ମହାନଦୀରେ ଆସୁଛି ବନ୍ୟା: ସତର୍କ କଲା ଜଳ ସମ୍ପଦ ବିଭାଗ
ବନ୍ୟା ନେଇ ବଡ଼ ସୂଚନା ଦେଲେ ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ । ମହାନଦୀରେ ଆସୁଛି ମଧ୍ୟମ ଧରଣର ବନ୍ୟା, ହୀରାକୁଦରେ ୬୧୬ ଫୁଟ ଜଳସ୍ତର, ମୁଣ୍ଡଳୀରେ ପହଞ୍ଚିବ ୯ ଲକ୍ଷ କ୍ୟୁସେକ ପାଣି । ମହାନଦୀ ତଳିଆ ଅଞ୍ଚଳକୁ ବନ୍ୟା ଭୟ ।
ଭୁବନେଶ୍ୱର: ମହାନଦୀରେ ଆସୁଛି ମଧ୍ୟମ ଧରଣର ବନ୍ୟା। ଏନେଇ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ବଡ଼ ସୂଚନା ଦେଇଛନ୍ତି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ୬୧୬ ଫୁଟ ରହିଛି। ହୀରାକୁଦରୁ ଦୁଇଟି ଗେଟ୍ ମାଧ୍ୟମରେ ଜଳ ନିଷ୍କାସନ ଜାରି ରହିଛି। କିନ୍ତୁ ତେଲ ନଦୀ ବେସିନ ସହ ବଲାଙ୍ଗୀର ଓ ଖଇରମାଳ ଅଞ୍ଚଳରେ ଅଧିକ ବର୍ଷା ଯୋଗୁଁ ମହାନଦୀରେ ଜଳ ପ୍ରବାହ ବୃଦ୍ଧି ପାଇଛି। ସୂଚନା ଅନୁସାରେ, ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀରେ ପ୍ରାୟ ୮.୫ ଲକ୍ଷରୁ ୯ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଦୟା ନଦୀ ଓ ମହାନଦୀର ତଳିଆ ଅଞ୍ଚଳରେ ଛୋଟରୁ ମଧ୍ୟମ ଧରଣର ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ। ନିମାପଡ଼ା, କଣାସ, ଗୋପ ଓ ଅସ୍ତରଙ୍ଗ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିବାର ଆଶଙ୍କା ରହିଛି। ସେହିପରି ବୈତରଣୀ ନଦୀରେ ମଧ୍ୟ ବନ୍ୟା ସ୍ଥିତି ଜାରି ରହିଛି। ଯାଜପୁରର ଦଶରଥପୁର, ଧାମନଗର ଓ ଚାନ୍ଦବାଲି ଅଞ୍ଚଳରେ ବନ୍ୟା ପାଣି ପଶିଛି। ଶାଳନ୍ଦୀ ନଦୀରେ ଜଳ ପ୍ରବାହ କମିଥିବାରୁ ଭଦ୍ରକ ଜିଲ୍ଲାର ସ୍ଥିତି ଆସନ୍ତାକାଲି ସୁଦ୍ଧା ସୁଧାର ହେବା ଆଶା କରାଯାଉଛି। ଆନନ୍ଦପୁର ଅଞ୍ଚଳରେ ଏକ ଛୋଟ ଘାଇ ସୃଷ୍ଟି ହୋଇଛି। ପାଣି କମିବା ପରେ ଏହାର ମରାମତି କରାଯିବ। ସେହିପରି ଯାଜପୁରରେ ହୋଇଥିବା ଏକ ଛୋଟ ଘାଇର ମଧ୍ୟ ଜଳସ୍ତର କମିଲେ ମରାମତି କରାଯିବ।
