Hasina’s Comeback Sparks Unrest : ହସିନାଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ରଣକ୍ଷେତ୍ର ପାଲଟିଲା ବାଂଲାଦେଶ
ଶେଖ୍ ହସିନାଙ୍କ ଫେରିବା ଘୋଷଣାରେ ଥରୁଛି ବାଂଲାଦେଶ! ଗୋଟିଏ ପଟେ ସମର୍ଥକଙ୍କ ରାସ୍ତାକୁ ଓହ୍ଲାଇବା, ଅନ୍ୟପଟେ ହିଂସା ଓ ଅଗ୍ନିକାଣ୍ଡ। ଦେଶବ୍ୟାପୀ ଲକଡାଉନ୍ ଡାକରା, ମୁତୟନ ହେଲେ ୧୦୯ ପ୍ଲାଟୁନ୍ ସୁରକ୍ଷା ବାହିନୀ। ଏବେ ପ୍ରଶ୍ନ, ହସିନାଙ୍କ ପ୍ରତ୍ୟାବର୍ତ୍ତନ ପରେ ବାଂଲାଦେଶରେ କ'ଣ ହେବ?

ବାଂଲାଦେଶରେ ପୁଣି ତେଜିଛି ରାଜନୈତିକ ଅଶାନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଡିସେମ୍ବର ୧୬ ତାରିଖରେ ଦେଶକୁ ଫେରିବା ନେଇ ଘୋଷଣା କରିଥିବା ବେଳେ, ତାଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ ଦେଶରେ ହିଂସା, ଅଗ୍ନିକାଣ୍ଡ ଓ ରାଜନୈତିକ ଉତ୍ତେଜନା ବଢ଼ିବାରେ ଲାଗିଛି। ଆୱାମୀ ଲିଗ୍ ସମର୍ଥକ ଏବଂ ସରକାରଙ୍କ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି।ଶେଖ୍ ହସିନାଙ୍କ ଡେପୁଟି ପ୍ରେସ୍ ସେକ୍ରେଟାରୀ କେ.ଏମ୍. ସଖାୱତ ମୁନ୍, ପୂର୍ବତନ ଡେପୁଟି କମିଶନର ମହମ୍ମଦ ଇଲିୟାସ ହୁସେନ ଏବଂ ଆୟକର ଓକିଲ ସୁଫି ମହମ୍ମଦ ଅଲ୍ ମାମୁନଙ୍କ ସମେତ ତିନି ଜଣଙ୍କୁ ପୋଲିସ ଗିରଫ କରିଛି। ଅନ୍ୟପଟେ ଶେଖ୍ ହସିନାଙ୍କ ଗୃହ ଜିଲ୍ଲା ଗୋପାଳଗଞ୍ଜରେ ହଜାର ହଜାର ସମର୍ଥକ ରାସ୍ତାକୁ ଓହ୍ଲାଇଛନ୍ତି। ଶେଖ୍ ମୁଜିବୁର ରହମାନଙ୍କ ସ୍ମାରକୀ ନିକଟରେ 'ଗୋପାଳଗଞ୍ଜକୁ ସ୍ୱାଧୀନ କର' ନାରା ଦେଇଛନ୍ତି। ଏହାକୁ ନେଇ ଜମାତ୍-ଏ-ଇସଲାମୀ ମୁଖ୍ୟ ଶଫିକୁର ରହମାନ ଦେଶଦ୍ରୋହ ମାମଲାର ଚେତାବନୀ ଦେଇଛନ୍ତି।
ଏପଟେ ଆଗାମୀ ଲିଗ୍ ନଭେମ୍ବର ୨୯ ଓ ୩୦ ତାରିଖରେ ଦେଶବ୍ୟାପୀ ଲକଡାଉନ୍ ଡାକରା ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି ସରକାର। ବର୍ଡର ଗାର୍ଡ ବାଂଲାଦେଶ (BGB) ପକ୍ଷରୁ ସାତଟି ଜିଲ୍ଲାରେ ୧୦୯ ପ୍ଲାଟୁନ୍ ସୁରକ୍ଷା ବାହିନୀ ମୁତୟନ କରାଯାଇଛି।

