Ritabrata Appointment Quashed:ରିତବ୍ରତଙ୍କ LOP ନିଯୁକ୍ତି ରଦ୍ଦ- ମମତାଙ୍କ ବିଦ୍ରୋହୀଙ୍କୁ ଝଟକା
ଦଳର ମମତା ବାନାର୍ଜୀଙ୍କ ଗୋଷ୍ଠୀ ସୋଭନଦେବ ଚଟ୍ଟୋପାଧ୍ୟାୟଙ୍କୁ ବିରୋଧୀ ଦଳ ନେତା ପଦ ପାଇଁ ସମର୍ଥନ କରିଥିଲା। କିନ୍ତୁ ରିତବ୍ରତ ବାନାର୍ଜୀଙ୍କ ନେତୃତ୍ୱରେ ଏକ ବିଦ୍ରୋହୀ ଗୋଷ୍ଠୀ ଏହି ନିଷ୍ପତ୍ତିକୁ ବିରୋଧ କରିଥିଲା। ପ୍ରାୟ ୫୯ ଜଣ ବିଧାୟକ ରିତବ୍ରତଙ୍କୁ ସମର୍ଥନ କରି ବିଧାନସଭାରେ ତାଙ୍କ ନେତୃତ୍ୱକୁ ଦାବି କରିଥିଲେ। ଏହା ପରେ ବାଚସ୍ପତି ତାଙ୍କୁ ବିରୋଧୀ ଦଳ ନେତା ଭାବେ ମାନ୍ୟତା ଦେଇଥିଲେ।

ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଏକ ବଡ଼ ମୋଡ଼। ମମତାଙ୍କ ବିଦ୍ରୋହୀ ଗୋଷ୍ଠୀକୁ ଲାଗିଛି ବଡ଼ ଅଦାଲତି ଝଟକା। ବିଦ୍ରୋହୀ ତୃଣମୂଳ କଂଗ୍ରେସ ଗୋଷ୍ଠୀର ନେତା ରିତବ୍ରତ ବାନାର୍ଜୀଙ୍କୁ ବିଧାନସଭାର ବିରୋଧୀ ଦଳ ନେତା ଭାବେ ନିଯୁକ୍ତ କରିଥିବା ବାଚସ୍ପତିଙ୍କ ନିଷ୍ପତ୍ତିକୁ ରଦ୍ଦ କରିଛନ୍ତି କଲକାତା ହାଇକୋର୍ଟ। ଜଷ୍ଟିସ୍ କୃଷ୍ଣ ରାଓଙ୍କ ଜଣିକିଆ ଖଣ୍ଡପୀଠ ଏହି ନିଯୁକ୍ତି ଆଇନ ଅନୁଯାୟୀ ଯୋଗ୍ୟ ନୁହେଁ ବୋଲି କହି ବାଚସ୍ପତିଙ୍କୁ ପୁନର୍ବାର ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ୧୦ ଦିନ ମଧ୍ୟରେ ଏହି ମାମଲାରେ ନୂଆ ନିଷ୍ପତ୍ତି ନେଇ ଯୁକ୍ତିସଂଗତ ଆଦେଶ ଜାରି କରିବାକୁ ବାଚସ୍ପତିଙ୍କୁ କହିଛନ୍ତି। କୋଲକାତା ହାଇକୋର୍ଟ ଆଜି ରିତବ୍ରତ ବାନାର୍ଜୀଙ୍କୁ ବିରୋଧୀ ଦଳ ନେତା ଭାବେ ମାନ୍ୟତା ଦେଇଥିବା ବିଧାନସଭା ବାଚସ୍ପତି ରଥିନ୍ଦ୍ର ବୋସଙ୍କ ନିଷ୍ପତ୍ତିକୁ ଖାରଜ କରିଛନ୍ତି। ଏହା ସହ ବିଦ୍ରୋହୀ ଗୋଷ୍ଠୀର ଅଖରୁଜ୍ଜମାନଙ୍କୁ ବିରୋଧୀ ଦଳର ମୁଖ୍ୟ ସଚେତକ ଭାବେ ନିଯୁକ୍ତି ଦେଇଥିବା ନିଷ୍ପତ୍ତିକୁ ମଧ୍ୟ ହାଇକୋର୍ଟ ରଦ୍ଦ କରିଛନ୍ତି। ରିତବ୍ରତ ବାନାର୍ଜୀ ପଶ୍ଚିମବଙ୍ଗର ଜଣେ ବରିଷ୍ଠ ନେତା। ସେ ପୂର୍ବରୁ CPI(M)ରେ ଥିଲେ ଏବଂ ବାମପନ୍ଥୀ ରାଜନୀତିରେ ଜଣେ ଯୁବ ନେତା ଭାବେ ପରିଚିତ ହୋଇଥିଲେ। ପରେ ଦଳୀୟ ବିବାଦ ଓ ବିଭିନ୍ନ ଘଟଣା ପରେ ସେ CPI(M)ରୁ ବାହାରିଥିଲେ। ୨୦୧୮ରେ ସେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ଦଳରେ ତାଙ୍କର ରାଜନୈତିକ ଭୂମିକା ରହିଥିଲା। କିନ୍ତୁ ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ TMC ଭିତରେ ଦେଖାଦେଇଥିବା ବିଭାଜନ ତାଙ୍କୁ ରାଜ୍ୟ ରାଜନୀତିର ଏକ ଚର୍ଚ୍ଚିତ ଚେହେରା କରିଦେଇଛି। ୨୦୨୬ ବିଧାନସଭା ନିର୍ବାଚନ ପରେ ତୃଣମୂଳ କଂଗ୍ରେସରେ ଦଳୀୟ ନେତୃତ୍ୱ ଓ ବିଧାନସଭାରେ ବିରୋଧୀ ଦଳ ନେତା ପଦକୁ ନେଇ ମତଭେଦ ସୃଷ୍ଟି ହୋଇଥିଲା। ଦଳର ମମତା ବାନାର୍ଜୀଙ୍କ ଗୋଷ୍ଠୀ ସୋଭନଦେବ ଚଟ୍ଟୋପାଧ୍ୟାୟଙ୍କୁ ବିରୋଧୀ ଦଳ ନେତା ପଦ ପାଇଁ ସମର୍ଥନ କରିଥିଲା। କିନ୍ତୁ ରିତବ୍ରତ ବାନାର୍ଜୀଙ୍କ ନେତୃତ୍ୱରେ ଏକ ବିଦ୍ରୋହୀ ଗୋଷ୍ଠୀ ଏହି ନିଷ୍ପତ୍ତିକୁ ବିରୋଧ କରିଥିଲା। ପ୍ରାୟ ୫୯ ଜଣ ବିଧାୟକ ରିତବ୍ରତଙ୍କୁ ସମର୍ଥନ କରି ବିଧାନସଭାରେ ତାଙ୍କ ନେତୃତ୍ୱକୁ ଦାବି କରିଥିଲେ। ଏହା ପରେ ବାଚସ୍ପତି ତାଙ୍କୁ ବିରୋଧୀ ଦଳ ନେତା ଭାବେ ମାନ୍ୟତା ଦେଇଥିଲେ। ରିତବ୍ରତ ବାନାର୍ଜୀଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ କରି TMCର ବରିଷ୍ଠ ନେତା ସୋଭନଦେବ ଚଟ୍ଟୋପାଧ୍ୟାୟ କଲକାତା ହାଇକୋର୍ଟରେ ଆବେଦନ କରିଥିଲେ। ତାଙ୍କ ଯୁକ୍ତି ଥିଲା ଯେ, ଦଳର ଅଧିକାରିକ ନିଷ୍ପତ୍ତି ଅନୁଯାୟୀ ତାଙ୍କୁ ବିରୋଧୀ ଦଳ ନେତା ପଦ ପାଇଁ ଚୟନ କରାଯାଇଥିଲା। କିନ୍ତୁ ବାଚସ୍ପତି ଏହାକୁ ଅଣଦେଖା କରି ରିତବ୍ରତଙ୍କୁ ମାନ୍ୟତା ଦେଇଥିଲେ।ଏହି ନିଯୁକ୍ତି ନିୟମ ଓ ପ୍ରଚଳିତ ପ୍ରକ୍ରିୟା ବିରୋଧୀ ବୋଲି ଦାବି କରି ସେ ନ୍ୟାୟିକ ହସ୍ତକ୍ଷେପ ଚାହିଁଥିଲେ।