Borewell Tragedy:ବୋରୱେଲ୍ରେ ଫସି ରହିଥିବା ୯ ବର୍ଷୀୟ ଭୋମାରାମର ମୃତ୍ୟୁ ହୋଇଛି
ରାଜସ୍ଥାନର ଫାଲୋଦିରେ ଦୀର୍ଘ ୩୯ ଘଣ୍ଟା ଧରି ଚାଲିଥିବା ଉଦ୍ଧାର ଅଭିଯାନ ଶେଷରେ ଆଣିଦେଲା ଦୁଃଖଦ ଖବର। ବୋରୱେଲ୍ ଭିତରେ ପ୍ରାୟ ଦୁଇ ଦିନ ଧରି ଫସି ରହିଥିବା ୯ ବର୍ଷୀୟ ଭୋମାରାମଙ୍କର ମୃତ୍ୟୁ ଘଟିଛି।
ରାଜସ୍ଥାନ: ଗଭୀର ବୋରୱେଲ୍ରୁ ଉଦ୍ଧାର ହେଲା ୯ ବର୍ଷର ଶିଶୁ, କିନ୍ତୁ ବଞ୍ଚିଲାନି ଜୀବନ। ଫାଲୋଦି ଜିଲ୍ଲାର ପୁନିଆ କି ଢାଣୀରେ ଦୀର୍ଘ ୩୯ ଘଣ୍ଟା ଧରି ଚାଲିଥିବା ରେସ୍କ୍ୟୁ ଅପରେସନ୍ର ଶେଷ ହେଇଛି ଦୁଃଖଦ ଭାବେ। ଶନିବାର ଭୋର ପ୍ରାୟ ୩ଟା ୩୫ରେ ଭୋମାରାମକୁ ବାହାର କରାଯାଇଥିଲା। ତାକୁ ତୁରନ୍ତ ଲୋହାୱତ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ଗତ ୧୫ ଅକ୍ଟୋବର ଦିନ ପ୍ରାୟ ୧୨ଟା ୩୦ରେ ଏହି ଦୁର୍ଘଟଣା ଘଟିଥିଲା। ଏକ କୃଷିକ୍ଷେତ୍ରରେ ବୋରୱେଲ୍ ମରାମତି କାମ ଚାଲିଥିବାବେଳେ ଭୋମାରାମ ଖୋଲା ବୋରୱେଲ୍ରେ ଖସିପଡ଼ିଥିଲା। ପ୍ରାୟ ୧୦୫୦ ଫୁଟ୍ ଗଭୀର ବୋରୱେଲ୍ର ୬୪୦ ଫୁଟ୍ ତଳେ ଫସି ରହିଥିଲା ଶିଶୁଟି। ଖବର ପାଇ ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍ ଓ ସ୍ଥାନୀୟ ପ୍ରଶାସନ ଉଦ୍ଧାର କାମ ଆରମ୍ଭ କରିଥିଲେ। ହେଲେ ଶିଶୁଠାରୁ ପ୍ରାୟ ୩୦ ଫୁଟ୍ ଉପରେ ଫସିଥିବା ଏକ ବଡ଼ ପଥର ସବୁଠୁ ବଡ଼ ବାଧା ସାଜିଥିଲା। ଅକ୍ଟୋବର ୧୬ ସକାଳେ କ୍ୟାମେରାରେ ଶିଶୁର ଗତିବିଧି ଦେଖାଯିବା ବନ୍ଦ ହେବାରୁ ଚିନ୍ତା ବଢ଼ିଥିଲା। ପାରମ୍ପରିକ ଉଦ୍ଧାର ପଦ୍ଧତିରେ ସଫଳତା ନମିଳିବାରୁ ଦେଶୀ ଉପକରଣ ବିଶେଷଜ୍ଞ ମାଧାରାମ ସୁଥାର ଓ ତାଙ୍କ ଟିମ୍କୁ ଡକାଯାଇଥିଲା। ଲୁହା ରଡ୍ରେ ସ୍ୱତନ୍ତ୍ର ଉପକରଣ ତିଆରି କରି ପ୍ରାୟ ୩୪ ଘଣ୍ଟାର ଉଦ୍ୟମ ପରେ ପଥରକୁ ବାହାର କରାଯାଇଥିଲା। ରାସ୍ତା ସଫା ହେବା ପରେ ଭୋମାରାମକୁ ଉଦ୍ଧାର କରାଗଲା, କିନ୍ତୁ ତାକୁ ବଞ୍ଚାଇବାର ସବୁ ଆଶା ଶେଷ ହୋଇଗଲା।