ସେଥିମଧ୍ୟରୁ ୫୬ ପ୍ଲାଟୁନ୍ କେବଳ ଗୋପାଳଗଞ୍ଜରେ ମୁତୟନ ହୋଇଛନ୍ତି। ଢାକାର ସାଭାର ଓ ଆଶୁଲିଆ, ନାରାୟଣଗଞ୍ଜ, ଗାଜିପୁର, ଚଟ୍ଟୋଗ୍ରାମ ଓ କକ୍ସବଜାର ଅଞ୍ଚଳରେ ମଧ୍ୟ ସୁରକ୍ଷା ବଢ଼ାଯାଇଛି। ଡ୍ରୋନ୍, ସିସିଟିଭି ଓ ବଡି କ୍ୟାମେରା ମାଧ୍ୟମରେ ନଜର ରଖାଯାଉଛି। ସୂଚନା ଅନୁସାରେ, ନଭେମ୍ବର ମାସରେ ହୋଇଥିବା ହିଂସାରେ ଚାରି ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଚାରିଟି ପୋଲିସ ଥାନାରେ ନିଆଁ ଲଗାଇ ଦିଆଯାଇଛି। ବସ୍, ଟ୍ରେନ୍ ଓ ବିଭିନ୍ନ ଗାଡ଼ିରେ ମଧ୍ୟ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି। ଏହି ହିଂସା ପାଇଁ ପୋଲିସ ଆୱାମୀ ଲିଗ୍ କର୍ମୀଙ୍କୁ ଦାୟୀ କରିଛି।
ଅନ୍ୟପଟେ ଆୱାମୀ ଲିଗ୍ ପକ୍ଷରୁ ସରକାରଙ୍କ ନିକଟରେ ଆଠ ଦଫା ଦାବି ରଖାଯାଇଛି। ଏଥିରେ ଦଳ ଉପରୁ ପ୍ରତିବନ୍ଧକ ହଟାଇବା, ଶେଖ୍ ହସିନାଙ୍କ ସମେତ ଅନ୍ୟ ନେତାଙ୍କ ବିରୋଧରେ ଥିବା ମାମଲା ପ୍ରତ୍ୟାହାର ଏବଂ ରାଜନୈତିକ ବନ୍ଦୀଙ୍କୁ ମୁକ୍ତ କରିବା ଭଳି ଦାବି ରହିଛି। କିନ୍ତୁ ସରକାର ସ୍ପଷ୍ଟ କରିଛି ଯେ, ଶେଖ୍ ହସିନା ଦେଶକୁ ଫେରିଲେ ତାଙ୍କୁ ଗିରଫ କରାଯିବ।
ସୂଚନାଯୋଗ୍ୟ, ୨୦୨୪ ଜୁଲାଇ-ଅଗଷ୍ଟରେ ଛାତ୍ର ଆନ୍ଦୋଳନ ଯୋଗୁଁ ଶେଖ୍ ହସିନାଙ୍କ ସରକାରର ପତନ ହୋଇଥିଲା। ଏହାପରେ ସେ ଭାରତକୁ ଚାଲିଆସିଥିଲେ। ପରବର୍ତ୍ତୀ ସମୟରେ ଏକ ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ତାଙ୍କୁ ଅନୁପସ୍ଥିତିରେ ମୃତ୍ୟୁଦଣ୍ଡ ଶୁଣାଇଥିଲେ। ଏହି ରାୟକୁ ଶେଖ୍ ହସିନା ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ବୋଲି କହିଛନ୍ତି। ଏବେ ତାଙ୍କ ଫେରିବା ଘୋଷଣା ପରେ ବାଂଲାଦେଶରେ ସ୍ଥିତି ଆହୁରି ଜଟିଳ ହୋଇପଡ଼ିଛି। ଆଗାମୀ ଦିନରେ ଦେଶରେ ଶାନ୍ତି ଫେରିବ ନା ରାଜନୈତିକ ସଂଘର୍ଷ ଆହୁରି ଭୟଙ୍କର ରୂପ ନେବ, ତାହା ଉପରେ ସମସ୍ତଙ୍କ ନଜର।
