର ୨୮ ସୁଦ୍ଧା ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛି |
ରାଜନୈତିକ ବିରୋଧ ପ୍ରଦର୍ଶନରେ ଭାଗ ନେବା ଇମ୍ରାନ ଖାନ୍ ଙ୍କୁ ବହୁତ ଭାରି ପଡିଥିବାର ଦେଖାଯାଉଛି | ଇମ୍ରାନ ଖାନ୍ ଙ୍କ ପାଖରେ ଭାରତୀୟ ନାଗରିକତା ନାହିଁ ବରଂ ଆମେରିକାର ନାଗରିକତା ଅଛି | ତାଙ୍କର ଜନ୍ମ ୧୩ ଜାନୁୟାରୀ ୧୯୮୩କୁ ଆମେରିକା ୱିସକନସିନ୍ ରେ ହୋଇଥିଲା ଓ ତାଙ୍କ ପାଖରେ ଆମେରିକା ପାସପୋର୍ଟ ସହିତ ଭାରତର ଓଭରସିଜ ସିଟୀଜେନ ଅଫ ଇଣ୍ଡିଆ (OCI) କାର୍ଡ ହୋଇଥିଲା | ପୋଲିସ ସୂତ୍ର ଅନୁସାରେ, ଏହି କାର୍ଯାନୁଷ୍ଠାନରେ ପାଇଁ ଇମିଗ୍ରେସନ୍ ଆଣ୍ଡ ଫରେନର୍ସ ଆକ୍ଟ, ୨୦୨୫ର ବ୍ୟବସ୍ଥାଗୁଡ଼ିକର ଉଲ୍ଲେଖ କରାଯାଇଛି |
ଭାରତୀୟ ଜନତା ପାର୍ଟିର ନେତା ଓ ପୂର୍ବ ସାଂସଦ କିରିଟ୍ ସୋମେୟା ଏହି ମାମଲାକୁ ନେଇ ଇମ୍ରାନ ଖାନଙ୍କ ଉପରେ ସିଧା ପ୍ରଶ୍ନ ପଚାରିଥିଲେ | ଏହି ମାମଲାକୁ ନେଇ ସେ ପୋଲିସ ନିକଟରେ ଅଭିଯୋଗ ମଧ୍ୟ କରିଥିଲେ | ସୋମୈୟା ଦାବି କରିଥିଲେ ଯେ, OCI କାର୍ଡଧାରୀ କିମ୍ବା କୌଣସି ବିଦେଶୀ ନାଗରିକ ଭାରତର ଆଭ୍ୟନ୍ତରୀଣ ରାଜନୈତିକ କାର୍ଯ୍ୟକଳାପ ଓ ପ୍ରତିବାଦରେ ଭାଗ ନେଇପାରିବେ ନାହିଁ | ଏହି ମାମଲାରେ ନିରପେକ୍ଷ ତଦନ୍ତ କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସେ ପୋଲିସ ଓ ଇମିଗ୍ରେସନ୍ ଅଧିକାରୀଙ୍କୁ ଦାବି କରିଥିଲେ | ଅନ୍ୟପଟେ ଗିରଫ ହେବା ପୂର୍ବରୁ ଇମ୍ରାନ ଖାନ ନିଜ ପକ୍ଷ ଦୁନିଆ ସାମ୍ନାରେ ରଖିଥିଲେ | ସେ କହିଥିଲେ ,ମୁଁ ଏହି ସହରର ନାଗରିକ ହିସାବରେ ଆସିଥିଲି | ମୁଁ ଏଠାକୁ ଏହା ଦେଖିବାକୁ ଆସିଛି ଯେ ଶେଷରେ କାହିଁକି ଲୋକମାନଙ୍କର ଯାତାୟାତର ସ୍ୱାଧୀନତାକୁ ସୀମିତ କରାଯାଉଛି ଏବଂ କାହିଁକି ସେମାନଙ୍କର ସ୍ୱରକୁ ଦମନ କରାଯାଉଛି |
ଏବେ ଏହା ଦେଖିବା ବାକି ରହିଲା ନୋଟିସ ମିଳିବା ପରେ ଇମ୍ରାନ ଖାନ ଦେଶ ଛାଡି ଯିବେ ନା ଏହି କାହାଣୀରେ ନୂଆ ଟ୍ଵିଷ୍ଟ ଆସିବ |