ଏହି ମାମଲାରେ ପୂର୍ବରୁ ହାଇକୋର୍ଟର ଏକକ ବେଞ୍ଚ ତତ୍କାଳ ନିଯୁକ୍ତି ଉପରେ ରୋକ ଲଗାଇବାକୁ ମନା କରିଥିଲେ। ପରେ ଡିଭିଜନ୍ ବେଞ୍ଚ ରିତବ୍ରତ ବାନାର୍ଜୀ ଓ ଅଖରୁଜ୍ଜମାନଙ୍କୁ ଅନ୍ତରୀଣ ଭାବେ ନିଜ ପଦରେ କାର୍ଯ୍ୟ କରିବାକୁ ଅନୁମତି ଦେଇଥିଲେ। ଏହି ଅନ୍ତରୀଣ ବ୍ୟବସ୍ଥା ଦୁଇ ମାସ କିମ୍ୱା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ରହିବ ବୋଲି କୁହାଯାଇଥିଲା। ପରେ ମାମଲାର ଶୁଣାଣି ହୋଇ ଆଜି ରାୟ ଆସିଛି। TMCର ଦୁଇ ଗୋଷ୍ଠୀ ମଧ୍ୟରେ ଦଳର ନାଁ, ଚିହ୍ନ ଓ ନେତୃତ୍ୱକୁ ନେଇ ମଧ୍ୟ ବିବାଦ ଚାଲିଛି। ନିର୍ବାଚନ ଆୟୋଗ ଦୁଇ ଗୋଷ୍ଠୀକୁ ଭିନ୍ନ ନାଁ ଓ ଚିହ୍ନ ଦେଇଛନ୍ତି। ମମତା ବାନାର୍ଜୀଙ୍କ ଗୋଷ୍ଠୀ – Mamata All India Trinamool Congress, Football Player ଚିହ୍ନ ଓ ରିତବ୍ରତ ବାନାର୍ଜୀଙ୍କ ଗୋଷ୍ଠୀ – Democratic Trinamool Congress, Envelope ଚିହ୍ନ।ଦୁଇ ଗୋଷ୍ଠୀ ମଧ୍ୟରେ ଦଳର ପରିଚୟ ଓ ନେତୃତ୍ୱକୁ ନେଇ ରାଜନୈତିକ ଲଢ଼େଇ ଜାରି ରହିଛି। କୋଲକାତା ହାଇକୋର୍ଟଙ୍କ ରାୟ ପରେ ବିରୋଧୀ ଦଳ ନେତା ପଦକୁ ନେଇ ପୁଣି ଥରେ ନିଷ୍ପତ୍ତି ନେବାକୁ ପଡ଼ିବ ବିଧାନସଭା ବାଚସ୍ପତିଙ୍କୁ। ୧୦ ଦିନ ମଧ୍ୟରେ ନୂଆ ଆଦେଶ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ରାୟ ଆସିବା ପରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ଟିଏମସି ଦୁଇ ଗୋଷ୍ଠୀରେ ବିଭକ୍ତ। ଏହି ଗୋଷ୍ଠୀକୁ MTMC ଓ DTMC ନାଁ ଦେଇଛନ୍ତି ଶୁଭେନ୍ଦୁ। ଶୁଭେନ୍ଦୁ ଦାବି କରିଛନ୍ତି ଯେ, ରିତବ୍ରତ ବାନାର୍ଜୀଙ୍କ ଗୋଷ୍ଠୀ DTMC ପାଖରେ ବହୁମତ ଅଛି। ନେତା ପ୍ରତିପକ୍ଷ ପଦ ସେହି ଗୋଷ୍ଠୀକୁ ମିଳିବା ଦରକାର, ଯାହା ପାଖରେ ଗୃହରେ ବହୁମତ ଅଛି।
