Neha Bora Peace Bond:ହାଇକୋର୍ଟରେ ନେହା ବୋରା;ପ୍ରଦର୍ଶନ ପାଇଁ ବଣ୍ଡ କାହିଁକି?
ଦିଲ୍ଲୀରେ CEC ବିରୋଧୀ ପ୍ରଦର୍ଶନକୁ ନେଇ ଆଇନଗତ ବିବାଦ ତେଜିଛି। ₹୧୦ ହଜାରର ପିସ୍ ବଣ୍ଡ ନୋଟିସ୍କୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ପହଞ୍ଚିଛନ୍ତି AISA ଅଧ୍ୟକ୍ଷ ନେହା ବୋରା। ଶୁଣାଣିରେ ଆଇନଗତ ପ୍ରକ୍ରିୟା ଓ ମାଜିଷ୍ଟ୍ରେଟ୍ଙ୍କ ଲିଖିତ କାରଣକୁ ନେଇ ଉଠିଛି ପ୍ରଶ୍ନ। ଦିଲ୍ଲୀରେ CJP ପ୍ରଦର୍ଶନ ସହ ନିଜର ସମ୍ପୃକ୍ତିକୁ ଅସ୍ୱୀକାର କରିବା ସହ ପୋଲିସର ନୋଟିସ୍କୁ ନେଇ ଉଠାଇଛନ୍ତି ଆଇନଗତ ପ୍ରଶ୍ନ।
ନୂଆଦିଲ୍ଲୀ:"ନା ଆମେ ଡାକରା ଦେଇଥିଲୁ, ନା ଆମେ ସେଠାକୁ ଯାଇଥିଲୁ",CJP ପ୍ରଦର୍ଶନକୁ ନେଇ ବିବାଦ ମଧ୍ୟରେ ନିଜ ପକ୍ଷ ରଖିଛନ୍ତି ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ (AISA)ର ଜାତୀୟ ଅଧ୍ୟକ୍ଷ ନେହା ବୋରା। ଦିଲ୍ଲୀ ପୋଲିସର ₹୧୦ ହଜାରର ବ୍ୟକ୍ତିଗତ ବଣ୍ଡ ନୋଟିସ୍କୁ ଚ୍ୟାଲେଞ୍ଜ କରି ସେ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଅକ୍ଟୋବର ୨୨ରେ ଜଷ୍ଟିସ୍ ସୁବ୍ରମଣିୟମ୍ ପ୍ରସାଦଙ୍କ ଖଣ୍ଡପୀଠରେ ଏହି ଆବେଦନର ଶୁଣାଣି ହୋଇଛି।
ମାମଲାର ମୂଳ ବିବାଦ ହେଉଛି, ଶାନ୍ତି ବଜାୟ ରଖିବା ପାଇଁ ନେହାଙ୍କୁ ₹୧୦ ହଜାରର ବ୍ୟକ୍ତିଗତ ବଣ୍ଡ ସହ ଜଣେ ଜାମିନଦାର ଦେବାକୁ କାହିଁକି କୁହାଗଲା? ଅକ୍ଟୋବର ୧୭ରେ ସ୍ପେଶାଲ୍ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଜାରି କରିଥିବା ନୋଟିସ୍କୁ ଶାନ୍ତି ବଜାୟ ରଖିବା ନାମରେ ରଦ୍ଦ କରିବାକୁ ଦାବି କରିଛନ୍ତି ନେହା | ଏହା ସହ ନିଜ ବିରୋଧରେ ବଳପୂର୍ବକ କାର୍ଯ୍ୟାନୁଷ୍ଠାନ ନ ନେବାକୁ ନେହା ଅଦାଲତଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଆବେଦନ ଅନୁସାରେ, ଅକ୍ଟୋବର ୧୬ରେ ମଣ୍ଡି ହାଉସ୍ରୁ କନଟ୍ ପ୍ଲେସ୍ର ସେଣ୍ଟ୍ରାଲ୍ ପାର୍କ ପର୍ଯ୍ୟନ୍ତ ‘ଲେହରା ଦୋ ତିରଙ୍ଗା’ କାର୍ଯ୍ୟକ୍ରମକୁ ନେଇ ତାଙ୍କୁ ଅଟକ ରଖାଯାଇଥିଲା। ନେହାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କୁ ପ୍ରଥମେ ଏକ ଅଜଣା ସ୍ଥାନକୁ ଏବଂ ପରେ ଆର୍କେ ପୁରମ୍ ଥାନାକୁ ନିଆଯାଇଥିଲା। ଅକ୍ଟୋବର ୧୭ ସକାଳ ୬ଟାରେ ସେ ମୁକ୍ତ ହୋଇଥିଲେ।ପୋଲିସର ନୋଟିସ୍ରେ ମଣ୍ଡି ହାଉସ୍ରେ ସ୍ଲୋଗାନ୍ ଦେବା, ଜନ୍ତରମନ୍ତର ଅଞ୍ଚଳରେ ନିଷେଧାଦେଶ ସତ୍ତ୍ୱେ ବାରମ୍ବାର ପ୍ରଦର୍ଶନ ଏବଂ କନଟ୍ ପ୍ଲେସ୍ରେ ଅନୁମତିବିହୀନ ପ୍ରଦର୍ଶନ ପାଇଁ ଲୋକଙ୍କୁ ଉସକାଇବା ଭଳି ଅଭିଯୋଗ ରହିଛି। କିନ୍ତୁ ମଣ୍ଡି ହାଉସ୍ରେ ଶାନ୍ତିପୂର୍ଣ୍ଣ ସମାବେଶ ପାଇଁ ଡାକରା ଏବଂ ସେଣ୍ଟ୍ରାଲ୍ ପାର୍କରେ ପ୍ରଦର୍ଶନ ପାଇଁ ଡାକରା ଦୁଇଟି ଭିନ୍ନ ବିଷୟ ବୋଲି ଯୁକ୍ତି କରିଛନ୍ତି ବୋରା |
ଶୁଣାଣି ସମୟରେ ଓକିଲ୍ ସଙ୍କରନାରାୟଣନ୍ ଯୁକ୍ତି ରଖିଥିଲେ ଯେ ଶୁଣାଶୁଣି ତଥ୍ୟକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ପାଇଁ ମାଜିଷ୍ଟ୍ରେଟ୍ଙ୍କ ପକ୍ଷରୁ ଯଥାର୍ଥ ବିଚାର ଓ ଲିଖିତ କାରଣ ଆବଶ୍ୟକ। ଅଦାଲତ ମଧ୍ୟ ପଚାରିଥିଲେ, ଏହି ପର୍ଯ୍ୟାୟରେ ମାଜିଷ୍ଟ୍ରେଟ୍ଙ୍କ ଲିଖିତ କାରଣ ରହିଛି କି ନାହିଁ। ତେବେ ଶୁଣାଣିର ଏହି ପର୍ଯ୍ୟାୟରେ ଆବେଦନ ଉପରେ ଚୂଡ଼ାନ୍ତ ରାୟ ଘୋଷଣା ହୋଇଥିବା ସୂଚନା ମିଳିନଥିବା ବେଳେ CEC ଜ୍ଞାନେଶ କୁମାରଙ୍କ ବିରୋଧରେ ପ୍ରତିବାଦ ଓ CJP କର୍ମୀଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ପରେ ଏହି ଶୁଣାଣି ଉପରେ ନଜର ରହିଛି। ନେହା ବୋରାଙ୍କ ପର୍ସନାଲ ବଣ୍ଡ କେସରେ କାଲି ଫୈସଲା ଶୁଣାଇବେ ଅଦାଲତ।
